ବିଦେଶରେ ରହୁଥିବା 1 କୋଟି 80 ଲକ୍ଷରୁ ଅଧିକ ଭାରତୀୟ ସବୁଠାରୁ ବୃହତ୍ ପ୍ରବାସୀ ସମ୍ପ୍ରଦାୟ । ଯେଉଁଥିରେ ପ୍ରବାସୀ ଭାରତୀୟଙ୍କ ସମେତ ଦରିଆପାରି ଭାରତୀୟ ନାଗରିକ କୁହାଯାଉଥିବା ବ୍ୟକ୍ତିମାନେ ସମ୍ମିଳିତ । ସେମାନଙ୍କ ଅଧ୍ୟବସାୟ, ଶୃଙ୍ଖଳା ଏବଂ ନିଷ୍ଠା ଯୋଗୁଁ ସେମାନଙ୍କୁ ଆତିଥ୍ୟ ଦେଉଥିବା ଦେଶ ଗୁଡ଼ିକ ପାଇଁ ସେମାନଙ୍କ ଅବଦାନ ବର୍ଷ ବର୍ଷ ଧରି ବ୍ୟାପକ ସ୍ବୀକୃତି ପାଇ ଆସିଛି । ବୃତ୍ତିଗତ ପରିଚାଳନା କ୍ଷେତ୍ରରେ ହେଉ କି ଶାରୀରିକ ଶ୍ରମଯୁକ୍ତ କାର୍ଯ୍ୟରେ, ଉତ୍ତର ଆମେରିକାରୁ ଆରମ୍ଭ କରି ମଧ୍ୟ ପ୍ରାଚ୍ୟ ଦେଶ ସମୂହ ପର୍ଯ୍ୟନ୍ତ, ସବୁଠି ସେମାନେ ଏକ ପ୍ରମୁଖ କାର୍ଯ୍ୟସାଧନ ଶକ୍ତି ଭାବରେ ଉଭା ହୋଇଛନ୍ତି । ବିଭିନ୍ନ ଆକଳନ ଅନୁସାରେ, ୟୁନାଇଟେଡ୍ ଆରବ ଏମିରେଟ୍, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାଉଦି ଆରବରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ, ଯାହାକି ଯଥାକ୍ରମେ 34 ଲକ୍ଷ, 26 ଲକ୍ଷ ଏବଂ 24 ଲକ୍ଷ । ନିକଟରେ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ଆମେରିକାରେ ରହୁଥିବା 40 ଲକ୍ଷ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବଙ୍କ ମହାନ ଅବଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ଉପସାଗରୀୟ ଦେଶ ସମୂହରେ ରହୁଥିବା ସମସ୍ତ ପ୍ରବାସୀଙ୍କ ମଧ୍ୟରେ ସେମାନେ ହିଁ ସବୁଠାରୁ ଅଧିକ ଗ୍ରହଣୀୟ ଏବଂ ବିଶ୍ବସ୍ତ ପେସାଦାର ଓ କାର୍ଯ୍ୟସାଧନ ଶକ୍ତି ରୂପେ ଆଦୃତ ।
ଅଷ୍ଟ୍ରେଲିଆ ସରକାର ସେମାନଙ୍କର ‘ଆନ୍ ଇଣ୍ଡିଆ ଇକୋନୋମିକ ଷ୍ଟ୍ରାଟେଜି 2035’ ଦସ୍ତାବିଜ୍ରେ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଏକ ଜାତୀୟ ଅର୍ଥନୈତିକ ସମ୍ପତ୍ତି ବୋଲି ବର୍ଣ୍ଣନା କରିବା ସହିତ ସେମାନଙ୍କୁ ତଦନୁରୂପ ନିଯୁକ୍ତି ପ୍ରଦାନ ଏବଂ ନିୟୋଜିତ କରିବା ଉଚିତ ବୋଲି ଅଭିହିତ କରିଛନ୍ତି । ସେଥିରେ ଆହୁରି ଦର୍ଶାଯାଇଛି, “ଦ୍ରୁତ ହାରରେ ବୃଦ୍ଧି ପାଉଥିବା ଏହି ସଂପ୍ରଦାୟର ଉଦ୍ୟମୀ ମନୋଭାବ, ବିଶେଷତଃ ନୂଆ କିଛି କରିବା ଏବଂ ବିପଦପୂର୍ଣ୍ଣ ସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କ ଇଚ୍ଛାଶକ୍ତି ଏବଂ ଭାରତୀୟ ବଜାର ସଂପର୍କିତ ଜ୍ଞାନର ଉପଯୋଗ ବଳରେ ଭବିଷ୍ୟତରେ ଅଷ୍ଟ୍ରେଲିଆର ବ୍ୟବସାୟିକ କ୍ଷେତ୍ରର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ।” ସେମାନଙ୍କର ଅର୍ଥନୈତିକ ଏବଂ ରାଜନୈତିକ ବୈଶିଷ୍ଟ୍ୟ କାରଣରୁ ସେମାନେ ରହୁଥିବା ଦେଶଗୁଡ଼ିକରେ ଭାରତ ପାଇଁ ଏକ ପ୍ରଭାବଶାଳୀ ଭୂମିକାର ସୁଯୋଗ ସୃଷ୍ଟି କରିଛି । ଆଜି ସେମାନେ ଶୀର୍ଷ ସ୍ଥାନୀୟ ବହୁ ଦେଶୀୟ କମ୍ପାନୀର ମୁଖ୍ୟ ପଦବୀରେ ରହି ନିଜ ଦେଶର ଗୌରବ ବଢ଼ାଇବା ସହିତ ଅନେକ ସମୟରେ ଭାରତକୁ ବୈଷୟିକ ଜ୍ଞାନକୌଶଳ ଏବଂ ପୁଞ୍ଜି ନିବେଶ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଭାରତର ପ୍ରଗତି ଏବଂ ଆର୍ଥିକ କ୍ଷେତ୍ରରେ ପୁଞ୍ଜି ନିବେଶ ଦିଗରେ ସେମାନଙ୍କର ବୃହତ ଅବଦାନ ରହିଛି । ଅଧିକନ୍ତୁ, ପ୍ରତିବର୍ଷ ସେମାନେ ଭାରତକୁ ପଠାଉଥିବା 60 ଶହ କୋଟି ଆମେରିକୀୟ ଡଲାର ଯୋଗୁଁ ବୈଦେଶିକ ମୁଦ୍ରା ପାଣ୍ଠି ଆକାରରେ ଭାରତର ଅର୍ଥନୀତି ମଧ୍ୟ ଦୃଢ଼ ସ୍ଥିତି ସ୍ଥାପକତା ହାସଲ କରୁଛି ।
ତଥାପି, ଶାରୀରିକ ଶ୍ରମ ଭିତ୍ତିକ କର୍ମ କ୍ଷେତ୍ରରେ, ବିଶେଷତଃ ଉପସାଗରୀୟ ଦେଶ ସମୂହରେ, ଶୋଷଣ ଏବଂ ଉତ୍ପୀଡ଼ନର ଏକ ଘୃଣିତ ଅଧ୍ୟାୟ ବି ରହିଛି । ଏହାର ମୁଖ୍ୟ କାରଣ ହେଲା ଆଇନ ଓ ଅଧିକାର ସଂପର୍କରେ ଅଜ୍ଞତା, ଅବିବେକୀ ମାନବଶକ୍ତି ଏଜେଣ୍ଟ ଏବଂ କେବେ କେମିତି ସହୃଦୟତାହୀନ ନିଯୁକ୍ତିଦାତା ବି ଏହାର କାରଣ ହୋଇଥାଆନ୍ତି । କଥାରେ ଅଛି, ଭିକାରୀଙ୍କର ପସନ୍ଦ ବୋଲି କିଛି ନଥାଏ ଏବଂ ଏହା ସେମାନଙ୍କ ପାଇଁ ପ୍ରଯୁଜ୍ୟ । ଅଧିକାଂଶ କ୍ଷେତ୍ରରେ ଏହାର କାରଣ ହେଉଛି, ପାଶ୍ଚାତ୍ୟ ଦେଶରେ ଚାକିରି କରିବା ଲାଗି ଅନେକ ସ୍ବପ୍ନବିଳାସୀ ଯୁବକ ଆତୁର ହୋଇଉଠନ୍ତି ଏବଂ ଶେଷରେ ଯେତେବେଳେ ସେମାନେ ଅବୈଧ ବିଦେଶୀ ନାଗରିକରେ ପରିଣତ ହୁଅନ୍ତି ସେମାନଙ୍କର ଦୁଃସ୍ବପ୍ନ ଆରମ୍ଭ ହୋଇଯାଏ ।
ଉପସାଗରୀୟ ଦେଶ ସମୂହରେ କାର୍ଯ୍ୟ କରିବାକୁ ଅନୁମତି ପତ୍ର/ଇକାମାରେ ପ୍ରାୟତଃ କାମ ଛାଡ଼ି ଚାଲିଯିବା ଉପରେ ପ୍ରତିବନ୍ଧକ ମୂଳକ ସର୍ତ୍ତ ରହିଥାଏ ଏବଂ ଏକ ପାଖିଆ ଚୁକ୍ତି ହୋଇଥାଏ । ଭାରତ ସରକାରଙ୍କ ପାସ୍ପୋର୍ଟ ଆଇନର ଉଲ୍ଲଂଘନ ପୂର୍ବକ ଅନେକ ସମୟରେ ସେମାନଙ୍କ ପାସ୍ପୋର୍ଟକୁ ଅନେକ ନିଯୁକ୍ତିଦାତା (କାଫିଲ୍) ରଖି ଦିଅନ୍ତି । କିନ୍ତୁ ସମସ୍ୟା ଦେଖାଦେଲେ ନିଜ ପରିଚୟର ପ୍ରମାଣ ଦେବାକୁ ଆପଣଙ୍କ ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖନ୍ତୁ । ଅନେକ ସମୟରେ ମଧ୍ୟସ୍ଥମାନେ ପ୍ରକୃତ ତଥ୍ୟକୁ ଲୁଚାଇ, ବିଚରା ଚାକିରି ଆଶାୟୀମାନଙ୍କ ଆଗରେ ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିଥାଆନ୍ତି । ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ସାଧନ କେନ୍ଦ୍ରର ପରାମର୍ଶ ଲୋଡ଼ିବା ଉଚିତ ଏବଂ ଯାତ୍ରା ଓ ଚୁକ୍ତି ସଂପର୍କିତ ସମସ୍ତ କାଗଜପତ୍ରର ନକଲ ଘରେ ମଧ୍ୟ ରଖିବା ଉଚିତ । ଭାରତରେ ସଂପୃକ୍ତ ସଂସ୍ଥାଗୁଡ଼ିକ ନିକଟରୁ ଉପଯୁକ୍ତ ଦିଗ୍ଦର୍ଶନ ପାଇବା ଏବଂ ଆରବିକ୍ ଭାଷାରେ କିଛି ଶବ୍ଦ ଓ ବାକ୍ୟ ଶିଖିବା ମଧ୍ୟ ଆବଶ୍ୟକ । ଚାକିରି ପାଇଁ ବିଦେଶକୁ ଯାଉଥିବା ଏହି ବର୍ଗର ଭାରତୀୟମାନଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କ ପାସପୋର୍ଟରେ “ଏମିଗ୍ରେସନ୍ କ୍ଲିଅରାନ୍ସ ରିକ୍ବାୟାର୍ଡ” ବା ବିଦେଶ ଅବସ୍ଥାନର ଅନୁମତି ଆବଶ୍ୟକ ବୋଲି ଲେଖା ରହିଥିବା ଷ୍ଟାମ୍ପ୍ ଦିଆଯାଏ । ଆବଶ୍ୟକ ଯାଞ୍ଚ କରିବା ପରେ, ସଂପ୍ରତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଅବସ୍ଥାପିତ ପ୍ରୋଟେକ୍ଟୋରେଟ୍ ଜେନେରାଲ ଅଫ୍ ଏମିଗ୍ରାଣ୍ଟ୍ସ ଏହା ଦେଇଥାଆନ୍ତି ।
ବ୍ୟୁରୋ ଅଫ୍ ଇମିଗ୍ରେସନ୍ ସହଯୋଗରେ “ଇ-ମାଇଗ୍ରେଟ୍” ପଦ୍ଧତିରେ ଏକ ଡାଇନାମିକ୍ ଡାଟାବେସ୍ ପରିଚାଳିତ ହୁଏ, ଯେଉଁଥିରେ କି ବିଦେଶୀ ନିଯୁକ୍ତିଦାତାଙ୍କୁ ଉତ୍ତରଦାୟୀ କରିବା ଲାଗି ସେମାନଙ୍କର ପଞ୍ଜୀକରଣ ମଧ୍ୟ କରାଯାଇଥାଏ । ବିଦେଶରେ ଫସି ଯାଇଥିବା ଭାରତୀୟମାନଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ ଲାଗି ଭାରତୀୟ ଦୂତାବାସରେ ଇଣ୍ଡିଆନ କମ୍ୟୁନିଟି ୱେଲ ଫେୟାର ଫଣ୍ଡ୍ ନାଁ ରେ ଏକ ପାଣ୍ଠି ରହିଛି । ଏହି ପାଣ୍ଠିରୁ ସେମାନଙ୍କୁ ଅନ୍ତରୀଣ ସହାୟତା ଏବଂ ତୁରନ୍ତ ସହାୟତା ପ୍ରଦାନ କରାଯାଏ ଏବଂ ସମସ୍ୟାର ସମାଧାନ ଲାଗି ସମ୍ପୃକ୍ତ ନିଯୁକ୍ତିଦାତା ଏବଂ ସ୍ଥାନୀୟ ସରକାରୀ ସଂସ୍ଥା ସହ ଯୋଗାଯୋଗ ସ୍ଥାପନ କରାଯାଏ ।