ପୂର୍ବ ଲଦାଖରେ ଅଚଳାବସ୍ଥାର ଶହେ ଦିନ ପରେ ବି କ୍ରମଶଃ ଏହା ସ୍ପଷ୍ଟ ହେଉଛି ଯେ, ସୀମାନ୍ତରେ ପୂର୍ବାବସ୍ଥା ବଜାୟ ରଖିବାକୁ ଭାରତର ଦାବି ଗ୍ରହଣ କରିବାରେ ଚୀନ୍ ବିଶେଷ ଆଗ୍ରହ ଦେଖାଉନାହିଁ। ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଆଗରେ ସେନା ବାହିନୀ ମୁଖ୍ୟ ରଖିଥିବା ବିବୃତିରୁ ଏହା ପ୍ରତୀୟମାନ ହେଉଛି। ସେ କହିଥିଲେ ଯେ, ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଯେକୌଣସି ସ୍ଥିତିର ସାମନା କରିବାକୁ ଦେଶର ସେନାବାହିନୀ ପ୍ରସ୍ତୁତ ରହିଛି ଏବଂ ସବୁଠାରୁ କଠିନ ଶୀତ ଋତୁରେ ମଧ୍ୟ ଲମ୍ବା ଯୁଦ୍ଧ ପାଇଁ ସେନା ପ୍ରସ୍ତୁତ।
ଶୀତ ଦିନ କଥା ଉଲ୍ଲେଖ କରି ଆଗକୁ ଲଦାଖରେ ସେନା ମୁତୟନ ବେଳେ କେଉଁସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ତାହା ଦର୍ଶାଇଛନ୍ତି। ପ୍ରବଳ ଥଣ୍ଡା ଭିତରେ ଯବାନମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ, ଯେଉଁ ସମୟରେ ଲଦାଖରେ ଅକ୍ସିଜେନ ସ୍ତର ଆମର ସାଧାରଣ ସହରରେ ରହୁଥିବା ସ୍ତରରୁ ପାଖାପାଖି ଅଧାରୁ କମେ ରହିଥାଏ। ସବୁ କିଛି ସେଠାରେ ବରଫ ପାଲଟି ଯାଉଥିବାରୁ ଏପରିକି ମୌଳିକ ଆବଶ୍ୟକତା ପାଣି ମଧ୍ୟ ମିଳିବା କଷ୍ଟକର ହୋଇଥାଏ। ପ୍ରତିବର୍ଷ ଶୀତ ଋତୁରେ ପାଖାପାଖି 5ରୁ 6 ମାସ ଯାଏଁ ଲଦାଖ ଦେଶର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ। ରୋହତଗ ଏବଂ ଜୋଜିଲା ଦେଇ ଲଦାଖକୁ ଯାଇଥିବା ଦୁଇଟି ରାସ୍ତା ପୂରା ବରଫ ତଳେ ବୁଡ଼ି ହୋଇ ରହିଥାଏ।
ଶୀତଦିନ ପ୍ରକୃତରେ ଯବାନମାନଙ୍କ ପାଇଁ ସେଠାରେ ବଡ଼ କଠିନ ସମୟ। ରାସ୍ତାଘାଟ ବନ୍ଦ ଥିବା ସମୟରେ ଲଦାଖରେ ମୁତୟନ ସେନା ବାହିନୀ କିପରି ପୂରା ସଜାଗ ହୋଇ ରହିପାରିବେ ଏବଂ ସେମାନଙ୍କ ନିକଟରେ ଆବଶ୍ୟକ ସମସ୍ତ ଜରୁରୀ ସାମଗ୍ରୀ ପହଞ୍ଚି ପାରିବ ସେସବୁ ପରିଚାଳନା କରିବା ପ୍ରକୃତପକ୍ଷେ ସେନା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ପ୍ରତିବର୍ଷ ଶୀତ ଦିନେ ଲଦାଖରେ ଯବାନଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ସେନା ପାଇଁ ସବୁଠାରୁ ଏକ ବଡ଼ କାମ, ଯାହାକୁ ‘ଆଡଭାନସ ୱିଣ୍ଟର ଷ୍ଟକିଙ୍ଗ’ (AWS) ଭାବେ କୁହାଯାଏ। ଲଦାଖ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଏହି 6-ମାସରେ ସୈନ୍ୟମାନଙ୍କ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଯୋଗାଡ଼ କରିବା ଏବଂ ଏହାକୁ ସେମାନଙ୍କ ନିକଟରେ ପହଞ୍ଚାଇବା କାମ ଏହି ଯୋଜନା ଅଧିନରେ କରାଯାଇଥାଏ।
ଅନେକ ମାସ ଆଗରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଟୁଥବ୍ରସଠାରୁ ନେଇ ଲୁଗାପଟା, ଡବାରେ ଭରି ରହିଥିବା ଖାଦ୍ୟ, ରେସନ ସାମଗ୍ରୀ, ଇନ୍ଧନ, ମେଡିସିନ, ଅସ୍ତ୍ରଶସ୍ତ୍ର, ସିମେଣ୍ଟ, ଆଶ୍ରୟସ୍ଥଳୀ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆବଶ୍ୟକତାକୁ ଦେଖି ଏକ ତାଲିକା କରାଯାଏ। ଏପରିକି ସୀମା ସଡ଼କ ସଂଗଠନ (ବିଆରଓ) ଲଦାଖକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରୁ ବରଫ ସଫା କରିବା କାମରେ ଲାଗି ପଡ଼ନ୍ତି। ପଠାଣକୋଟ ଏବଂ ଜାମ୍ମୁ ଡିପୋରେ ବିଭିନ୍ନ ସାମଗ୍ରୀ ମହଜୁଦ କରି ରଖାଯାଇଥାଏ।
ପାଖାପାଖି ମେ ମାସ ବେଳକୁ ରାସ୍ତା ଗାଡ଼ିମୋଟର ଚଳାଚଳ ପାଇଁ ଖୋଲାଯିବା ଘୋଷଣା କରାଯିବା ପରେ ଗଚ୍ଛିତ ସାମଗ୍ରୀ ନେଇ ସେନା ବାହିନୀର ବିଭିନ୍ନ ଗାଡ଼ି ପ୍ରଥମେ ଲଦାଖ ଅଭିମୁଖେ ଯାତ୍ରା କରିଥାଏ। ଭାୟା ଜୋଜି ଲା ଦେଇ ଲଦାଖରେ ପହଞ୍ଚି ଫେରିବାକୁ ଦଶ ଦିନ ଲାଗୁଥିବା ବେଳେ ରୋହତଙ୍ଗ ରୁଟରେ ଯିବା ଆସିବା ପାଇଁ 14 ଦିନ ଲାଗିଥାଏ। ଏହି ଦୁଇ ମାର୍ଗରେ ରାତିରେ ଚାଳକମାନଙ୍କ ବିଶ୍ରାମ ପାଇଁ ଟ୍ରାଞ୍ଜିଟ୍ କ୍ୟାମ୍ପ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଏ।
ଦୁଇ ସପ୍ତାହର ଯାତ୍ରାରେ ଜଣେ ଗାଡ଼ି ଚାଳକ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରେ ଶୋଇ ବିଶ୍ରାମ ନେବା ପରେ ପରଦିନ ସକାଳୁ ଯାତ୍ରା ଆରମ୍ଭ କରିଥାଏ। ଗୋଟିଏ ଟ୍ରିପରୁ ଅନ୍ୟ ଏକ ଟ୍ରିପ୍ ମଧ୍ୟରେ ଦୁଇ ଦିନ ବିଶ୍ରାମ ମିଳେ। ପରବର୍ତ୍ତୀ ଛଅ ମାସ ପାଇଁ ଚାଳକଙ୍କ ସକାଶେ ଏହା ନିୟମିତ କାମ ହୋଇଥାଏ। ଜଣେ ଚାଳକ ଗୋଟିଏ ସିଜନରେ କଷ୍ଟକର ପାହାଡିଆ ରାସ୍ତାରେ ପ୍ରାୟ 10 ହଜାର କିଲୋମିଟର ଗାଡ଼ି ଚାଳନା କରିଥାଏ। ସେନାବାହିନୀର ପରିବହନ ସେବାକୁ ଭଡାରେ ଆସିଥିବା ବେସାମରିକ ଟ୍ରକ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନର ତେଲ ଟ୍ୟାଙ୍କର ଗୁଡ଼ିକ ସହାୟତା କରିଥାନ୍ତି।