ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବଢିଛି ତିକ୍ତତା । ଯାହାର ଫଳସ୍ବରୂପ ଚାଇନା ସାମଗ୍ରୀ ଦେଶରେ ବୟକଟ କରାଯାଉଛି । ଏହି ପରିପ୍ରକ୍ଷୀରେ ନିକଟରେ କେନ୍ଦ୍ର ସରକାର 59ଟି ଚାଇନା ଆପ୍କୁ ଦେଶରେ ବ୍ୟାନ କରିଛନ୍ତି । ଆପ୍ ଗୁଡିକ ବ୍ୟାନ କରିବାର ମାତ୍ର ସପ୍ତାହ ନପୁରୁଣୁ ସ୍ବଦେଶୀ ଆପ୍ର ବଢିଛି ଚାହିଦା । ଟିକଟକ୍କୁ ଚ୍ୟାଲେଞ୍ଜ ଦେଉଥିବା ଭାରତର ସେୟାର ଚାର୍ଟ ଆପର ଡିମାଣ୍ଡ ଢେର ଅଧିକ ରହିଛି । ତେବେ ସେୟାର ଚାର୍ଟର ସର୍ଟ ଭିଡିଓ ଆପ୍ ଏମଓଜି ଏମଧ୍ୟରେ 50 ଲକ୍ଷରୁ ଊର୍ଦ୍ଧ୍ବ ୟୁଜର ଡାଉନଲୋଡ କରିସାରିଛନ୍ତି । ସେହିପରି ଲାଇଫଷ୍ଟାଇଲ ଆପ୍ ଗୁଡିକ ମାତ୍ର 5ଦିନରେ 1.2କୋଟିରୁ ଊର୍ଦ୍ଧ୍ବ ୟୁଜର ଡାଉନଲୋଡ କରିଛନ୍ତି ।
ନଜର ପକାନ୍ତୁ ସ୍ବଦେଶୀ ଆପ୍ର ଲୋକପ୍ରିୟତା ସମ୍ପର୍କରେ...
ସେୟାର ଚାର୍ଟ: ସେୟାର ଚାର୍ଟ ଆପର ଲୋକପ୍ରିୟତା ଶୀର୍ଷରେ ରହିଛି । ଦୈନିକ ଲକ୍ଷ ଲକ୍ଷ ଲୋକେ ଏହି ଆପ୍ଟିକୁ ଡାଉନଲୋଡ କରୁଛନ୍ତି । ମାତ୍ର ଛଅ ଦିନରେ 3.5କୋଟିରୁ ଊର୍ଦ୍ଧ୍ବ ୟୁଜର ଏହି ପ୍ଲାର୍ଟଫର୍ମରେ ଯୋଡି ହୋଇଛନ୍ତି । ଦେଶରେ ହ୍ୟାଲୋ ଓ ଟିକଟକ୍ ଆପ ବ୍ୟାନ ହେବା ପରେ ତାହାର ସିଧାସଳଖ ପ୍ରଭାବ ପଡିଛି ସେୟାର ଚାର୍ଟ ଉପରେ । ସୂଚନା ଅନୁସାରେ, ଦେଶରେ 20 କୋଟି ଊର୍ଦ୍ଧ୍ବ ଲୋକେ ଟିକଟକ୍ ବ୍ୟବହାର କରୁଥିବା ବେଳେ 11.5 କୋଟି ଲୋକେ ଲାଇକ ଆପ୍ ବ୍ୟବହାର କରୁଥିଲେ ।
ରୋପୋସୋ ଆପ୍: ଭିଡିଓ ସେୟାରିଂ ଆପ୍ ରୋପୋସୋ ଆପ୍କୁ ଦେଶରେ ମିଳିଛି ଢେର୍ ଲୋକପ୍ରିୟତା । ପ୍ରତି ଘଣ୍ଟାରେ ଲକ୍ଷ ଲକ୍ଷ ୟୁଜର ଏହି ଆପ୍ ଡାଉନଲୋଡ କରୁଛନ୍ତି । ଏମଧ୍ୟରେ ଏହି ଆପ୍କୁ 2.5କୋଟି ଲୋକ ଡାଉନଲୋଡ କରିଛନ୍ତି ।