ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ଜାରି ରହିଛି ଲଗାଣ ବର୍ଷାର ତାଣ୍ଡବ । ଏଠାକାର ଉତ୍ତରକାଶୀରେ ବାଦଲ ଫଟା ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି । ଏହା ଯୋଗୁଁ ଏଠାକାର ଟୋନ୍ସ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଯାହା ଫଳରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ବିପନ୍ନଙ୍କୁ ସହାଯ୍ୟ କରିବାକୁ ପହଞ୍ଚିଛି ଭାରତୀୟ ବାୟୁସେନା।
ବନ୍ୟାବିପନ୍ନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ରିଲିଫ ପ୍ରଦାନ - ବାଦଲ ଫଟା ବର୍ଷା
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଏଠାକାର ଟୋନ୍ସ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ତେବେ ବନ୍ୟା ବପନ୍ନଙ୍କୁ ରିଲିଫ ପ୍ରଦାନ କରିବାକୁ ପହଞ୍ଚିଛି ଭାରତୀୟ ବାୟୁସେନା ।
ଭାରତୀୟ ବାୟୁସେନା ଏକ ହେଲିକ୍ୟାପ୍ଟର ଯୋଗେ ଜୋଲିଗ୍ରାଣ୍ଟରୁ ଉତ୍ତରକାଶୀର ମୋରି ବ୍ଲକରେ ରିଲିଫ ବାଣ୍ଟିବାକୁ ବାହାରିଛନ୍ତି । ବନ୍ୟା ବିପନ୍ନଙ୍କୁ ଖାଦ୍ୟ ଯୋଗାଉଛି ବାୟୁସେନା। ଲଗାଣ ବର୍ଷା ଯୋଗୁଁ ଉତ୍ତର ଭାରତର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଟୋନ୍ସ ନଦୀ ଯମୁନାର ସହାୟକ ନଦୀ । ସେପଟେ ଯମୁନାର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ସମସ୍ତ ସହାୟକ ନଦୀରେ ବନ୍ୟା ପରିସ୍ଥିତି ସମ୍ଭାବନା ସୃଷ୍ଟି ହୋଇଛି। ଏହି ବନ୍ୟାରେ ମୋରୀ ଅଞ୍ଚଳରେ ଥିବା 20 ଘର ସହିତ 18 ଲୋକେ ଭାସିଯାଇଥିବା ଖବର ମିଳିଛି ।
ଉତ୍ତରକାଶୀର ମୋରୀ ତହସିଲ ଅଧିନସ୍ଥ ବଙ୍ଗାନ୍, ଆରାକୋଟର ଟିକୋଚୀରେ ସର୍ବାଧିକ ପରିମାଣରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଏଠାକାର ଲୋକେ ଭୟଭୀତ ହୋଇ ପଡିଛନ୍ତି । ମୌଣ୍ଡା, ଚିମ୍ବା, ଗୋକୁଲ ସମେତ ଅନେକ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।