ଓଡିଶା

odisha

ETV Bharat / bharat

ଭେଣ୍ଟିଲେଟର ଉତ୍ପାଦନ ବଢ଼ାଇବ ଭାରତ - ବିଶ୍ବକୁ କୋଭିଡ୍‌-19ର ପ୍ରାଦୁର୍ଭାବ

କୋଭିଡ୍‌-19ର ପ୍ରାଦୁର୍ଭାବ ଯୋଗୁଁ ବିଶ୍ବରେ ଭେଣ୍ଟିଲେଟର୍‌ର ଚାହିଦା ବୃଦ୍ଧି ପାଇଛି । ଆଉ ଭାରତରେ ଏହାର ଚାହିଦା ମେଣ୍ଟାଇବାକୁ ଅଗ୍ରଣୀ ଡାକ୍ତରୀ ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

VENTILATOR PRODUCTION
ଭେଣ୍ଟିଲେଟର ଉତ୍ପାଦନ ବଢ଼ାଇବ ଭାରତ

By

Published : Apr 21, 2020, 3:57 PM IST

ସାରା ବିଶ୍ବକୁ କୋଭିଡ୍‌-19ର ପ୍ରାଦୁର୍ଭାବ ଆଚ୍ଛାଦିତ କରିଥିବା ସମୟରେ ଭେଣ୍ଟିଲେଟର୍‌ର ଚାହିଦା ବୃଦ୍ଧି ପାଇଛି । ଆମ ଦେଶରେ ବ୍ୟବହାର କରିବା ସକାଶେ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ବିଭିନ୍ନ ଅଗ୍ରଣୀ ଡାକ୍ତରୀ ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସ୍ବଳ୍ପ ମୂଲ୍ୟରେ ଏହି ସବୁ ମେସିନ୍‌ର ଡିଜାଇନ୍‌ ପ୍ରସ୍ତୁତି ଦିଗରେ ଗବେଷଣା ଜାରି ରହିଛି ।

ନୋଭେଲ କରୋନା ଭାଇରସ୍‌ ଶ୍ବାସନଳୀର ଉପର ଭାଗକୁ ଆକ୍ରମଣ କରେ ଏବଂ ଏହା ଫଳରେ ଶ୍ବାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥାଏ । ଫଳରେେ 3 ପ୍ରତିଶତ କରୋନା ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଭାରତରେ ବର୍ତ୍ତମାନ 60,000 ଭେଣ୍ଟିଲେଟର ଉପଲବ୍‌ଧ । ଏଥିରୁ 10,000ରୁ କମ୍‌ ଭେଣ୍ଟିଲେଟର ବିଭିନ୍ନ ସରକାରୀ ହାସ୍ପିଟାଲ ରହିଛି । ସଂପ୍ରତି ଆକଳନ କରାଯାଇଛି ଯେ, ଭାରତରେ ଲକ୍ଷେ 10 ହଜାରରୁ 2 ଲକ୍ଷ 20 ହଜାର ଭେଣ୍ଟିଲେଟର ଆବଶ୍ୟକ ।

ନିୟମିତ ଭାବରେ ଏଥିପାଇଁ ଆବଶ୍ୟକ ବିଭିନ୍ନ ଯନ୍ତ୍ରାଂଶ ଆମଦାନୀ କରାଗଲେ ଆମେ ମାସକୁ 5,500 ଭେଣ୍ଟିଲେଟର ଉତ୍ପାଦନ କରିପାରିବୁ । ଆମ ଦେଶରେ ଗତ ଫେବ୍ରୁଆରୀରେ 2,700 ଏବଂ ମାର୍ଚ୍ଚରେ 5,580 ଭେଣ୍ଟିଲେଟର ତିଆରି କରାଯାଇଥିଲା । ମେ ମାସ ସୁଦ୍ଧା ଭେଣ୍ଟିଲେଟର ଉତ୍ପାଦନ କ୍ଷମତା ମାସକୁ 50,000 କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ଦେଶ ଭିତରେ ତିଆରି ଭେଣ୍ଟିଲେଟରର ମୂଲ୍ୟ 5 ଲକ୍ଷରୁ 7 ଲକ୍ଷ ଟଙ୍କା ହୋଇଥିବା ବେଳେ ବିଦେଶରୁ ଆମଦାନି ଭେଣ୍ଟିଲେଟର୍‌ର ମୂଲ୍ୟ 11 ଲକ୍ଷରୁ 18 ଲକ୍ଷ ଟଙ୍କା ଭିତରେ ହୋଇଥାଏ ।

ଭେଣ୍ଟିଲେଟର ଦୁଇ ପ୍ରକାରର । ବିଭିନ୍ନ ଆଇସିୟୁରେ ମାଇକ୍ରୋପ୍ରୋସେସର ଭିତ୍ତିକ ଥାର୍ଡ-ଜେନେରସନ୍‌ ଭେଣ୍ଟିଲେଟର ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ । ସେହିଭଳି, ଜରୁରୀକାଳୀନ ସ୍ଥିତିରେ ଆର୍ଟିଫିସିଆଲ ମ୍ୟାନୁଆଲ ବ୍ରିଦିଂ ୟୁନିଟ୍‌ କିମ୍ବା ବ୍ୟାଗ୍‌ ଭାଲ୍‌ଭ ମାସ୍କ ଭେଣ୍ଟିଲେଟର ଉପଯୋଗୀ ହୋଇଥାଏ । ଆମ୍ବୁ ବ୍ୟାଗ୍‌ ନାମରେ ମଧ୍ୟ ପରିଚିତ ଏହି ଭେଣ୍ଟିଲେଟର ଖୁବ୍‌ କମ ମୂଲ୍ୟରେ ମିଳେ । ଏଥିରେ ସ୍ବୟଂକ୍ରିୟ ଭାବେ ସ୍ଫୀତ ହେଉଥିବା ବ୍ୟାଗ୍‌ ଏବଂ ଆବଶ୍ୟକତା ଅନୁସାରେ ରୋଗୀଙ୍କ ସଠିକ୍‌ ଶ୍ବାସକ୍ରିୟା କରାଇବା ଲାଗି ହାତରେ ଧରି ହେଉଥିବା ଏକ ଯନ୍ତ୍ର ଥାଏ ।

କଂପ୍ରେସର ମେସିନ୍‌ ଉପଲବ୍‌ଧ ହେଉଥିବାରୁ ଯାନ୍ତ୍ରିକ ଉପାୟରେ ମଧ୍ୟ ଏଗୁଡ଼ିକର ପରିଚାଳନା କରାଯାଇପାରେ । ମାସକୁ 2,000 ଭେଣ୍ଟିଲେଟର ଉତ୍ପାଦନ କରୁଥିବା ‘ସ୍କାନ୍‌ରେ’ କମ୍ପାନୀ ସହିତ ଏବେ ବିଇଏଲ୍‌, ବିଏଚ୍‌ଇଏଲ୍‌ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି କମ୍ପାନୀ ହାତ ମିଳାଇଛନ୍ତି । ମେ ମାସ ସୁଦ୍ଧା ଭେଣ୍ଟିଲେଟର ଉତ୍ପାଦନ କ୍ଷମତା 30,000କୁ ବୃଦ୍ଧି ପାଇବ । ସେହିଭଳି, ମାରୁତି ସୁଜୁକି ଇଣ୍ଡିଆ କମ୍ପାନୀ ମଧ୍ୟ ଆଗ୍‌ଭା ହେଲ୍‌ଥକେୟାର ସହ ଅଂଶୀଦାର ହେବାକୁ ପ୍ରସ୍ତୁତ ।

ବର୍ତ୍ତମାନ ସ୍ଥିତିରେ ଆଗ୍‌ଭା କମ୍ପାନୀର ଉତ୍ପାଦନ କ୍ଷମତା 400ରୁ 10,000କୁ ବଢ଼ାଇବା ଲାଗି ପ୍ରୟାସ କରାଯାଉଛି । ଭେଣ୍ଟିଲେଟର ସଙ୍କଟ ଏଡ଼ାଇ ଯିବା ସକାଶେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ବା ଡିଆର୍‌ଡିଓ ଏବଂ ଭାରତୀୟ ରେଳବାଇ ସମେତ ଦେଶର ବିଭିନ୍ନ ବୈଷୟିକ, ଡାକ୍ତରୀ ଏବଂ ଶିକ୍ଷାନୁଷ୍ଠାନ ଆଗେଇ ଆସିଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସେମାନେ ବିଭିନ୍ନ ଡିଜାଇନ୍‌ର ଭେଣ୍ଟିଲେଟର ନମୁନା ପ୍ରସ୍ତୁତ କରିଛନ୍ତି । ବିଶେଷତଃ ଡିଆର୍‌ଡିଓ, କମ୍‌ ଖର୍ଚ୍ଚରେ ଉଚ୍ଚ କ୍ଷମତାସଂପନ୍ନ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । କେତେକ ଭେଣ୍ଟିଲେଟର୍‌ ମଡେଲ୍‌ର ଡିଜାଇନ୍‌ ପ୍ରସ୍ତୁତ ହୋଇଥିବା ବେଳେ ଆଉ କେତେକର ନିର୍ମାଣ କରାଯାଉଛି ।

ଆମ୍ବୁ ବ୍ୟାଗ୍‌ ଜ୍ଞାନକୌଶଳ ପ୍ରୟୋଗ କରି ଶ୍ରୀ ଚିତ୍ରା ତିରୁନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ଟେକ୍‌ନୋଲୋଜି ଏକ ଭେଣ୍ଟିଲେଟର ମଡେଲ ପ୍ରସ୍ତୁତ କରିଛି । ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅନୁମୋଦନକ୍ରମେ ଭେଣ୍ଟିଲେଟର ଉତ୍ପାଦନ ଲାଗି ଏହି ସଂସ୍ଥା ୱିପ୍ରୋ 3ଡି ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି । ଆମ୍ବୁ ବ୍ୟାଗ୍‌ ୟୁନିଟ୍‌ ଚଳାଇବା ଲାଗି ହାଇଦ୍ରାବାଦର ନେକ୍‌ସଟବାଇଟ୍‌ ଟେକ୍‌ନୋଲୋଜି ଏକ ବିଦ୍ୟୁତ ଚାଳିତ ଯନ୍ତ୍ର ନିର୍ମାଣ କରିଛି । ଏବେ ଏହାର ମୂଲ୍ୟ 4,000 ଟଙ୍କା ରଖାଯାଇଛି । ଚଣ୍ଡୀଗଡ଼ସ୍ଥିତ ପିଜିଆଇଏମ୍‌ଆର୍‌ର ସହକାରୀ ପ୍ରାଧ୍ୟାପକ ରାଜୀବ ଚୌହାନ ମଧ୍ୟ ଅନୁରୂପ ଏକ ସ୍ବୟଂଚାଳିତ ଆମ୍ବୁ ବ୍ୟାଗ୍‌ ୟୁନିଟ୍‌ ଡିଜାଇନ୍‌ କରିଛନ୍ତି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମଧ୍ୟ ଏକ ଆମ୍ବୁ ବ୍ୟାଗ୍‌ ଭେଣ୍ଟିଲେଟରର ନମୁନା ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି । ମାର୍ଚ୍ଚ ମାସରେ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂସ୍ଥା ଏକ ଭେଣ୍ଟିଲେଟର ମଡେଲ ଉନ୍ମୋଚନ କରିଛି । ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ସହଯୋଗରେ ଡିଆର୍‌ଡିଓ 5,000 ୟୁନିଟ୍‌ ଭେଣ୍ଟିଲେଟ୍‌ର ନିର୍ମାଣ କରିବାକୁ ଯାଉଛି । କପୁରତଲାର ରେଳଡବା ନିର୍ମାଣ କାରଖାନାରେ ଭାରତୀୟ ରେଳବାଇ ପକ୍ଷରୁ ମଧ୍ୟ ଜୀବନ ନାମକ ଏକ ସ୍ବଳ୍ପ ଦରର ଭେଣ୍ଟିଲେଟର ମଡେଲ ପ୍ରସ୍ତୁତ କରାଯାଇଛି ।

ବିନା କମ୍ପ୍ରେସରରେ ଏହାର ମୂଲ୍ୟ 10,000 ଟଙ୍କା ରଖାଯାଇଛି । ଭାରତୀୟ ଭେଷଜ ଗବେଷଣା ସଂସ୍ଥା ବା ଆଇସିଏମ୍‌ଆର୍‌ର ଅନୁମୋଦନ ଲାଭ କରିବା ପରେ ସେମାନେ ମାସକୁ 100ଟି ଭେଣ୍ଟିଲେଟର ପ୍ରସ୍ତୁତ କରିବେ ବୋଲି ରେଳବାଇ ଅଧିକାରାମାନେ କହିଛନ୍ତି । ହାଇଦ୍ରାବାଦର ଆଇଆଇଟିରେ ସ୍ଥାପିତ ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ ବା ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଇଣ୍ଟରନେଟ୍‌ ସଂଯୁକ୍ତ ଉପକରଣ ବ୍ୟବହାର କରି ଜୀବନ ଲାଇଟ୍‌ ନାମକ ଏକ ସ୍ବଳ୍ପ ମୂଲ୍ୟର ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି ।

ABOUT THE AUTHOR

...view details