ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବାର୍ଷିକ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବାର ଯୋଜନା କରୁଛି ଭାରତ । ଏହି ଯୁଦ୍ଧାଭ୍ୟାସ ଜରିଆରେ ଉଭୟ ଦେଶ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ନେଇ ଯୋଜନା ଚାଲିଛି । ତେବେ ଭାରତର ଏଭଳି ନିଷ୍ପତ୍ତି ଚୀନକୁ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ତେବେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ଏହି ଯୁଦ୍ଧାଭ୍ୟାସରେ ଆମନ୍ତ୍ରିତ କରିବାକୁ ଯୋଜନା କରିଛି । ଏହି ଯୁଦ୍ଧାଭ୍ୟାସରେ ପ୍ରଥମ ଥର ପାଇଁ କ୍ୱାଡ ନାମରେ ଜଣାଶୁଣା ଆଞ୍ଚଳିକ ଗୋଷ୍ଠୀର ସମସ୍ତ ସଦସ୍ୟ ସାମିଲ ହେବେ । ତେବେ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ଜାରି ସୀମା ବିବାଦ ମଧ୍ୟରେ ଭାରତର ଏଭଳି ନିଷ୍ପତ୍ତି ଚୀନକୁ ଆଘାତ ଦେଇପାରେ । ଏହି ଯୁଦ୍ଧାଭ୍ୟାସ ବଙ୍ଗୋପସାଗରରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ରର ନୌସେନାକୁ ବର୍ଷ ଶେଷରେ ଏକାଠି କରିବ ବୋଲି ଜଣେ ଭାରତୀୟ ବରିଷ୍ଠ ଅଧିକାରୀ କହିଛନ୍ତି । ଚୂଡ଼ାନ୍ତ ସରକାରୀ ନିଷ୍ପତ୍ତି ଏବଂ ଆମେରିକା ଓ ଜାପାନ ସହିତ ପରାମର୍ଶ ପରେ ଭାରତ ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆକୁ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇପାରେ ବୋଲି ଅଧିକାରୀମାନେ କହିଛନ୍ତି।
ତେବେ ଭାରତ-ଚୀନ ବିବାଦ ମଧ୍ୟରେ ଅଷ୍ଟ୍ରେଲିଆକୁ ମାଲାବାରରେ ପ୍ରବେଶ କରିବାର ନିଷ୍ପତ୍ତି ମହତ୍ବପୂର୍ଣ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ଏହା ଚୀନକୁ ଏକ ମହତ୍ବପୂର୍ଣ୍ଣ ବାର୍ତ୍ତା ପଠାଇବ । ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ମିଳିତ ଭାବେ ନୌସେନା ଯୁଦ୍ଧାଭ୍ୟାସ କରିବେ । ଯଦିଓ ଏହି ଯୁଦ୍ଧାଭ୍ୟାସ କ୍ୱାଡ ଇଭେଣ୍ଟ ଅଧୀନରେ ବୈଷୟିକ ଭାବରେ ପରିଚାଳିତ ହେଉନାହିଁ। ତଥାପି ଚାରିଟି ଗଣତାନ୍ତ୍ରିକ ରାଷ୍ଟ୍ରର ମିଳିତ ଯୁଦ୍ଧାଭ୍ୟାସ ଚୀନକୁ ଅସନ୍ତୁଷ୍ଟ କରିବ ବୋଲି ସେ କହିଛନ୍ତି ।
ତେବେ ଏହି 4ଟି ଦେଶର ମିଶ୍ରଣକୁ ଚୀନ ପୂର୍ବରୁ ନାପସନ୍ଦ କରୁଥିଲା । ଏହି 4 ଦେଶ ସୁନାମି ପରେ ଭାରତ-ପ୍ରଶାନ୍ତ ମହାସାଗରରେ ଥିବା ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଥମେ 2004 ରେ ଏକତ୍ରିତ ହୋଇଥିଲେ । ଏହାପରେ କୋରୋନା ଭାଇରସ ମହାମାରୀ ବିରୋଧରେ ଲଢେଇରେ ଏହି 4 ଦେଶକୁ ଏକତ୍ରିତ ଦେଖିବାକୁ ମିଳିଛି । ସେପଟେ ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ ଏହି ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି।