ନୂଆଦିଲ୍ଲୀ:ଭାରତ ଓ କତାର ମଧ୍ୟରେ ଥିବା ସମ୍ପର୍କ ଉର୍ଜା କ୍ଷେତ୍ରରେ ଆଉ ପାଦେ ଆଗେଇବ । ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାକ୍ସ ଫୋର୍ସ ଗଠନ ହେବ । ଏନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇ ସହମତି ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏହି ଟାକ୍ସ ଫୋର୍ସରେ କତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସର ଏହାର ପ୍ରତିନିଧିତ୍ବ କରିବେ । ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ସାଦ୍ ଶେରିଦା ଅଲ-କବିଙ୍କ ସହ ଆଲୋଚନା କରିବା ପରେ ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଏହି ଆଲୋଚନା ସମୟରେ ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିବା ଜଣାଇଛନ୍ତି । ଏହାସହ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ବିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଡିସେମ୍ବର 8ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କତାର ଏମିର ଶେଖ ତାମିନ ବିନ ହମଦ ଅଲ ଥାନିଙ୍କ ମଧ୍ୟରେ ହୋଇଥିବା ବୈଠକର ଫଲୋଅପ୍ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ