ହାଇଦ୍ରାବାଦ: ପ୍ରଶ୍ନ -୧ ଆମ ସମସ୍ତଙ୍କ ପାଇଁ ସମୟ ଏବେ କଷ୍ଟକର । ଭାରତର ବର୍ତ୍ତମାନ ସ୍ଥିତି କଣ, ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ବୋଲି ଆପଣଙ୍କ ସରକାର ବିଶ୍ବାସ କରୁଛନ୍ତି କି ?
ଉ-୧ ସାରା ବିଶ୍ୱ ପାଇଁ ଏହା ହେଉଛି ବେଶ୍ ଜଟିଳ ସମୟ । ସ୍ବାସ୍ଥ୍ୟ କ୍ଷେତ୍ରରେ ଚାରି ପାଞ୍ଚ ଦଶକର ସକ୍ରିୟ ସଂପୃକ୍ତି ମଧ୍ୟରେ ମୁଁ ଏଭଳି ସମୟ କେବେ ଦେଖିନାହିଁ । ଭାରତ କଥା ଯଦି କହିବା, ତାହା ହେଲେ ଚୀନରେ ମହାମାରୀ ବ୍ୟାପିବା ପରେ ଏନେଇ ପ୍ରଥମେ ତତ୍ପରତା ପ୍ରକାଶ କରିବା ଦେଶ ମଧ୍ୟରେ ଭାରତ ଥିଲା ଅନ୍ୟତମ । ଜାନୁଆରୀ ୭ ତାରିଖରେ ନୂଆ କୋରୋନା ଭାଇରସ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜଣାଇଥିଲା ଚୀନ୍ । ଏହାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତ ବିଶେଷଜ୍ଞଙ୍କ ବୈଠକ ଡାକିଥିଲା । ଯେତେ ଶୀଘ୍ର ସମ୍ଭବ, ଭାରତ ଏ ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରିଥିଲା । ୧୦ରୁ ୧୪ ଦିନ ମଧ୍ୟରେ ଆମେ ସବୁ ରାଜ୍ୟ ପାଇଁ ଆଡଭାଇଜରୀ ଜାରି କରିଥିଲୁ । ଜାନୁଆରୀ ୧୮ ତାରିଖରେ ଚୀନ୍ ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆମେ ପଏଣ୍ଟ ଅଫ୍ ଏଣ୍ଟ୍ରି ସର୍ଭେଲାନ୍ସ ଆରମ୍ଭ କରିଥିଲୁ ।
ସେହି ଦିନ ହିଁ କମ୍ୟୁନିଟି ସ୍ପ୍ରେଡ ସର୍ଭେଲାନ୍ସ ଆରମ୍ଭ କରାଯାଇଥିଲା । ଗତ ତିନି ମାସ ମଧ୍ୟରେ ମହାମାରୀ ମୁକାବିଲା ପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଜିଓଏମ ଗଠନ କରାଯାଇଥିଲା, ଯାହାକୁ କି ପ୍ରଧାମମନ୍ତ୍ରୀ ସିଧାସଳଖ ତଦାରଖ କରିଥିଲେ । ଆମେ ସୀମାରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରିବା ସହ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ କମ୍ୟୁନିଟି ସର୍ଭେଲାନ୍ସରେ ରଖିଥିଲୁ । ଜନତା କର୍ଫ୍ୟୁ ଭଳି ଅଭିନବ ମେଥଡ ସହ ଲକଡାଉନ୍ ଭଳି ସାହସିକ ପଦକ୍ଷେପ ନିଆଯାଇଛି । ପ୍ରୋ ଆକ୍ଟିଭ ଷ୍ଟ୍ରାଟେଜି ସହ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଭାରତ ଭଲରେ ରହିଛି । ସାରା ବିଶ୍ୱର ନଜର ଏବେ ଭାରତ ଉପରେ । ମୃତ୍ୟୁହାର କମ୍ ରହିଛି । ଡବଲିଂ ହାର ୧୧ରୁ ୧୨ ଦିନ ରହିଛି । ୩୦ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଚାରି ମାସ ମଧ୍ୟରେ ୪୫୦ରୁ ଅଧିକ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ପ୍ରତିଦିନ ୯୫ ହାର ଟେଷ୍ଟ ହେଉଛି । ଆମର ରଣକୌଶଳ ଓ ସଫଳତା ସ୍ୱଚ୍ଛ ହୋଇ ଦିଶୁଛି ।
ପ୍ରଶ୍ନ-୨ କୋଭିଡ-୧୯ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଟେଷ୍ଟ ସେଂଟର ବଢିବା ସହ ମାମଲା ବଢିବାର ସଂପର୍କ ରହିଛି କି ?
ଉ-୨ କୋଭିଡ-୧୯ ମାମଲାରେ ସେମିତି କିଛି ଅଧିକ ବୃଦ୍ଧି ହୋଇନାହିଁ । ଗ୍ରାଫ ସ୍ଥିର ରହିଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଆମେ ୮୫ ହଜାର ଲୋକଙ୍କୁ ଟେଷ୍ଟ କରିଛୁ । ପ୍ରାରମ୍ଭିକ ଅବସ୍ଥାରେ ଦିନକୁ ୨ ହଜାର ଟେଷ୍ଟ ହେଉଥିଲା । ପ୍ରଭାବିତ ହୋଇ ନ ଥିବା ଜିଲ୍ଲାଗୁଡିକରେ ସିଭିୟର ଆକ୍ୟୁଟ୍ ରେସପିରେଟରୀ ଇନଫେକ୍ସ-(ଏସଏଆରଆଇ) ଓ ଇନଫ୍ଲୁଏନଜା ଲାଇକ୍ ଇଲନେସ୍ (ଆଇଏଲଆଇ)ର ମାମଲା ଖୋଜିବାକୁ ଆମେ ଚେଷ୍ଟା କରୁଛୁ । ରାଜ୍ୟମାନେ ମଧ୍ୟ ଏ ଦିଗରେ ଭଲ ସହଯୋଗ କରୁଛନ୍ତି । ଗତ ତିନି ମାସରେ ଆମ ଦେଶରେ ୫୦ ହଜାରରୁ ୬୦ ହଜାର ମାମଲା ଆସିଛି । ଏହି ସମୟ ମଧ୍ୟରେ ଛୋଟ ଛୋଟ ଦେଶଗୁଡିକରେ ତ ଲକ୍ଷ ଲକ୍ଷ ମାମଲା ଆସିଛି । ଆମର ମୃତ୍ୟୁହାର ତିନି ପ୍ରତିଶତ ଥିଲା ବେଳେ ବିଶ୍ବରେ ହାରାହାରି ଏହା ୭ରୁ ୭ ଦଶମିକ ୫ ପ୍ରତିଶତ ରହିଛି । ମାମଲାଗୁଡିକରେ ତଥାକଥିତ ବୃଦ୍ଧି ଜୋରଦାର ସନ୍ଧାନ ଓ ପରୀକ୍ଷଣ ଯୋଗୁଁ ହୋଇଛି । ଆମେ ଦେଶର ସବୁ ପଜିଟିଭ କୋରୋନା ମାମଲା ଧରିବାକୁ ଚାହୁଁ ।
ପ୍ରଶ୍ନ-୩ ଟେଷ୍ଟିଂ ସେଣ୍ଟର ବାବଦର ସରକାରଙ୍କ ଯୋଜନା କଣ ? ମାସ ଶେଷ ସୁଦ୍ଧା ସରକାର କେତେ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ? ଏହା ପଛରେ ତର୍କ କଣ ଓ ଏହା ଯଥାର୍ଥ କି ?
ଉ-୩ ଭାଇରୋଲୋଜି ଟେଷ୍ଟିଂ ପାଇଁ ଆମେ ସାମ୍ପଲ୍ ଆମେରିକାକୁ ପଠାଉଥିଲୁ । ଯେତେବେଳେ ପ୍ରଥମ ଭୂତାଣୁ ମାମଲ ଜାନୁଆରୀରେ ସାମନାକୁ ଆସିଲା, ସେତେବେଳେ ଆମର କେବଳ ଗୋଟିଏ ଲ୍ୟାବ ଥିଲା । ଏବେ ମେ ଦ୍ବିତୀୟ ସପ୍ତାହରେ ସାରା ଦେଶରେ ୪୭୨ଟି ଲ୍ୟାବ ପ୍ରତିଷ୍ଠା କରାଯାଇପାରିଛି । ଏଥିମଧ୍ୟରୁ ୨୭୫ଟି ଲ୍ୟାବ ସରକାରୀ । ଆମର ଟେଷ୍ଟ କ୍ୟାପାସିଟି ୯୫ ହଜାର ଯାଏଁ ବିକଶିତ ହୋଇପାରିଛି । ଆଇସିଏମଆର ବିଶେଷଜ୍ଞ ଗୋଷ୍ଠୀର ଉପଦେଶ ଅନୁସାରେ ଏହି ରଣନୀତି ପ୍ରସ୍ତୁତ ହୋଇଛି । କାହାର ଟେଷ୍ଟିଂ କରାଯିବ, ସେ ନେଇ ଓ ସ୍ପଷ୍ଟ ଗାଇଡଲାଇନ୍ ରହିଛି । ପେଷାଦାର ସର୍କଲର ଉପଦେଶ ଅନୁସାରେ ହିଁ ଟେଷ୍ଟିଂ ପଲିସି ଚୂଡାନ୍ତ କରାଯାଇଛି । ଆମର ଟେଷ୍ଟିଂ ସାମର୍ଥ୍ୟ ଯୋଗୁଁ ହିଁ ଆମେ ସମସ୍ୟା ଚିହ୍ନଟ କରିପାରିବା ସହ ହଟସ୍ପଟ, ନନ୍ ହଟସ୍ପଟ୍ ଓ ଅଣ ପ୍ରଭାବିତ ଜିଲ୍ଲାଗୁଡିକ ଚୂଡାନ୍ତ କରିପାରିଛୁ ।
ପ୍ରଶ୍ନ -୪- କିଛି ରାଜ୍ୟ ପ୍ରଦାନ କରୁଥିବା ସଂଖ୍ୟା ସହ କେନ୍ଦ୍ର ସରକାର ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଉଥିବା ସଂଖ୍ୟା ମଧ୍ୟରେ ବହୁତ ତଫାତ ରହୁଛି କି ?
ଉ-୪ କୋଭିଡ-୧୯ ସଂଖ୍ୟାରେ କୌଣସି ଏପଟସେପଟ ନାହିଁ । କାରଣ ଆରମ୍ଭରୁ ହିଁ ପ୍ରକ୍ରିୟା ଡାଇନାମିକ ରହିଛି । ସନ୍ଦିଗ୍ଧ ରୋଗୀଙ୍କୁ ଖୋଜିବା ଆରମ୍ଭଠୁ ଲ୍ୟାବରେ ରିପୋର୍ଟ ସଂଗ୍ରହ ସବୁ କିଛି ଡାଇନାମିକ ରହିଛି । ରିପୋର୍ଟଗୁଡିକ ପରେ ରାଜ୍ୟସରକାର, ଆଇଡିଏସପି ଓ ଆଇସିଏମଆରକୁ ପଠାଯାଏ । ଶେଷରେ ସବୁ ସୂତ୍ରରୁ ସବୁ ଡାଟା ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ସଂଗ୍ରହ କରାଯାଏ । ଡାଇନାମିକ କାର୍ଯ୍ୟ କଳାପ ହୋଇଥିବାରୁ ଭିନ୍ନ ଭିନ୍ନ ପୋର୍ଟାଲରେ ଭିନ୍ନ ଭିନ୍ନ ସଂଖ୍ୟା ଆସେ । କିନ୍ତୁ ସବୁ ଡାଟା ସଂଗ୍ରହ ହେଲା ପରେ କୌଣସି ଭୁଲଭଟକା ରହେ ନାହିଁ, ସବୁ କିଛି ସ୍ବଚ୍ଛ ହୁଏ ।
ପ୍ରଶ୍ନ-୫ ବର୍ତ୍ତମାନ କେଉଁ କେଉଁ ହଟସ୍ପଟ ଉପରେ ଆପଣଙ୍କ ଫୋକ୍ସ ରହୁଛି ?
ଉ-୫ ସାରାଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି । ୧୩୦ ଜିଲ୍ଲା ହଟସ୍ପଟ ଶ୍ରେଣୀରେ ରହିଛି । ୨୮୪ ଜିଲ୍ଲା ନନ୍ ହଟସ୍ପଟ୍ ଜିଲ୍ଲା ଘୋଷିତ ହୋଇଥିଲା ବେଳେ ୩୧୯ ଜିଲ୍ଲା ପ୍ରଭାବିତ ହୋଇନାହିଁ । ହଟସ୍ପଟ ଅଞ୍ଚଳଗୁଡିକରେ ଛୋଟବଡ କ୍ଲଷ୍ଟରକୁ ଦେଖି ଭିନ୍ନ ରଣନୀତି ଆପଣାଯାଉଛି । କଣ୍ଟେନମେଣ୍ଟ ଜୋନରେ ମାଇକ୍ରୋ ପ୍ଲାନ୍ ରହିଛି । ଘର ଘର ସର୍ଭେ ହେଉଛି । ଲୋକାଲ ଟିମ୍, ରାପିଡ ରେସପନ୍ସ ଟିମ୍, ମେଡିକାଲ କଲେଜ ଓ କେନ୍ଦ୍ର ସରକାରଙ୍କ ଟିମ୍ ମିଳିତ ଭାବେ ହଟସ୍ପଟ୍ରେ କାମ କରୁଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶରେ ସେମାନେ କାମ କରୁଛନ୍ତି । ଏସବୁ ସ୍ଥାନଗୁଡିକରେ ସରକାରଙ୍କ ରଣନୀତି ବେଶ୍ ସ୍ପଷ୍ଟ ।