ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ବୁଧବାର ପୁଣିଥରେ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଦ୍ବାରା ଖାଲି କରାଯାଇଥିବା ଅଞ୍ଚଳ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସେ । ଏହା ସହିତ ଲଦାଖରେ ଚୀନ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ସେମାନେ କେଉଁଠିକୁ ଗଲେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।
ଚିଦାମ୍ବରମ ବୁଧବାର ଟ୍ବିଟ କରି କହିଛନ୍ତି, 'ଚୀନ ସୈନିକ ସଂଘର୍ଷସ୍ଥଳରୁ ସମ୍ପୁର୍ଣ୍ଣ ରୂପରେ ପଛକୁ ହଟିଛନ୍ତି । ଏହା ସ୍ବାଗତଯୋଗ୍ୟ । କିନ୍ତୁ ସେମାନେ କେଉଁ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ଆମକୁ କେହି କହିବେ କି? ସେହିପରି ଭାରତୀୟ ସେନା କେଉଁ ସ୍ଥାନରୁ ପଛକୁ ହଟିଛନ୍ତି । ଭାରତୀୟ କିମ୍ବା ଚୀନ ସୈନିକଙ୍କ ମଧ୍ୟରୁ କିଏ ଏଲଏସିର ଅନ୍ୟପାର୍ଶ୍ବକୁ ଯାଇଥିଲା କି । ଏହି ପ୍ରଶ୍ନର ଉତ୍ତର ଖୁବ ଗୁରୁତ୍ବପୂର୍ଣ୍ଣ । କାରଣ ଲଦାଖରେ ଚାଲିଥିବା ଘଟଣା ବିଷୟରେ ଖୁବ୍ କମ୍ ସୂଚନା ଉପଲବ୍ଧ ଅଛି । ଜୁନ୍ 15 ରେ କ’ଣ ଘଟିଛି ତାହା ଜାଣିବା ପାଇଁ ଭାରତୀୟମାନେ ଜାଣିବାକୁ ଚାହୁଁଛନ୍ତି । '