ଏକ ଅଭୂତପୂର୍ବ ଘଟଣାକ୍ରମରେ, ଗତ ରବିବାର ଦିନ (ମେ 31) ନେପାଳ ସରକାର ସଂସଦରେ ଏଭଳି ଏକ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଦେଶର ସରକାରୀ ମାନଚିତ୍ରରେ ପରିବର୍ତ୍ତନ କରାଯାଇ ଭାରତର କେତେକ ଅଞ୍ଚଳକୁ ନେପାଳର ସୀମା ପରିସରଭୁକ୍ତ ବୋଲି ଦର୍ଶାଯାଇଛି । ବାର୍ଷିକ କୈଳାସ ମାନସରୋବର ଯାତ୍ରା ସକାଶେ ଲିପୁଲେଖ ପାର୍ବତ୍ୟ ଘାଟି ବାଟ ଦେଇ ଉତ୍ତରାଖଣ୍ଡରେ ଏକ ନୂତନ ରାସ୍ତା ଉଦ୍ଘାଟନ କରିବା ପାଇଁ ଭାରତ ନିଷ୍ପତ୍ତି ନେବା ପରେ ହିଁ ଆପେକ୍ଷିକ ଭାବରେ ନିଷ୍ପ୍ରଭ ମନେ ହେଉଥିବା ଏହି ଜଟିଳ ସୀମା ବିବାଦ ପ୍ରସଙ୍ଗ ସାମ୍ନାକୁ ଆସିଛି ।
କାଳାପାଣି ଏବଂ ଲିପୁଲେଖ ଅଞ୍ଚଳକୁ ସେମାନଙ୍କର ନିଜର ବୋଲି ନେପାଳ ଦାବି କରିଆସୁଥିବା ବେଳେ ତତ୍କାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୁନର୍ଗଠନ ପରବର୍ତ୍ତୀ ସମୟରେ ଭାରତ ପକ୍ଷରୁ ଜାରି ଏକ ସରକାରୀ ମାନଚିତ୍ରରେ କାଳାପାଣି ଏବଂ ଲିପୁଲେଖ ଭଳି କେତେକ ଅଞ୍ଚଳକୁ ଭାରତ ସୀମା ପରିସରଭୁକ୍ତ ଅଞ୍ଚଳ ରୂପରେ ଉପସ୍ଥାପିତ କରାଯିବା ଦିନରୁ ଏହି ବିବାଦ କୁହୁଳିବାରେ ଲାଗିଛି । । ଏଭଳି କାର୍ଯ୍ୟ ଦ୍ବାରା ଦିଲ୍ଲୀ, ଏହି ବିବାଦୀୟ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ପୂର୍ବରୁ ହୋଇଥିବା ବୁଝାମଣାର ଉଲ୍ଲଂଘନ କରୁଛି ବୋଲି ନେପାଳ ଦାବି କରୁଥିବା ବେଳେ ଭାରତ ଏହାକୁ ଅସ୍ବୀକାର କରିଛି ଏବଂ କାଠମାଣ୍ଡୁ ‘ଅନ୍ୟ ଏକ’ ଦେଶର ଇଙ୍ଗିତରେ ଏଭଳି ପ୍ରତିବାଦ କରୁଛି ବୋଲି ଚୀନକୁ ଉପଲକ୍ଷ୍ୟ କରି ଭାରତୀୟ ସେନାମୁଖ୍ୟ ଜେନେରାଲ ନାର୍ବାନେ ଦେଇଥିବା ମନ୍ତବ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଛି ।
ସମୁଚିତ କାରଣରୁ, ପ୍ରାୟତଃ ଭାରତ ଏବଂ ଭୂଭାଗ ପରିବେଷ୍ଟିତ ରାଷ୍ଟ୍ର ନେପାଳ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ବନ୍ଧକୁ ‘ସ୍ବତନ୍ତ୍ର’ ବୋଲି ବର୍ଣ୍ଣନା କରାଯାଇଥାଏ । 1950 ମସିହାର ଶାନ୍ତି ଓ ମୈତ୍ରୀ ଚୁକ୍ତିନାମା ଅନୁସାରେ ନେପାଳର ନାଗରିକମାନଙ୍କୁ ଭାରତରେ ଭାରତୀୟ ନାଗରିକମାନଙ୍କ ଅନୁରୂପ କାର୍ଯ୍ୟ କରିବାର ସୁଯୋଗ ଉପଲବ୍ଧ ହେଉଛି ଏବଂ ଉଭୟ ଦେଶର ସୀମା ଉନ୍ମକ୍ତ ରହିଛି । ନେପାଳର ନାଗରିକମାନେ ଭାରତୀୟ ସାମରିକ ବାହିନୀର ଏକ ଅଂଶ (ଅତ୍ୟନ୍ତ ସମ୍ମାନଜନକ ଗୋର୍ଖା ରେଜିମେଣ୍ଟ) ଏବଂ ସେମାନଙ୍କ ମଧ୍ୟରୁ କେତେକ ଜେନେରାଲ ସ୍ତରର ଅଧିକାରୀ ପାହ୍ୟାକୁ ଉନ୍ନିତ ହେବାର ଦୃଷ୍ଟାନ୍ତ ଅଭୂତପୂର୍ବ ଏବଂ ଅପେକ୍ଷଣୀୟ ମଧ୍ୟ । ଅନ୍ୟ କୌଣସି ଦୁଇଟି ଦେଶ ମଧ୍ୟରେ ଏଭଳି ସମ୍ପର୍କ ନାହିଁ ।
ଏସିଆର ଦୁଇ ବୃହତ୍ ଶକ୍ତି ଭାରତ ଓ ଚୀନ ମଧ୍ୟରେ ଅବସ୍ଥିତ ଅପେକ୍ଷାକୃତ କ୍ଷୁଦ୍ର ରାଷ୍ଟ୍ର ନେପାଳ, 2006 ମସିହାରୁ ରାଜତନ୍ତ୍ରରୁ ଗଣତନ୍ତ୍ର ଅଭିମୁଖେ ଏହାର କଷ୍ଟସାଧ୍ୟ ତଥା ସଂକଳ୍ପବଦ୍ଧ ଯାତ୍ରା ଆରମ୍ଭ କରିଥିଲା ଏବଂ ଏହି ସମୟ ମଧ୍ୟରେ ଭାରତ ସହ ଏହାର ‘ସ୍ବତନ୍ତ୍ର’ ସମ୍ବନ୍ଧର ସ୍ଥିତିସ୍ଥାପକତା ମଧ୍ୟ ପ୍ରମାଣିତ ହୋଇସାରିଛି । ନେପାଳର ଜନସଂଖ୍ୟାରେ ବିଭିନ୍ନତା ଏବଂ ଭାରତ ସହିତ 1750 କିଲୋମିଟର ଯାଏଁ ପରିବ୍ୟାପ୍ତ ସୀମାରେଖା ତଥା ଶହ ଶହ ବର୍ଷ ପୁରୁଣା ସଂପର୍କକୁ ବିଚାରକୁ ନେଲେ ଭାରତ ଓ ନେପାଳର ବହୁସ୍ତରୀୟ ସଂପର୍କ ରହିଥିବା ଦୃଷ୍ଟିଗୋଚର ହୁଏ । ବୁଦ୍ଧଦେବଙ୍କ ଜନ୍ମସ୍ଥାନ ରୂପେ ସୁପରିଚିତ ଏହି ପୂର୍ବତନ ସାମ୍ରାଜ୍ୟର ହିନ୍ଦୁ ଚରିତ୍ର, ନିକଟ ଅତୀତରେ ମାଓବାଦୀଙ୍କ ବିଦ୍ରୋହ ପର୍ଯ୍ୟାୟ ଏବଂ ନବୋଦିତ ନିର୍ବାଚନ ବାଧ୍ୟବାଧ୍ୟକତା କାରଣରୁ, ଗୌରବଦୀପ୍ତ ହେଲେ ହେଁ ତୁଳନାତ୍ମକ ଭାବେ ଦାରିଦ୍ର୍ୟ ଅବସ୍ଥାରେ ରହିଥିବା ଏହି ପାର୍ବତ୍ୟ ରାଷ୍ଟ୍ରର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଧାରାର ଗତିଶୀଳତା ପରିଲକ୍ଷିତ ହୋଇଛି ।
ଭାରତ ସହିତ ନେପାଳର ସ୍ବତନ୍ତ୍ର ସମ୍ବନ୍ଧରେ ଭଟ୍ଟା ସୃଷ୍ଟି ହୋଇଥିବାରୁ ଏବଂ କାଠମାଣ୍ଡୁରେ ନେପାଳ କମ୍ୟୁନିଷ୍ଟ ପାର୍ଟି କ୍ଷମତାରେ ଥିବା ଯୋଗୁଁ ଚୀନ ପାଇଁ ରାଜନୈତିକ ଏବଂ ବିଚାରଧାରା ଭିତ୍ତିକ ଏଭଳି ଏକ ସୁଯୋଗର ଅବସର ସୃଷ୍ଟି ହୋଇଛି ଯାହାକି ପୂର୍ବବର୍ତ୍ତୀ ବହୁ ଦଶନ୍ଧି ଧରି ଦୃଶ୍ୟପଟ୍ଟରେ ସ୍ଥାନ ପାଉନଥିଲା । ଦକ୍ଷିଣ ଏସିଆରେ ଅବସ୍ଥିତ କୌଣସି ରାଷ୍ଟ୍ରର (ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା) ଅନ୍ୟ ରାଷ୍ଟ୍ର ସହ ଭୂଭାଗରେ ସ୍ବତନ୍ତ୍ର ସୀମା ନାହିଁ ଏବଂ ଏମାନେ କେବଳ ଭାରତ ସଂଲଗ୍ନ ସୀମା ମାଧ୍ୟମରେ ପରସ୍ପର ସହ ମିଶି ଏକ ବୃହତ୍ ଅଞ୍ଚଳ ଗଠନ କରିବାରେ ଦକ୍ଷିଣ ଏସିଆର ରାଜନୈତିକ ଭୂଗୋଳର ଏକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ପ୍ରତିଫଳିତ । କେତେକ ତ୍ରିରାଷ୍ଟ୍ରୀୟ ସଂଯୋଗ ସ୍ଥଳୀ ଚୀନର ସୀମା ସଂଲଗ୍ନ ହୋଇଥିବାରୁ ଭୂଭାଗ ସଂପର୍କିତ ଭାରତର ଅନେକ ଅସମାହିତ ବିବାଦର ମାନଚିତ୍ର ଭିତ୍ତିକ ଜଟିଳତାରେ ଚୀନ ଅପରିହାର୍ଯ୍ୟ ଭାବେ ସମ୍ମିଳିତ ହୋଇ ରହିଛି ।
ବ୍ରିଟିଶ ସାମ୍ରାଜ୍ୟର ଅପସାରଣ ପରେ ଏହି ସମଗ୍ର ଅଞ୍ଚଳ ବିଭିନ୍ନ ସ୍ବାଧୀନ ରାଷ୍ଟ୍ରର ରୂପ ନେଇଥିଲା ଏବଂ ସେମାନଙ୍କର ନିଜସ୍ବ କ୍ଷେତ୍ର ଉପରେ ଅଧିକାର ନିର୍ଦ୍ଧାରିତ ହେବା ସହିତ କେତେକ କ୍ଷେତ୍ରରେ ବିବାଦ ଲାଗି ରହିଥିଲା । ଭୌଗୋଳିକ ଆକାର ଏବଂ ଲୋକସଂଖ୍ୟା ଦୃ୍ଷ୍ଟିରୁ ସବୁଠାରୁ ବଡ଼ ରାଷ୍ଟ୍ର ଭାରତ ଏହାର କ୍ଷୁଦ୍ର ପଡ଼ୋଶୀମାନଙ୍କୁ ଅଭିଭୂତ କରି ରଖିଛି । ସେଇ ଏକା ସମୟରେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଏହାର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନର ଆଭିମୁଖ୍ୟ, ଦିଲ୍ଲୀ ସହ ପ୍ରତିଯୋଗିତାମୂଳକ ହେଉଥିଲା କିମ୍ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା ।
ବ୍ରିଟିଶ ସାମ୍ରାଜ୍ୟର ଅପସାରଣ ପରେ ଏହି ସମଗ୍ର ଅଞ୍ଚଳ ବିଭିନ୍ନ ସ୍ବାଧୀନ ରାଷ୍ଟ୍ରର ରୂପ ନେଇଥିଲା ଏବଂ ସେମାନଙ୍କର ନିଜସ୍ବ କ୍ଷେତ୍ର ଉପରେ ଅଧିକାର ନିର୍ଦ୍ଧାରିତ ହେବା ସହିତ କେତେକ କ୍ଷେତ୍ରରେ ବିବାଦ ଲାଗି ରହିଥିଲା । ଭୌଗୋଳିକ ଆକାର ଏବଂ ଲୋକସଂଖ୍ୟା ଦୃ୍ଷ୍ଟିରୁ ସବୁଠାରୁ ବଡ଼ ରାଷ୍ଟ୍ର ଭାରତ ଏହାର କ୍ଷୁଦ୍ର ପଡ଼ୋଶୀମାନଙ୍କୁ ଅଭିଭୂତ କରି ରଖିଛି । ସେଇ ଏକା ସମୟରେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଏହାର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନର ଆଭିମୁଖ୍ୟ, ଦିଲ୍ଲୀ ସହ ପ୍ରତିଯୋଗିତାମୂଳକ ହେଉଥିଲା କିମ୍ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା ।