ନେପାଳ ପ୍ରଧାନମନ୍ତ୍ରୀ ଖଡ୍ଗ ପ୍ରସାଦ ଶର୍ମା ‘ଓଲି’ଙ୍କ ପାଇଁ ସମସ୍ୟାରୁ ଆଉ ଏକ ସାମୟିକ ଆଶ୍ବସ୍ତି ସ୍ବରୂପ, ବନ୍ଧୁତ୍ବପୂର୍ଣ୍ଣ ଢଙ୍ଗରେ ରାଜନୈତିକ ଅଚଳାବସ୍ଥାର ଅବସାନ ଲାଗି ଜୁଲାଇ 8 ତାରିଖରେ ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ସ୍ଥାୟୀ କମିଟିର ବୈଠକକୁ ପୁଣି ସ୍ଥଗିତ ରଖାଯାଇଛି । ଭାରତ ଓ ନେପାଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଚୀନ୍ ନେପାଳକୁ ଉସୁକାଉଥିବା ଭଳି ମନେ ହେଉଛି ଏବଂ ନେପାଳର ଜନସାଧାରଣ ଓ ରାଜନୀତିଜ୍ଞମାନେ ଏହାକୁ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନର ଅହେତୁକ ହସ୍ତକ୍ଷେପ ବୋଲି ଗ୍ରହଣ କରିନେଇଛନ୍ତି ।
ରୋଟି-ବେଟୀ ସଂପର୍କ (ଖାଦ୍ୟ ଓ ବୈବାହିକ ସଂପର୍କ) ରୂପେ ଅଭିହିତ, ନେପାଳ ସହ ଭାରତର ଶହ ଶହ ବର୍ଷର ପୁରୁଣା ସୁସମ୍ପର୍କକୁ ବଜାୟ ରଖିବାରେ ଭାରତ ସରକାରଙ୍କ ବୈଦେଶିକ ନୀତି ବିଫଳ ହୋଇଛି ବୋଲି ଅଭିଯୋଗ କରି ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି ଅଭିଯୋଗ ଭିତ୍ତିହୀନ । ପରିବାରର ଦୁଇ ଜଣ ସଦସ୍ୟଙ୍କ ଅନୁରୂପ, ଦୁଇଟି ପଡ଼ୋଶୀ ଦେଶ ମଧ୍ୟ ସବୁଦିନ ପାଇଁ ସମାନ ଧରଣର ସଂପର୍କ ବଜାୟ ରଖିପାରିବେ ନାହିଁ । ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେଲେ, କୌଣସି ନା କୌଣସି ସମୟରେ ଉଭୟଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ନେପାଳ ଓ ଭାରତ ଏଥିରେ ବ୍ୟତିକ୍ରମ ନୁହଁନ୍ତି ।
ରାଜତନ୍ତ୍ରର ପ୍ରଚଳନ ସମୟରେ ଭାରତ ସେମାନଙ୍କୁ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି ବୋଲି ନେପାଳର ରାଜାମାନେ ଅଭିଯୋଗ କରିବାରେ ଲାଗିଥିଲେ । 1975ରେ ଏହା ଚରମ ସୀମାରେ ପହଞ୍ଚିଥିଲା ଏବଂ ସିକ୍କିମ ଅନୁରୂପ ଅବସ୍ଥା ହେବା ଆଶଙ୍କାରେ ନେପାଳକୁ ଏକ “ଶାନ୍ତିପୂର୍ଣ୍ଣ କ୍ଷେତ୍ର” ରୂପେ ଘୋଷଣା କରିବା ସହିତ ଦେଶରେ କୌଣସି ପ୍ରକାର ସାମରିକ ପ୍ରତିଯୋଗିତା ହେବ ନାହିଁ ବୋଲି ନେପାଳ ପ୍ରସ୍ତାବ ଦେଇଥିଲା । ଏହି ସୁଯୋଗରୁ ଫାଇଦା ଉଠାଇ ଏବଂ ନେପାଳକୁ ପ୍ରଭାବିତ କରିବା ଅଭିପ୍ରାୟ ନେଇ ଚୀନ ଓ ପାକିସ୍ତାନ ଏଥିରେ ତୁରନ୍ତ ସ୍ବାକ୍ଷର କରିଥିଲେ, କିନ୍ତୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକ ବିସ୍ତୃତ ଶାନ୍ତି ଓ ବନ୍ଧୁତା ରାଜିନାମା ରହିଥିବା ଆଧାରରେ ଭାରତ ଏଥିରେ ସମ୍ମତି ପ୍ରକାଶ କରି ନଥିଲା ।
1988ରେ ଏହି ରାଜିନାମାର ନବୀକରଣ ପାଇଁ ନେପାଳ ମନା କରିଦେବା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଥିଲା ଏବଂ ଏହା ଫଳରେ ନେପାଳ ଉପରେ ଭାରତ ଏକ ପ୍ରକାର ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲା, ଏବଂ 1991ରେ ପୃଥକ୍ ପୃଥକ୍ ଦୁଇଟି ରାଜିନାମା ସ୍ବାକ୍ଷରିତ ହେବା ପରେ ହିଁ ସମସ୍ୟାର ସମାଧାନ ହୋଇଥିଲା । 2015ରେ ନେପାଳୀ ସମ୍ବିଧାନର ସଂଶୋଧନ ଯୋଗୁଁ ମାଧେଶି ସଂପ୍ରଦାୟ (ନେପାଳର ସମତଳ ଅଞ୍ଚଳରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ) ଉତ୍କ୍ଷିପ୍ତ ହୋଇଥିଲେ ଏବଂ ପୁଣି ଅନୁରୂପ ସ୍ଥିତି ଉତ୍ପନ୍ନ ହୋଇଥିଲା ।
ସେ ଯାହାହେଉ, ବର୍ତ୍ତମାନ ସଂକଟର କାରଣ ହେଉଛି ଭାରତ-ନେପାଳ ସୀମା ବିବାଦକୁ କେନ୍ଦ୍ର କରି 1816 ମସିହାରେ ବ୍ରିଟିଶ ଶାସନାଧୀନ ଭାରତ ଓ ନେପାଳ ମଧ୍ୟରେ ସୁଗୋଲିରେ ସ୍ବାକ୍ଷରିତ ଚୁକ୍ତିନାମା । ଏହି ଚୁକ୍ତିନାମାରେ ନେପାଳର ପଶ୍ଚିମ ପଟ ସୀମାରେ କାଳି ନଦୀର ଉତ୍ପତ୍ତି ସ୍ଥଳ ବୋଲି ଦର୍ଶାଯାଇଥିଲା ଏବଂ ଏହା ହିଁ ଏବେ ବିବାଦର କେନ୍ଦ୍ରବିନ୍ଦୁ । ଲିପୁଲେଖ ପାର୍ବତ୍ୟ ଘାଟି ନିକଟରୁ କାଳି ନଦୀର ଉତ୍ପତ୍ତି ହୋଇଛି ବୋଲି ଭାରତ ବିଚାର କରୁଥିବା ବେଳେ ନେପାଳର ବକ୍ତବ୍ୟ ଅନୁସାରେ ଏହି ନଦୀ ଆହୁରି ପଶ୍ଚିମରୁ, ଲିମ୍ପିଆଧୁରା ନିକଟରୁ ବାହାରିଛି ଏବଂ ଏଭଳି ଭାବରେ ଉତ୍ତରାଖଣ୍ଡର କେତେକ ଅଂଶ ଉପରେ ନେପାଳ ନିଜର ଅଧିକାର ଦାବି କରୁଛି ।
ନେପାଳରେ ଅନିୟନ୍ତ୍ରିତ ସ୍ଥିତିରେ ଥିବା ଦୁର୍ନୀତି ଏବଂ ଚୀନ ରାଷ୍ଟ୍ରଦୂତ ସୁଶ୍ରୀ ହୋ ୟାନ୍କିଙ୍କ ସହ ତାଙ୍କର ଅସ୍ବାଭାବିକ ଅନ୍ତରଙ୍ଗ ସଂପର୍କକୁ ନେଇ ସାଧାରଣରେ ମୁଣ୍ଡ ଟେକିଥିବା ସମାଲୋଚନାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଦ୍ବିତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ପଦ ମଣ୍ଡନ କରିଥିବା ଓଲି, ତରବରିଆ ଭାବେ ନେପାଳର ଏକ ସଂଶୋଧିତ ମାନଚିତ୍ର ଜାରି କରାଇବା ସହ ଏହାକୁ ସଂସଦରେ ଗୃହୀତ କରାଇ ନେଇଥିଲେ । ପୂର୍ବରୁ ଏଭଳି ଏକ ବୁଝାମଣା ସତ୍ତ୍ବେ ଦଳର ଅନ୍ୟତମ ସହ- ଅଧ୍ୟକ୍ଷ ପ୍ରଚଣ୍ଡଙ୍କ ନିମନ୍ତେ ପ୍ରଧାନ ମନ୍ତ୍ରୀ ପଦ ଛାଡ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଦଳ ଭିତରେ ହିଁ ଓଲିଙ୍କ ପ୍ରତି ସମର୍ଥନର ଆଧାର କ୍ଷୟ ହେବାରେ ଲାଗିଛି ।