ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ 4 ଦିନ ହେବ ମହାମାରୀ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି । ଏନେଇ ଶନିବାର କୋଇଲା ଓ ବିଦ୍ୟୁତ କ୍ଷେତ୍ରକୁ ନେଇ ଅନେକ ସୁଧାର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ସବୁଠାରୁ ବଡ ଘୋଷଣା ହେଉଛି ଘରୋଇକରଣ । ତେବେ ଏହାକୁ ନେଇ ଶ୍ରମିକ ସଂଗଠନ ଆପତ୍ତି ପ୍ରକାଶ କରିଛି ।
ଦେଶର ବୃହତ୍ତମ ଶ୍ରମ ସଂଗଠନ ଭାରତୀୟ ଶ୍ରମିକ ସଂଗଠନ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଡା ସମାଲୋଚନା କରିଛି। ଘରୋଇକରଣ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହି ଶ୍ରମିକ ସଂଘ ଏକ ବିବୃତ୍ତି ଜାରି କରିଛି। ସଂଘ କହିଛି ଯେ ଅର୍ଥମନ୍ତ୍ରୀଙ୍କ ଘୋଷଣା ସହିତ ଲାଗୁଛି ଯେ ଏହି ସଙ୍କଟ ସମୟରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରଙ୍କର କୌଣସି ନୂତନ ଧାରଣା ନାହିଁ। ଘରୋଇକରଣ ଘୋଷଣା ଏକ ପୁରାତନ ପଦ୍ଧତି ହୋଇ ରହିଛି। ସଂଘ କହିଛି ଯେ ଏହି ଘୋଷଣା ପୂର୍ବରୁ ସରକାର କାହା ସହ ଆଲୋଚନା କରିନାହାଁନ୍ତି ।