ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ହେବ ସେ ବାରମ୍ବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଟ୍ବିଟର ୱାର୍ କରିବାରେ ଲାଗିଛନ୍ତି । ବେରୋଜଗାରୀ, କୋଭିଡ ମହାମାରୀ ଆଉ ବର୍ତ୍ତମାନ ଜିଡିପି ହ୍ରାସ । ଏହାକୁ ମୋଦି ସରକାରଙ୍କ ବିପର୍ଯ୍ୟୟ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ଏକ ଟ୍ବିଟ୍ରେ ଦେଶର ସମ୍ମୁଖୀନ ହେଉଥିବା 6ଟି ପ୍ରସଙ୍ଗକୁ ତାଲିକାଭୁକ୍ତ କରିଛନ୍ତି ଓ ଏହାକୁ ମୋଦି ନିର୍ମିତ ବିପର୍ଯ୍ୟୟ ବୋଲି କହିଛନ୍ତି ।
‘ମୋଦି ନିର୍ମିତ ବିପର୍ଯ୍ୟୟ ସମୟରେ ଭାରତ ଅନୁଭବ କରୁଛି, ଐତିହାସିକ ଜିଡିପି ହ୍ରାସ -23.9%, 45 ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ, 12 କୋଟି ଚାକିରି ହରାଇବା, କେନ୍ଦ୍ର ରାଜ୍ୟମାନଙ୍କୁ ସେମାନଙ୍କର ଜିଏସଟି ଦେୟ ପ୍ରଦାନ ନ କରିବା, ସର୍ବଭାରତୀୟ ସ୍ତରରେ ସର୍ବାଧିକ କୋଭିଡ-19 ଦୈନିକ ମାମଲା ଓ ମୃତ୍ୟୁ ଏହାସହ ସୀମା ବିବାଦ’ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ କରିଛନ୍ତି ।