ସାରା ବିଶ୍ବ କୋଭିଡ19 ମହାମାରୀ ସହିତ ମୁକାବିଲା କରୁଥିବା ବେଳେ ଗତ କିଛି ସପ୍ତାହ ତଳେ ଭାରତ ଓ ଇଣ୍ଡୋନେସିଆର ଦ୍ବିପାକ୍ଷିକ ସମ୍ବନ୍ଧରେ ଉପୁଜିଥିବା ମତଭେଦ ଦୂର ହେବ ବୋଲି ଉଭୟ ଦେଶ ଆଶା ବାନ୍ଧିଛନ୍ତି । ଦିଲ୍ଲୀରେ ସଙ୍ଗଠିତ ଦଙ୍ଗା ସମ୍ପର୍କରେ ଇଣ୍ଡୋନେସିଆର ଉଦ୍ବେଗ ଜଣାଇବା ଲାଗି ପନ୍ଦର ଦିନ ତଳେ ଜାକର୍ତ୍ତାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତଙ୍କୁ ଇଣ୍ଡୋନେସିଆର ବୈଦେଶିକ ମନ୍ତ୍ରଣାଳୟ ସମନ କରିଥିଲା । ଦଙ୍ଗାରେ 50 ଜଣଙ୍କ ପ୍ରାଣହାନି ଘଟିଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ । ଗତ ଦୁଇ ସପ୍ତାହରେ ଇଣ୍ଡୋନେସିଆରେ ବଡ଼ ଧରଣର ଭାରତ ବିରୋଧୀ ପ୍ରଦର୍ଶନ ଆୟୋଜିତ ହୋଇଥିଲା । ଏଫ୍ପିଆଇ, ଜିଏନ୍ପିଏଫ୍ ଏବଂ ପିଏ212 ଭଳି କଠୋରପନ୍ଥୀ ଇସ୍ଲାମ ସଂଗଠର ଆୟୋଜନରେ ଜାକର୍ତ୍ତାରେ ଅବସ୍ଥିତ ଭାରତୀୟ ଦୂତାବାସ ଏବଂ ମେଡାନର ଭାରତୀୟ କନ୍ସୁଲେଟ୍ ପରିସର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ଏହି ତିନିଟି ସଂଗଠନର ଅଧ୍ୟକ୍ଷମାନଙ୍କ ଦ୍ବାରା ସ୍ବାକ୍ଷରିତ ଏକ ମିଳିତ ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ “ଭାରତୀୟ ମୁସଲମାନଙ୍କ ବିରୋଧରେ ବିଭିନ୍ନ ବର୍ବର କାଣ୍ଡ ଭିଆଇବା ଲାଗି ଅନେକ ହିନ୍ଦୁ ଚରମପନ୍ଥୀ ଗୋଷ୍ଠୀ ଦ୍ବାରା ପ୍ରୟୋଗ କରାଯାଉଥିବା ନାଗରିକତା ଆଇନକୁ ପ୍ରତ୍ୟାହାର କରି ନେବାକୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ।”
ହେଲେ, ଇଣ୍ଡୋନେସିଆର ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ କେବଳ ଉଦ୍ବେଗ ସମ୍ପର୍କିତ ‘ବାର୍ତ୍ତା ଜ୍ଞାପନ’ ନିମନ୍ତେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଥିଲା ଏବଂ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଘେରି ରହିଥିବା ଉତ୍ତେଜନା ପ୍ରଶମିତ କରିବାରେ ଭାରତ ସମର୍ଥ ହେବ ବୋଲି ଜାକର୍ତ୍ତା ବିଶ୍ବାସ କରେ । ଇଣ୍ଡୋନେସିଆର ଜଣେ ଅଧିକାରୀ କହିଲେ, “ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅନେକ ସଂଗଠନ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇଥିଲା ଏବଂ ସେହି ସବୁ ବାର୍ତ୍ତାକୁ ଆମେ (ଭାରତ ସରକାରଙ୍କୁ) ଜଣାଇ ଦେଇଛୁ । ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି, କିନ୍ତୁ ଇଣ୍ଡୋନେସିଆ ସରକାରଙ୍କର ଦୃଢ଼ ବିଶ୍ବାସ ଯେ ଆମେ ଏହାକୁ ଅତିକ୍ରମ କରିବାରେ ସଫଳ ହେବୁ । କାରଣ ଆମେ ଉଭୟ ବହୁମତବାଦୀ ଏବଂ ଗାଣତାନ୍ତ୍ରିକ ଦେଶ ।”
ମିଳିଥିବା ଖବର ମୁତାବକ, ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ସାରା ଭାରତରେ କିଛି ସମୟ ପାଇଁ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଦିଲ୍ଲୀରେ କେତେକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିଲା ଏବଂ ସେ ସମୟରେ ମହମ୍ମଦ ଜୁବେର ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କ ଚେହେରା ସାମନାକୁ ଆସିଥିଲା, ଯାହାଙ୍କୁ ଦାଢ଼ି ରଖିଥିବା ଏବଂ ଗୋଲ୍ ଛୋଟ ଟୋପି ବା ସ୍କଲ୍ କ୍ୟାପ୍ ପିନ୍ଧିଥିବା କାରଣରୁ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀର ଲୋକଙ୍କ ଦ୍ବାରା ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା ଏବଂ ଏହି ଘଟଣା ପରେ ଉଠିଥିବା ପ୍ରତିବାଦର ସ୍ବରକୁ ଶାନ୍ତ କରିବା ପାଇଁ ଇଣ୍ଡୋନେସିଆର କୂଟନୈତିକ ପଦକ୍ଷେପ ପ୍ରଭାବଶାଳୀ ଢଙ୍ଗରେ ସଂପାଦିତ ହୋଇଥିଲା, କିନ୍ତୁ ଶୁକ୍ରବାର ବେଳକୁ ଜାକର୍ତ୍ତାରେ ପ୍ରତିବାଦର ଧାରା ଧିମେଇ ଯାଇଥିବ ବୋଲି ଅନେକ ସୂତ୍ରରୁ ଆଶା ପ୍ରକାଶ ପାଇଛି । ଗତ ଶୁକ୍ରବାର ଦିନ ଭାରତୀୟ ଦୂତାବାସ ବାହାରେ 1100 ପୋଲିସ କର୍ମଚାରୀ ମୁତୟନ ଏବଂ ବ୍ୟାରିକେଡ୍ କରି ଯାନବାହନ ଯାତାୟାତକୁ ନିୟନ୍ତ୍ରଣ କରିବା ପରେ ଏହା ସମ୍ଭବ ହୋଇଛି । ଅତୀତରେ ପାଲେଷ୍ଟାଇନ୍ ପ୍ରସଙ୍ଗକୁ କେନ୍ଦ୍ର କରି ଆମେରିକା ଦୂତାବାସ ବାହାରେ ପ୍ରତିବାଦ ସମୟର ଘଟଣାକୁ ବାଦ୍ ଦେଲେ ଇଣ୍ଡୋନେସିଆରେ କୌଣସି ବିଦେଶୀ ଦୂତାବାସର ସୁରକ୍ଷା ଲାଗି ପ୍ରଥମ ଥର ପାଇଁ ଏଭଳି ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।
ଏହା ମଧ୍ୟ ଆଶା କରାଯାଉଛି ଯେ, ବାର୍ତ୍ତାଳାପ ଜରିଆରେ ଇଣ୍ଡୋନେସିଆରେ ବସବାସ କରୁଥିବା ସଂଖ୍ୟାଲଘୁ ଭାରତୀୟ ମୁସଲମାନଙ୍କ ମଧ୍ୟରେ ଲାଗି ରହିଥିବା ଉଦ୍ବେଗ ଦୂର କରିବା ସକାଶେ ଇଣ୍ଡୋନେସିଆରେ ସବୁଠାରୁ ଅଧିକ ପ୍ରଭାବଶାଳୀ ଇସଲାମ ସଂଗଠନ ଏମ୍ୟୁଆଇ (ଇଣ୍ଡୋନେସିଆନ୍ ଉଲେମା କାଉନ୍ସିଲ) ଭଳି କେତେକ ସଂଗଠନ ସହିତ ନୂଆଦିଲ୍ଲୀ ଆଲୋଚନା କରିବ । ଏମ୍ୟୁଆଇ ଏ ପର୍ଯ୍ୟନ୍ତ ରାଜରାସ୍ତା ଉପରେ ଭାରତ ବିରୋଧରେ ପ୍ରଦର୍ଶନ କରିନାହିଁ । ହେଲେ, ନିକଟରେ ଏମ୍ୟୁଆଇ ଦ୍ବାରା ପ୍ରଦତ୍ତ ଏକ ଶାଣିତ ବିବୃତିରେ, ଭାରତକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ପଠାଇବା ସହିତ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରଥା ଅନୁସାରେ ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷା ଦିଗରେ କଠୋର ପଦକ୍ଷେପ ନେବାକୁ ମିଳିତ ଜାତିସଙ୍ଘକୁ ଅନୁରୋଧ କରାଯାଇଥିଲା । ଏହି ବିବୃତିରେ ନାଗରିକତା ସଂଶୋଧନ ଆଇନକୁ ଭେଦଭାବପୂର୍ଣ୍ଣ ବୋଲି ଉଲ୍ଲେଖ କରାଯିବ ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ପ୍ରସ୍ତାବକୁ ସମ୍ମାନ ଜଣାଇ ଜାମ୍ମୁ ଓ କାଶ୍ମୀରରେ ଜନମତ ସଂଗ୍ରହ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଭାରତୀୟ ମୁସଲମାନଙ୍କ ବିରୋଧରେ ଦେଖାଦେଇଥିବା ସ୍ଥିତି ଲାଗି ରହିଲେ ଭାରତରୁ ଆମଦାନି ହେଉଥିବା ସାମଗ୍ରୀକୁ ଇଣ୍ଡୋନେସିଆର ମୁସଲମାନମାନେ ବର୍ଜନ କରିବେ ବୋଲି ଏହି ବିବୃତିରେ ଧମକ ଦିଆଯିବା ସହିତ ନୂଆଦିଲ୍ଲୀ ସହିତ ସମସ୍ତ ସଂପର୍କ ଛିନ୍ନ କରିବା ଲାଗି ଇଣ୍ଡୋନେସିଆ ସରକାରଙ୍କୁ କୁହାଯାଇଥିଲା ।