ଅମ୍ବାଲା: ଭାରତ ଓ ଫ୍ରାନ୍ସ ପରସ୍ପର ମିଳିତ ଭାବରେ ସାମରିକ ଶିଳ୍ପ କ୍ଷେତ୍ରରେ ସହଯୋଗରେ ଜାରି ରଖିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି । ଫ୍ରାନ୍ସ ସଶସ୍ତ୍ର ବାହିନୀର ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀଙ୍କ ସହ ସାକ୍ଷାତ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି । ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ର ତଥା ସାମରିକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବାକୁ ଆମେ ନିଷ୍ପତ୍ତି ନେଇଛୁ । ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମେକ୍ ଇନ୍ ଇଣ୍ଡିଆ" ପଦକ୍ଷେପ ଓ ଦେଶରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କରାଯାଇଥିବା ସଂସ୍କାର ନୀତି ବିଷୟରେ ସୂଚନା ଦେଇଛନ୍ତି।
ରାଜନାଥ ସିଂ କହିଛନ୍ତି, ଆମର ନୂତନ ନୀତି ବ୍ୟବସ୍ଥାରେ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ଫ୍ରାନ୍ସ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଉଛି। ପ୍ରତିରକ୍ଷା କରିଡରରେ ବିନିଯୋଗ କରିବାକୁ ମୁଁ ଫ୍ରାନ୍ସର ପ୍ରତିରକ୍ଷା ନିର୍ମାତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ଭବିଷ୍ୟତରେ ମଧ୍ୟ ଆମର ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ଆମେ ଆଶା କରୁଛୁ ।