ନୂଆଦିଲ୍ଲୀ: ଯଦିଓ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ସଂପର୍କିତ ବୁଝାମଣା ସଂପାଦନ ନିମନ୍ତେ, ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ବନ୍ଧକୁ ଆଗେଇ ନେବା ପାଇଁ ଉଭୟ ପକ୍ଷର ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପର ସୂତ୍ରପାତ ହୋଇଛି, ତଥାପି ଦୀର୍ଘ ଦିନ ହେଲା ଅସମାପ୍ତ ରହିଥିବା ଏଭଳି ବୁଝାମଣା ନିକଟରେ ଫଳପ୍ରଦ ହେବାର ସମ୍ଭାବନା କ୍ଷୀଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଭାରତ ପାଇଁ ଉତ୍ପନ୍ନ ପ୍ରତିକୂଳ ପରିସ୍ଥିତିର ଅନ୍ୟତମ କାରଣ ହେଉଛି ଯେ, ଲୋଭନୀୟ ୟୁରୋପୀୟ ବଜାରରେ ପ୍ରବେଶ କରିବା ଲାଗି ଦୌଡ଼ରେ ଉଭୟ ଭାରତ ଓ ଭିଏତନାମ ରହିଥିଲେ ହେଁ ଗତ ମାସରେ ଭିଏତନାମ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ସଂପାଦିତ ହୋଇଛି । ଜୁଲାଇ 15 ତାରିଖରେ ଅନ୍ଲାଇନ୍ରେ ଅନୁଷ୍ଠିତ 15ଶ ଭାରତ-ୟୁରୋପୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିଶେଲ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର ଲେୟନ ପ୍ରମୁଖ ଯୋଗ ଦେଇଥିଲେ ଏବଂ ଏହି ସମ୍ମିଳନୀ ଅବସରରେ ରାଜନୈତିକ ଏବଂ ସୁରକ୍ଷା, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ରହିଥିବା ସହଯୋଗର ସମୀକ୍ଷା କରାଯାଇଥିଲା ।
ସମ୍ମିଳନୀ ଶେଷରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ (ପଶ୍ଚିମ) ବିକାଶ ସ୍ବରୂପ କହିଲେ, ଏହି ସମ୍ମିଳନୀର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ହେଲା ଯେ, ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ବନ୍ଧ ସଂକ୍ରାନ୍ତରେ ଉଚ୍ଚ ସ୍ତରୀୟ ବାର୍ତ୍ତାଳାପ ଲାଗି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛ ଏବଂ ଏଥିରେ ବାଣିଜ୍ୟ ଓ ବଜାର ପ୍ରସଙ୍ଗ ସମେତ ଯୋଗାଣ ଶୃଙ୍ଖଳର ସଂଯୋଗ ସ୍ଥାପନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ସ୍ବରୂପ କହିଲେ ଯେ, ଉଭୟ ପକ୍ଷର ନେତାମାନେ “କୋଭିଡ୍ ପରବର୍ତ୍ତୀ ସମୟରେ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ ଉଭୟ ପକ୍ଷର ପ୍ରାଥମିକତା, ଯୋଗାଣ ଶୃଙ୍ଖଳ ସଂଯୋଗର ବିଭିନ୍ନତା କ୍ଷେତ୍ରରେ ସାମୂହିକ ସ୍ବାର୍ଥସାଧନ ପ୍ରସଙ୍ଗ ସହିତ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ନିହିତ ସାମର୍ଥ୍ୟ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଥିଲେ ଏବଂ ବାଣିଜ୍ୟ କ୍ଷେତ୍ରରେ ରହିଥିବା ଉଭୟ ପକ୍ଷର ସମସ୍ୟା ସମାଧାନ ସଂପର୍କରେ ଆଲୋଚନା କରିଥିଲେ”।
ସେ କହିଲେ, “ଦେଶ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI)କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଅଗ୍ରାଧିକାର ପ୍ରଦାନ ଏବଂ ସରକାରୀ ନିୟନ୍ତ୍ରଣମୂଳକ ପରିବେଶକୁ ସୁଗମ କରିବା ପାଇଁ ପ୍ରୟାସ ସହିତ ସହଜ ବ୍ୟବସାୟ ପ୍ରକ୍ରିୟା ସ୍ଥାପନ ଉପରେ ଆମ ପ୍ରଧାନ ମନ୍ତ୍ରୀ ଜୋର ଦେଇଥିଲେ ।”
“ଭାରତରେ ଉପଲବ୍ଧ ସୁଯୋଗର ଉପଯୋଗ କରିବା ପାଇଁ ବିଭିନ୍ନ ୟୁରୋପୀୟ ବ୍ୟାବସାୟିକ ସଂସ୍ଥାକୁ ସେ ଆମନ୍ତ୍ରଣ ଜଣାଇଥିଲେ ଏବଂ ଭାରତର ଘରୋଇ ଉତ୍ପାଦକୁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ସହ ସଂଯୋଜିତ କରିବା ‘ଆତ୍ମନିର୍ଭର ଭାରତ’ ଯୋଜନାର ଲକ୍ଷ୍ୟ ବୋଲି ସୂଚାଇ ଦେଇଥିଲେ ।”
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, 2018ରେ ସାମୂହିକ ଭାବେ ୟୁରୋପୀୟ ସଂଘ ଭାରତର ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ରହିଥିବା ବେଳେ ଭାରତ, ୟୁରୋପୀୟ ସଂଘର ନବମ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ରହିଥିଲା ।
2018-19ରେ ୟୁରୋପୀୟ ସଂଘ ସହ ଭାରତର 115.6 ବିଲିଅନ୍ (ଶହ କୋଟି) ଡଲାରର ଦ୍ବିପାକ୍ଷିକ ବାଣିଜ୍ୟ କାରବାର ହୋଇଥିଲା ଏବଂ ଏଥିରେ ଭାରତରୁ ରପ୍ତାନୀ ପରିମାଣ ଥିଲା 57.17 ବିଲିଅନ୍ ଡଲାର ଏବଂ ୟୁରୋପୀୟ ସଂଘରୁ ଭାରତକୁ ଆମଦାନୀ ପରିମାଣ ଥିଲା 58.42 ବିଲିଅନ୍ ଡଲାର । ସେବା କ୍ଷେତ୍ରରେ ମଧ୍ୟ ୟୁରୋପୀୟ ସଂଘ ପାଇଁ ଭାରତ ଚତୁର୍ଥ ବୃହତ୍ତମ ରପ୍ତାନୀକାରୀ ରାଷ୍ଟ୍ର ଏବଂ ସେବା ରପ୍ତାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ଲାଗି ଭାରତ ଷଷ୍ଠ ବୃହତ୍ତମ ଲକ୍ଷ୍ୟସ୍ଥଳ ।
ୟୁରୋପୀୟ ସଂଘ ମଧ୍ୟ ଭାରତରେ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିଛି । 2000 ମସିହା ଏପ୍ରିଲରୁ 2018 ଜୁନ୍ ମଧ୍ୟରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ପାଖରୁ ଭାରତକୁ ଆସିଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ମୋଟ ପରିମାଣ ହେଉଛି 90.7 ବିଲିଅନ୍ ଡଲାର, ଯାହାକି ଭାରତରେ ସର୍ବମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର 24 ପ୍ରତିଶତ । ଯୁରୋପୀୟ ସଂଘରୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ଧାରାରେ ଉନ୍ନତି ସହିତ ଏହାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସୁଗମ ପୁଞ୍ଜିନିବେଶ ବ୍ୟବସ୍ଥା ସ୍ଥାପନ କରାଯାଇଛି ।
2017 ମାର୍ଚ୍ଚରେ ନୂଆଦିଲ୍ଲୀରେ ୟୁରୋପିଆନ୍ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଏକ କାର୍ଯ୍ୟାଳୟ ଖୋଲିଥିଲା ଏବଂ ଭାରତରେ ବିଭିନ୍ନ ପ୍ରକଳ୍ପ ଲାଗି ଏହି ବ୍ୟାଙ୍କ ଋଣ ପ୍ରଦାନ କରିଛି । ୟୁରୋପୀୟ ସଂଘରେ ଭାରତର ପୁଞ୍ଜିନିବେଶ 50 ବିଲିଅନ୍ ୟୁରୋ ହେବ ବୋଲି ଆକଳନ କରାଯାଇଛି । ଏସବୁ ସତ୍ତ୍ବେ ଉଭୟ ପକ୍ଷ ଏକ ବିସ୍ତୃତ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ରାଜିନାମା ବା ‘ବ୍ରଡ୍-ବେସ୍ଡ ଟ୍ରେଡ୍ ଆଣ୍ଡ ଇନ୍ଭେଷ୍ଟମେଣ୍ଟ ଏଗ୍ରୀମେଣ୍ଚ’ (BTIA) ରୂପେ ଅଭିହିତ ମୁକ୍ତ ବାଣିଜ୍ୟ ରାଜିନାମା ଲାଗି ସମ୍ମତି ପ୍ରକାଶ କରିବାରେ ସକ୍ଷମ ହୋଇନାହାନ୍ତି ।
2007ରେ BTIA ପାଇଁ ଆଲୋଚନା ଆରମ୍ଭ ହୋଇଥିଲା କିନ୍ତୁ ପ୍ରାୟ ଏକ ଡଜନ ପର୍ଯ୍ୟାୟରେ ବୈଠକ ବସିବା ପରେ 2013ରେ ଏହାକୁ ସ୍ଥଗିତ ରଖାଯାଇଥିଲା ।ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ଯେ, ପୂର୍ବରୁ ସମସ୍ତ ଦେଶ ସହିତ ରହିଥିବା ଦ୍ବିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି (BIT)କୁ ଭାରତ ପରିତ୍ୟାଗ କରିବା ପରେ ୟୁରୋପୀୟ ଦେଶ ସମୂହର ପୁଞ୍ଜିନିବେଶ ଏବେ ସୁରକ୍ଷିତ ନୁହେଁ ।
ଡିସେମ୍ବର 2015ରେ ନୂଆଦିଲ୍ଲୀରେ ଦ୍ବିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତିର ଏକ ନୂତନ ମଡେଲ ଜାରି ହେବା ପରେ ଭାରତ ସମସ୍ତ ଦ୍ବିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତିକୁ ଖାରଜ କରିଦେଇଥିଲା । ଏହାପରେ ୟୁରୋପୀୟ ସଂଘର ସମସ୍ତ 28ଟି ସଦସ୍ୟ ରାଷ୍ଟ୍ର ପୁଞ୍ଜିନିବେଶ ସୁରକ୍ଷା ସଂପର୍କିତ ବୁଝାମଣା ଦାୟିତ୍ବ ୟୁରୋପୀୟ ସଂଘ ଉପରେ ନ୍ୟସ୍ତ କରିଥିଲେ । ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ, ‘ବ୍ରେକ୍ସିଟ୍’ ବା ୟୁରୋପୀୟ ସଂଘରୁ ଓହରିଯିବା ପାଇଁ ବ୍ରିଟେନ୍ର ନିଷ୍ପତ୍ତି ଏବଂ ଅର୍ଥନୈତିକ ସମ୍ବନ୍ଧ କ୍ଷେତ୍ରରେ ବହୁପାକ୍ଷିକ ଭୂମିକାରେ ସଂଘଟିତ ପରିବର୍ତ୍ତନ ଯୋଗୁଁ ପୁଞ୍ଜିନିବେଶ ସୁରକ୍ଷା ସଂପର୍କରେ ଉଦ୍ବେଗ ସୃଷ୍ଟି କାରଣରୁ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ସଂପର୍କରେ ଅନିଶ୍ଚିତତା ଲାଗି ରହିଛି ।
ଈଟିଭି ଭାରତକୁ ଭାରତୀୟ ରପ୍ତାନୀ ସଂଗଠନ ମହାସଂଘ (FIEO)ର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ସହାୟ କହିଛନ୍ତି ଯେ, ଅଟୋମୋବାଇଲ ଏବଂ ଅଟୋ ପାର୍ଟସ, ୱାଇନ୍ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଆମଦାନୀ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସହିତ ଡାଟା ସୁରକ୍ଷା କାରଣରୁ ଭାରତ-ୟୁରୋପୀୟ ସଂଘ ମଧ୍ୟରେ BTIA ସଂପାଦନରେ ବିଳମ୍ବ ହେଉଛି ।
ସହାୟ କହିଲେ, “ଗୋଟିଏ ରପ୍ତାନୀକାରୀ ସଂଗଠନ ହିସାବରେ ଆମେ ସମସ୍ତେ ମୁକ୍ତ ବାଣିଜ୍ୟ ରାଜିନାମା ସପକ୍ଷରେ ରହିଛୁ ।”“କିନ୍ତୁ ଉଭୟ ପକ୍ଷ ପରସ୍ପରକୁ କେତେ ସୁଯୋଗ ଦେଉଛନ୍ତି, ତାହା ଉପରେ ଏହା ନିର୍ଭର କରେ । ଉଭୟ ପକ୍ଷ ଏକ ସନ୍ତୁଳିତ ଆଭିମୁଖ୍ୟ ଆପଣେଇବା ଦରକାର ।” ଜବାହର ନେହରୁ ବିଶ୍ବବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ପରିଚାଳିତ ସେଣ୍ଟର ଫର୍ ୟୁରୋପିଆନ୍ ଷ୍ଟଡିଜ୍ର ଅଧ୍ୟକ୍ଷ ଗୁଲଶନ ସଚଦେବାଙ୍କ ମତରେ, ବ୍ରିଟେନ୍ ଭାରତର ଏକ ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଭାବେ ରହିଆସିଛି ଏବଂ ଏବେ ଏହା ୟୁରୋପୀୟ ସଂଘରୁ ଓହରି ଯିବା ଅବସ୍ଥାରେ ରହିଥିବାରୁ, BTIA କ୍ଷେତ୍ରରେ ଭାରତର ଆଭିମୁଖ୍ୟ ପରିବର୍ତ୍ତିତ ହେବା ଆବଶ୍ୟକ ।
ସଚଦେବା କହିଲେ, “ୟୁରୋପୀୟ ସଂଘ ସହିତ ୟୁକେ କେଉଁ ପ୍ରକାରର ବାଣିଜ୍ୟ ରାଜିନାମା କରିବ, ତାହା ଉପରେ ସବୁ ନିର୍ଭର କରୁଛି । ତାପରେ ୟୁରୋପରେ ଶରଣାର୍ଥୀ ସମସ୍ୟା ଏବଂ ଏହାର ପରବର୍ତ୍ତୀ ସମୟରେ ୟୁରୋପୀୟ ଅର୍ଥବ୍ୟବସ୍ଥା ମଧ୍ୟ ପ୍ରସଙ୍ଗରେ ସାମିଲ ହେବ ।”
ସେ ଆହୁରି କହିଲେ ଯେ, ଯଦିଓ ଜୁଲାଇ 15ର ସମ୍ମିଳନୀ ପରେ, ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ବନ୍ଧ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ଆଲୋଚନା ବ୍ୟବସ୍ଥା ସ୍ଥାପିତ ହୋଇଛି, ତଥାପି, ଏଥିରେ କେବଳ BTIA ବୁଝାମଣାକୁ ପୁଣି ଆରମ୍ଭ କରିବାର ପ୍ରକ୍ରିୟା ସଂପର୍କରେ ଆଲୋଚନା ହେବ ଏବଂ ଏହି କାରଣରୁ ନିକଟ ଭବିଷ୍ୟତରେ ଏହି ରାଜିନାମା ସଂପାଦନ ବାସ୍ତବତାର ରୂପ ନେବା ସମ୍ଭାବନା ଅତି କ୍ଷୀଣ ।
ସହାୟ ଏହା ମଧ୍ୟ ସୂଚାଇ ଦେଲେ ଯେ, ଏ ବର୍ଷ ଜୁନ୍ରେ ୟୁରୋପୀୟ ସଂଘ ସହିତ ଭିଏତନାମ ଏକ ମୁକ୍ତ ବାଣିଜ୍ୟ ରାଜିନାମା ସଂପାଦନ କରିବା ପରେ ଭାରତ ଅଧିକ ପ୍ରତିକୂଳ ପରିସ୍ଥିତିରେ ରହିଛି । ସିଙ୍ଗାପୁର ପରେ, ୟୁରୋପୀୟ ସଂଘ-ଭିଏତନାମ ମୁକ୍ତ ବାଣିଜ୍ୟ ରାଜିନାମା (EVFTA) ହେଉଛି ୟୁରୋପୀୟ ସଂଘ ସହିତ କୌଣସି ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଗଠନ (ASEAN) ସଦସ୍ୟ ରାଷ୍ଟ୍ରର ଦ୍ବିତୀୟ ମୁକ୍ତ ବାଣିଜ୍ୟ ରାଜିନାମା ।
ସହାୟ କହିଲେ, “ୟୁରୋପୀୟ ବଜାରରେ ପ୍ରବେଶ କରିବା ଲାଗି ଉଭୟ ଭାରତ ଓ ଭିଏତନାମ ପ୍ରତିଯୋଗିତା କରୁଥିଲେ । ଏବେ ଭିଏତନାମ ମୁକ୍ତ ବାଣିଜ୍ୟ ରାଜିନାମା ସଂପାଦନ କରିବା ପରେ ୟୁରୋପୀୟ ବଜାରରେ ଏହା ପୋଷାକପତ୍ର, ଜୋତା, ଚମଡ଼ା ସାମଗ୍ରୀ, ଆସବାବପତ୍ର, ସାମୁଦ୍ରିକ ଉତ୍ପାଦ ଏବଂ କେତେକ କୃଷିଜାତ ଉତ୍ପାଦ କାରବାର କରିପାରିବ । ଶୁଳ୍କ କ୍ଷେତ୍ରରେ ମଧ୍ୟ ଭିଏତନାମ ସୁବିଧାଜନକ ସ୍ଥିତିରେ ରହିବ ।”