ନୂଆଦିଲ୍ଲୀ: ଦେଶରେ ବିଗୁଡୁଛି କୋଭିଡ୍ ସ୍ଥିତି। ସଂକ୍ରମଣର ଚେର ଦିନକୁ ଦିନ ବଢୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢିଚାଲିଛି। ମଙ୍ଗଳବାର ତାଜା ରିପୋର୍ଟ ଅନୁସାରେ ସଂକ୍ରମଣ ମାର୍କ 24 ଘଣ୍ଟାରେ 29,429 ଛୁଇଁଛି। ସେହିପରି ଦେଶରେ ଭାଇରସରେ ମୃତ୍ୟୁସଂଖ୍ୟା 24,000 ପାର କରିଥିବା ବେଳେ ଦିନକରେ 582 ଜଣଙ୍କ ପ୍ରାଣ ଯାଇଛି।
ତେବେ ନୂଆ ମାମଲା ଚିହ୍ନଟ ପରେ ଦେଶରେ ସଂକ୍ରମଣ ତାଲିକା 9,36,994ରେ ପହଁଞ୍ଚିଛି। ସେହିପରି ରବିବାର ସର୍ବାଧିକ ଦିନିଆ ରେକର୍ଡ ଭାଙ୍ଗି 29,271 ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ବର୍ତ୍ତମାନ ପୁନରୁଦ୍ଧାର ସଂଖ୍ୟା 5,71,459 କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା 3,11,565 ରେ ପହଞ୍ଚିଛି।
ରବିବାର ଓ ସୋମବାର ଦେଶରେ କୋଭିଡ୍ 19 ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଆମେରିକାର ପରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଦେଶ ବ୍ରାଜିଲକୁ ମଧ୍ୟ ଅତିକ୍ରମ କରିଯାଇଛି। ଖବର ଥାଉକୁ ଗତ ଶୁକ୍ରବାରରୁ ବ୍ରାଜିଲରେ କୋଭିଡ୍ ସଂକ୍ରମଣ ହାର ଧୀରେ ଧୀରେ କମୁଛି, ନଚେତ୍ ଦେଶ ଦୈନିକ 45 ହଜାର ନୂଆ ମାମଲା ଚିହ୍ନଟ କରୁଥିଲା।
ସେହିପରି 10ଟି ରାଜ୍ୟରେ 1000ରୁ ଉର୍ଦ୍ଧ୍ବ ନୂଆ କୋଭିଡ୍ ମାମଲା ରିପୋର୍ଟ କରାଯାଇଛି। ଭାରତରେ ଜୁଲାଇ 4 ରେ 608 ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ପୁଣି ଥରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ 267,665 ମାମଲା, ଦିଲ୍ଲୀ 115,346 ଏବଂ ତାମିଲନାଡୁ 147,324 ମାମଲା ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯେ ବିଶ୍ବରେ ମିଲିୟନ ଜନସଂଖ୍ୟାରେ ଭାରତରେ ସର୍ବନିମ୍ନ କୋଭିଡ୍ 19 ମାମଲା ରହିଛି । ଯେଉଁଥିରେ ଦେଶର ପ୍ରତି ମିଲିୟନ ଜନସଂଖ୍ୟା 657 ରେକର୍ଡ ହୋଇଥିବାବେଳେ ବିଶ୍ବରେ ହାରାହାରି 1638 ରହିଛି। ଏଥିସହ, ପ୍ରତି ମିଲିୟନ୍ ଜନସଂଖ୍ୟାରେ ଭାରତର ମୃତ୍ୟୁ 17.2 ଥିବାବେଳେ ବିଶ୍ବର ହାରାହାରି 73 ରେ ଏହା ବିଶ୍ବ ର ସର୍ବନିମ୍ନ ମଧ୍ୟରେ ରହିଛି। ପଶ୍ଚିମବଙ୍ଗର କଣ୍ଟେଣ୍ଟମେଣ୍ଟ ଜୋନରେ ଲକ୍ଡାଉନ୍ ଜୁଲାଇ 19 ପର୍ଯ୍ୟନ୍ତ ବୃଦ୍ଧି ପାଇଛି।