ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଉଭୟ ଦେଶର ସୈନ୍ୟବାହିନୀର କମାଣ୍ଡୋ ଚୁସୁଲରେ ସାକ୍ଷାତ କରୁଛନ୍ତି, କିନ୍ତୁ ଏହା ବ୍ୟତୀତ ଗତ 3 ଦିନ ମଧ୍ୟରେ ଏଲଏସିର ଉଭୟ ପାର୍ଶ୍ବରେ ସେନାର ଉପସ୍ଥିତି ବୃଦ୍ଧି ପାଇଛି। ଯବାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହା ବିବାଦୀୟ ସ୍ଥିତିକୁ ପ୍ରତିଫଳିତ କରୁଛି ।
ସୂଚନାନୁସାରେ, ଭାରତୀୟ ସେନା ନିଜର ଉପସ୍ଥିତିକୁ ବହୁ ପରିମାଣରେ ମଜବୁତ କରିଛି । ଏହା ବ୍ୟତୀତ ଚୀନ ସେନା ଫିଙ୍ଗର ଅଞ୍ଚଳ ଓ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ମଧ୍ୟ ନିଜର ଉପସ୍ଥିତି ବୃଦ୍ଧି କରିଛି। ଗତ କିଛି ଦିନ ହେବ ଫିଙ୍ଗର-4 ବିଷୟରେ ଉଭୟ ଦେଶର ସୈନ୍ୟବାହିନୀରେ ଆଲୋଚନା ହୋଇଥିଲା। ଫିଙ୍ଗର-4କୁ ନେଇ ତିକ୍ତତା ବଢୁଛି କାରଣ ଚୀନ ସେନା ବର୍ତ୍ତମାନ ଏହାକୁ ଅଧିକାର କରିଛି । ଚୀନ ସେନା ଏଠାରୁ ପଛକୁ ଫେରୁନାହିଁ କିନ୍ତୁ ଏହି ସ୍ଥାନ ଉଭୟ ଦେଶରେ ପାଟ୍ରୋଲିଂ ପଏଣ୍ଟ ।