ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ସ୍ତରୀୟ ଆଲୋଚନା ଜାରି ରହିଛି । ଇତି ମଧ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଅଞ୍ଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର ପାଇଁ ମଡାଲିଟି ପ୍ରସ୍ତୁତ କରିବାକୁ ଭାରତ ଏବଂ ଚୀନ ଏକ ନୂତନ ସ୍ତରୀୟ ସାମରିକ ଆଲୋଚନା କରିବାର ସମ୍ଭାବନା ପ୍ରକାଶ ପାଇଛି । ଭାରତ ଏବଂ ଚୀନ ମଧ୍ୟରେ ଆସନ୍ତା ସପ୍ତାହରେ ପଞ୍ଚମ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବାର ସମ୍ଭାବନା ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦେଶର ସୈନ୍ୟବାହିନୀର ବରିଷ୍ଠ ସୈନ୍ୟ କମାଣ୍ଡୋମାନେ ପୂର୍ବ ଲଦାଖର ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚାରି ରାଉଣ୍ଡ ଆଲୋଚନା କରିଛନ୍ତି । ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ପକ୍ଷ । ସୂତ୍ର ଅନୁଯାୟୀ, ସାମରିକ ଏବଂ କୂଟନୈତିକ ସ୍ତରରେ ଚାଲିଥିବା ଯୋଗଦାନ ଏବଂ ସଂଳାପ ଯୋଗୁଁ ପୂର୍ବ ଲଦାଖର 14, 15 ଏବଂ 17 ଏ ପାଟ୍ରୋଲିଂ ପଏଣ୍ଟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇଛି ।
ଆସନ୍ତା ସପ୍ତାହରେ ଦୁଇ ସୈନ୍ୟବାହିନୀର ବରିଷ୍ଠ କମାଣ୍ଡୋଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ଉଭୟ ପକ୍ଷ ପାଙ୍ଗୋଙ୍ଗ ସୋ ହ୍ରଦ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ତେବେ ଚୀନ ସୈନ୍ୟବାହିନୀ ଗଲୱାନ୍ ଉପତ୍ୟକା ଏବଂ ଅନ୍ୟାନ୍ୟ ସଂଘର୍ଷ ସ୍ଥଳରୁ ପଛକୁ ଫେରିଛନ୍ତି । କିନ୍ତୁ ଚୀନ ସୈନ୍ୟ ଭାରତର ଇଚ୍ଛା ଅନୁଯାୟୀ ପାଙ୍ଗୋଙ୍ଗ ସୋ ଅଞ୍ଚଳର ଫିଙ୍ଗର 5 ରୁ ଫିଙ୍ଗର 8 କୁ ଫେରିନାହାନ୍ତି ବୋଲି କୁହାଯାଉଛି ।