ବାସ୍ତବ ନିୟନ୍ତ୍ରଣ ରେଖାରେ ମୁହାଁମୁହିଁ ସ୍ଥିତିର ଆଠ ସପ୍ତାହ ପରେ ଏବଂ ଜୁନ 15 ରାତିରେ ଗଲୱାନ ଉପତ୍ୟକାରେ ଚୀନ ସେନା ସହ ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ପ୍ରାଣ ହରାଇବାର କିଛି ସପ୍ତାହ ପରେ, ସୀମାରେ ଉତ୍ତେଜନା ପ୍ରଶମନ ଦିଗରେ ସୀମିତ ଉଦ୍ୟମ ଆରମ୍ଭ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟରୁ ମିଳିଥିବା ନିଶ୍ଚିତ ସୂଚନା ଅନୁସାରେ, ସୀମା ସଂକ୍ରାନ୍ତ ବାର୍ତ୍ତାଳାପ ଲାଗି ଉଭୟ ପକ୍ଷର ସ୍ବତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ କଥାବାର୍ତ୍ତାର ଦିନକ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ବିଭନ୍ନ ସୂତ୍ରରୁ ପ୍ରକାଶ ଯେ, ଜୁଲାଇ 5 ତାରିଖ, ରବିବାରଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନର ଷ୍ଟେଟ୍ କାଉନ୍ସିଲର ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ଟେଲିଫୋନ୍ରେ ପାଖାପାଖି ଦୁଇ ଘଣ୍ଟା କାଳ କଥାବାର୍ତ୍ତା କରି ଲଦାଖର ପଶ୍ଚିମ ସେକ୍ଟର ଉପରେ ‘ସ୍ପଷ୍ଟ ଏବଂ ବିସ୍ତୃତ ଦୃଷ୍ଟିଭଙ୍ଗୀ’ର ଆଦାନପ୍ରଦାନ କରିଥିଲେ । ଏହା ପୂର୍ବରୁ, ଗତ ମାସରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗଲୱାନ ସଂଘର୍ଷ ସଂପର୍କରେ ୱାଙ୍ଗ ୟିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ନେତା, ସେମାନଙ୍କର ଋଷ ପ୍ରତିପକ୍ଷଙ୍କ ସହିତ ମିଶି କୋଭିଡ୍-19 କ୍ଷେତ୍ରରେ ସହଯୋଗ ପାଇଁ ଗଠିତ RIC (ରୁଷ-ଭାରତ-ଚୀନ) ସଂଗଠନ ଆନୁକୂଲ୍ୟରେ ଏକ ଅନ୍ଲାଇନ ବୈଠକରେ ଅଂଶଗ୍ରହଣ କରିଥିଲେ ।
ହେଲେ, ବାସ୍ତବ ନିୟନ୍ତ୍ରଣ ରେଖାରେ ବିବାଦ ସଂପର୍କିତ ଏହି ଦ୍ବିପାକ୍ଷିକ କଥାବାର୍ତ୍ତା RIC କାର୍ଯ୍ୟସୂଚୀର ଏକ ଅଂଶ ନଥିଲା । ସୀମା ବିବାଦର ସମାଧାନ ଖୋଜିବା ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବରେ ନିଯୁକ୍ତି ପାଇଥିବା କାରଣରୁ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ରବିବାର ଦିନ ହୋଇଥିବା ବାର୍ତ୍ତାଳାପ ଗୁରୁତ୍ବପୂର୍ଣ୍ଣ । ବେଜିଂରେ ପ୍ରଚଳିତ ସରକାରୀ ପଦକ୍ରମରେ ବୈଦେଶିକ ମନ୍ତ୍ରୀ ପଦରୁ ଗୋଟିଏ ପାହ୍ୟା ଉପରେ ଷ୍ଟେଟ୍ କାଉନ୍ସିଲର ପଦବୀ ରହିଛି । ପୂର୍ବରୁ ଚୀନର ଷ୍ଟେଟ୍ କାଉନ୍ସିଲର ଏବଂ 2017 ପର୍ଯ୍ୟନ୍ତ ସ୍ବତନ୍ତ୍ର ପ୍ରତିନିଧି ରହିଥିବା ୟାଙ୍ଗ ଜେଇଚିଙ୍କ ସହ ଡୋଭାଲ ଆଲୋଚନା କରୁଥିଲେ । ସେତେବେଳେ ୱାଙ୍ଗ ୟି କେବଳ ବୈଦେଶିକ ମନ୍ତ୍ରୀ ଥିଲେ । ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ସ୍ଥାପିତ ବାର୍ତ୍ତାଳାପ ପ୍ରକ୍ରିୟାକୁ ପୁନର୍ବାର ସକ୍ରିୟ କରିବା ସହିତ ଭାରତ ଏବେ ଏକ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନାର ସଂକେତ ଦେଇଛି ।
ଅଧିକାରୀମାନଙ୍କ କହିବା ଅନୁସାରେ, ମତପାର୍ଥକ୍ୟକୁ ବିବାଦରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ଉଭୟ ରାଜି ହୋଇଥିଲେ ଏବଂ ଭାରତ-ଚୀନ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଦୁଇ ଦେଶର ଶୀର୍ଷସ୍ଥାନୀୟ ରାଜନୈତିକ ନେତାଙ୍କ ସମ୍ମତି ଉପରେ ଗୁରୁତ୍ବାରୋପ କରିଥିଲେ । ଭାରତ ସରକାରଙ୍କ ପକ୍ଷରୁ ଜାରି ଏକ ଔପଚାରିକ ବିବୃତିରେ କୁହାଯାଇଛି, “ଯେତେ ଶୀଘ୍ର ସମ୍ଭବ, ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାରକୁ ନିଶ୍ଚିତ କରିବା ସହିତ ଭାରତ-ଚୀନ ସୀମାରେଖାରେ ଶାନ୍ତି ଓ ସ୍ଥିରତା ପୁନର୍ସ୍ଥାପନ କରିବା ସକାଶେ ଉତ୍ତେଜନା ପ୍ରଶମନ କରାଇବା ଲାଗି ସେମାନେ ସମ୍ମତ ହୋଇଥିଲେ । ଏ ସଂକ୍ରାନ୍ତରେ ସେମାନେ ଉଭୟ ପକ୍ଷ ଚଳାଇଥିବା ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉଚିତ ବୋଲି ମଧ୍ୟ ସମ୍ମତ ହୋଇଥିଲେ । ”