ନୂଆଦିଲ୍ଲୀ: ଲଦାଖରେ ସୀମା ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ, ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟ ସାମିଲ ହୋଇଥିଲେ । ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସହ ଉକ୍ତ ପ୍ରସଙ୍ଗରେ ପୃଥକ ଭାବରେ ଆଲୋଚନା କରିଥିଲେ ।
ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଚୀନ୍ ସହ ତିକ୍ତତା ପ୍ରସଙ୍ଗରେ ସିଡିଏସ୍ ମୁଖ୍ୟ ଜେନେରାଲ୍ ରାୱତ ଏବଂ ତିନି ସେନା ମୁଖ୍ୟଙ୍କ ସହ ଏକ ଦୀର୍ଘ ସମୀକ୍ଷା ବୈଠକ କରିଥିଲେ । ରାଜନାଥ ସିଂଙ୍କୁ ସେନା ମୁଖ୍ୟ ଜେନେରାଲ ଏମଏମ ନରୱାନେ ଏହି ମାମଲାର ସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ସେ ଦୁଇ ଦିନ ପୂର୍ବରୁ ଲେହ ଗସ୍ତ କରି ଫେରିଥିଲେ । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୈନିକ ନିୟୋଜନ ଉପରେ ପ୍ରଶ୍ନ ପଚାରିବା ସହ ଚୀନର ଉତ୍ତେଜନା ବିରୋଧରେ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଆଶ୍ବସନା ଦେଇଥିଲେ ।