ସଞ୍ଜୟ ପୁଲିପକା
ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍, ଝିଅ ଇଭାଙ୍କା ଟ୍ରମ୍ପ୍ ଏବଂ ଜ୍ବାଇଁ ଜାରେଡ୍ କୁଶନରଙ୍କ ଭଳି ପରିବାରର ଗୁରୁତ୍ବପୂର୍ଣ୍ଣ ସଦସ୍ୟମାନଙ୍କୁ ସାଙ୍ଗରେ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ ଗସ୍ତ ସଫଳତାର ସହ ଶେଷ ହୋଇଛି । ଅହମ୍ମଦାବାଦର ରୋଡ୍ ଶୋ’ରେ ଏବଂ ମୋଟେରା ଷ୍ଟାଡିଅମ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସାଧାରଣ ଲୋକଙ୍କ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ସ୍ବାଗତ କରିବା ଲାଗି ଷ୍ଟାଡିଅମ୍ରେ ପ୍ରବଳ ଭିଡ଼ ଲାଗି ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନର ଏହା ପ୍ରଥମ ଦୃଷ୍ଟାନ୍ତ ନଥିଲା । 1959ରେ, ରାଷ୍ଟ୍ରପତି ଆଇଜନହାୱାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍ବୋଧନ ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ସୁତରାଂ, ମୋଟେରା ଷ୍ଟାଡିଅମ୍ର ସ୍ବାଗତ ସମ୍ବର୍ଦ୍ଧନା, ଅତୀତରେ ସଂଘଟିତ ଏଭଳି କାର୍ଯ୍ୟକ୍ରମର ଧାରାପ୍ରବାହ ବୋଲି କୁହାଯାଇପାରେ । ଏଠାରେ ଏଭଳି ଅନ୍ୟ କେତେକ ଦୃଷ୍ଟାନ୍ତ ସ୍ମରଣଯୋଗ୍ୟ ମନେହୁଏ । ଯେମିତି କି ହୁଷ୍ଟନ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବିଶାଳ ସମାବେଶ ଏବଂ 2017ରେ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ଅବସରରେ ଅହମ୍ମଦାବାଦରେ ଆୟୋଜିତ ରୋଡ୍ ଶୋ’ ।
କେତେକ ବ୍ୟକ୍ତି ଯୁକ୍ତି କରନ୍ତି ଯେ, ଚୀନ୍କୁ ନିୟନ୍ତ୍ରଣରେ ରଖିବାକୁ ଇଚ୍ଛା ହିଁ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସଂପର୍କ ବୃଦ୍ଧି ପଛରେ ଥିବା ମୂଳ କାରଣ । ହୁଏତ ଏଭଳି ଏକ ଦୃଷ୍ଟିକୋଣରେ କିଛିଟା ସତ୍ୟତା ଥାଇପାରେ । ବାସ୍ତବରେ ମୋଟେରା ଷ୍ଟାଡିଅମ୍ (ଅହମ୍ମଦାବାଦ)ରେ ତାଙ୍କ ଉଦ୍ବୋଧନରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ, “ବଳପ୍ରୟୋଗ କରି, ଭୟଭୀତ କରାଇ ଏବଂ ଆକ୍ରମଣ କରି କ୍ଷମତା ହାସଲ କରିବାକୁ ଚାହୁଁଥିବା ଗୋଟିଏ ଦେଶ ଏବଂ ଲୋକଙ୍କୁ ମୁକ୍ତ କରି ଏବଂ ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ସୁଯୋଗ ଦେଉଥିବା ଅନ୍ୟ ଏକ ଦେଶ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି ।” ଅନେକ ବିଶ୍ଲେଷକଙ୍କ ମତରେ ଏଠାରେ ରାଷ୍ଟ୍ରପତି ଟ୍ରମ୍ପ୍, ପରୋକ୍ଷରେ ଭାରତ ଓ ଚୀନ ମଧ୍ୟରେ ଥିବା ପାର୍ଥକ୍ୟ ଉପସ୍ଥାପନ କରୁଛନ୍ତି । ସେ ଯାହାହେଉ ନା କାହିଁକି, କେବଳ ଚୀନ୍କୁ ଦୃଷ୍ଟିରେ ରଖି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ଦ୍ବିପାକ୍ଷିକ ସଂପର୍କକୁ ପରିଭାଷିତ କରାଯାଇ ପାରିବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସଂପର୍କ ବହୁବିଧ ଭିତ୍ତି ଉପରେ ସ୍ଥାପିତ, ଏବଂ ଏମିତି କି ଚୀନ୍ ମୁଣ୍ଡ ଟେକିବାର ବହୁ ପୂର୍ବରୁ, କେଇ ଦଶନ୍ଧି ଧରି ଏହି ସଂପର୍କ ମଜଭୁତ ହେବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ବହୁସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି ଏବଂ ଏହା ବ୍ୟକ୍ତିଗତ ସ୍ତରରେ ପାରସ୍ପରିକ ଭାବ ବିନିମୟକୁ ପାଥେୟ ପ୍ରଦାନ କରିଆସୁଛି । ଭାରତରେ ଇଂଲିଶର ବହୁଳ ବ୍ୟବହାର ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ ସୁବିଧାଜନକ ହେଉଛି । ଉଭୟ ଦେଶରେ ଗଣତନ୍ତ୍ର ସ୍ଥାପିତ ଏବଂ ଉଭୟ ଦେଶର ଲୋକଙ୍କ ପାଇଁ ସେମାନଙ୍କ ନେତାମାନଙ୍କର କାର୍ଯ୍ୟ ପରିସରରେ ବିଦ୍ୟମାନ ରାଜନୈତିକ ବାଧ୍ୟବାଧକତା ଏବଂ ଅବସର ସ୍ବତଃସ୍ଫୁର୍ତ୍ତ ଭାବରେ ବୋଧଗମ୍ୟ । ଏହି ମନୋଭାବ ଯୋଗୁଁ ହିଁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ କୌଣସି ମତାମତ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ରାଜି ହୋଇନଥିଲେ । ଉଦାହରଣ ସ୍ବରୂପ, ନାଗରିକତା ସଂଶୋଧନ ଆଇନ ସଂପର୍କିତ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ: “ମୁଁ ସେ ସଂପର୍କରେ ଆଲୋଚନା କରିବାକୁ ଚାହୁଁନାହିଁ । ମୁଁ ଏହାକୁ ଭାରତ ଉପରେ ଛାଡ଼ି ଦେଉଛି ଏବଂ ଆଶାଜନକ ଭାବେ ସେମାନେ ଲୋକଙ୍କ ପାଇଁ ଠିକ୍ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ପ୍ରକୃତରେ ତାହା ଭାରତ ଉପରେ ନିର୍ଭର କରେ ।”
ଭାରତର ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା । ଯଦି ଆମେ ଉଭୟ ସେବା ବାଣିଜ୍ୟ ଏବଂ ସାମଗ୍ରୀ ବାଣିଜ୍ୟକୁ ଏକାଠି କରିବା 2018ରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ 142.6 ବିଲିଅନ୍ ଡଲାରର ବାଣିଜ୍ୟିକ କାରବାର ହୋଇଥିଲା । ଗତ କିଛି ବର୍ଷର ହାରାହାରିକୁ ବିଚାର କରି ଦେଖିଲେ ଚୀନ୍ ସହିତ ସାମଗ୍ରୀ ବାଣିଜ୍ୟରେ ଭାରତ ଆନୁମାନିକ 50 ବିଲିଅନ୍ ଡଲାର ମୂଲ୍ୟର ନିଅଣ୍ଟିଆ କାରବାର କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବାଣିଜ୍ୟିକ ବଳକା (2018ରେ 20.8 ବିଲିଅନ୍ ଡଲାର ମୂଲ୍ୟର ସାମଗ୍ରୀ) ସ୍ଥିତି ବଜାୟ ରଖିଆସିଛି । ଏହି ତୁଳନାରୁ ବେଶ ବୁଝିହେଉଛି ଯେ, କାହିଁକି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବାଣିଜ୍ୟିକ ସଂପର୍କ ବଢ଼ାଇବାକୁ ଆଗଭର ହୋଇଛି । ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ (FTA) ବା ମୁକ୍ତ ବାଣିଜ୍ୟ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଉଭୟ ଦେଶ ବ୍ୟାପକ ଆଲୋଚନାରେ ମଜି ଯାଇଛନ୍ତି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ଏହି ଗସ୍ତ ଅବସରରେ ବରିଷ୍ଠ ନେତାମାନଙ୍କ ମନ୍ତବ୍ୟରୁ ଆଭାସ ମିଳୁଛି ।
ଅନେକ ସମୟରେ, ବୁଝାମଣାରେ ପକ୍ଷଭୁକ୍ତ ଦେଶଗୁଡ଼ିକର ଅର୍ଥନୈତିକ ସ୍ଥିତି ଭିନ୍ନ ଭିନ୍ନ ହୋଇଥିଲେ ବାଣିଜ୍ୟିକ ଚୁକ୍ତିନାମା ସଫଳ ହୋଇଥାଏ ଏବଂ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏବେ ସେହିଭଳି ସ୍ଥିତିରେ ଅଛନ୍ତି । ଅନେକ କାରଣ ଜନିତ ପରିଣାମରୁ ଏହି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରୁନାହିଁ । ଯଦିଓ ଟ୍ରମ୍ପ୍ ନ୍ୟୁୟର୍କରେ ରହନ୍ତି, ତଥାପି ତାଙ୍କ ରାଜନୈତିକ ଭିତ୍ତି ରହିଛି ଗ୍ରାମୀଣ ଆମେରିକାରେ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ଓ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଶିଳ୍ପସମୃଦ୍ଧ କ୍ଷେତ୍ର ବା ବିଭାଗରେ ନୁହେଁ । ପରିଣାମ ସ୍ବରୂପ, ଅନ୍ୟ ଦେଶଗୁଡ଼ିକ ନିକଟରୁ ଆମେରିକାର କୃଷି କ୍ଷେତ୍ରକୁ ବୃହତ୍ ରିହାତି ହାସଲ କରିବା ଦିଗରେ ରାଷ୍ଟ୍ରପତି ଟ୍ରମ୍ପ୍ ବେଶ୍ ଆଗ୍ରହୀ । କିନ୍ତୁ, ଭାରତ ଭଳି ଦେଶ ପାଇଁ କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ରିହାତି ପ୍ରଦାନ କଷ୍ଟକର ହେବ ।
ତା ସାଙ୍ଗକୁ, ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବୁଝାମଣା ଶୈଳୀ ମଧ୍ୟ ସମସ୍ୟାର ଏକ ବଡ଼ କାରଣ । ବିଶ୍ବ ରାଜନୀତିରେ ଆମେରିକାର ପତିଆରା ତୁଳନାତ୍ମକ ଭାବେ ହ୍ରାସ ପାଉଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବୃହତ୍ ଗୋଷ୍ଠୀ ଚିନ୍ତିତ ହେଲା ଭଳି ମନେହୁଏ । ଆମେରିକୀୟ ସମାଜକୁ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସ୍ଲୋଗାନ୍ ଥିଲା “ମେକ୍ ଆମେରିକା ଗ୍ରେଟ୍ ଏଗେନ୍” ବା ‘ପୁଣି ଆମେରିକାକୁ ମହାନ କରି ଗଢ଼ିବା’ । ଏହି ସ୍ଲୋଗାନ୍ ଅନୁରୂପ ଭାବାବେଗ ଜଡ଼ିତ ଉପାଦାନ ଖୋଜିବା ଲାଗି ଏହି ବୃହତ୍ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ଉଦ୍ୟମ କରିବ ।
ନିଜ ଦେଶ ଭିତରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କର ବାଧ୍ୟବାଧକତା ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବୁଝାମଣା କରି ଦେଶ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବାର କ୍ଷମତା ତାଙ୍କର ଅଛି ବୋଲି ଲୋକଙ୍କୁ ଜଣାଇବା ବି ଆବଶ୍ୟକ । ଏହି ସ୍ଥିତିରୁ ବାଣିଜ୍ୟିକ ବୁଝାମଣାରେ ନୂତନ ଜଟିଳତା ସୃଷ୍ଟି ହେଉଛି । ଅନେକ ସମୟରେ, ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ ପରିମାଣ ହ୍ରାସ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ନିଜର ସଫଳତା ବୋଲି ବର୍ଣ୍ଣନା କରିଆସିଛନ୍ତି ଏବଂ ଏହା ହିଁ ସମସ୍ୟା ସୃଷ୍ଟି କରିଛି । ଉଦାହରଣ ସ୍ବରୂପ, ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ (ବାଣିଜ୍ୟରେ 20.8 ବିଲିଅନ ଡଲାର ଏବଂ ସେବାରେ 4.4 ବିଲିଅନ୍ ଡଲାର) ଚୀନ୍ ସହ ବାଣିଜ୍ୟିକ ନିଅଣ୍ଟ (2018ରେ 378 ବିଲିଅନ୍ ଡଲାର) ତୁଳନାରେ ନିହାତି ନଗଣ୍ୟ । ତଥାପି ଭାରତ ଓ ଚୀନ୍ ଉଭୟଙ୍କୁ ସଂରକ୍ଷଣବାଦୀ ଅର୍ଥନୀତି ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ୍ ସମାନ ମାପଦଣ୍ଡରେ ବିଚାରକୁ ନିଅନ୍ତି । ତା ସାଙ୍ଗକୁ ଆମେ ଯଦି ପ୍ରତିରକ୍ଷା ସାମଗ୍ରୀ କିଣିବା ପ୍ରସଙ୍ଗ, ବୋଇଂ କିଣିବା ପାଇଁ ଇଣ୍ଡିଆନ୍ ଏୟାରଲାଇନ୍ସର ବରାଦ ଏବଂ ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଖର୍ଚ୍ଚକୁ ବିଚାର କରିବା, ତେବେ ଏହା ହୁଏତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ ଭରଣା କରିବା କ୍ଷେତ୍ରରେ ପର୍ଯ୍ୟାପ୍ତରୁ ଅଧିକ ପ୍ରମାଣିତ ହେବ ।