ହାଇଦ୍ରାବାଦ: ରାଷ୍ଟ୍ରପତି ପଦକୁ ନିର୍ବାଚିତ ହେବା ପରେ, ଡୋନାଲ୍ଡ ଟ୍ରମ୍ପ୍ ସେହି ସବୁ କାମ କଲେ ଯାହା ଜଣେ ନେତାଙ୍କ ପକ୍ଷରେ ଉଚିତ ନୁହେଁ । ଏକା ଢଙ୍ଗରେ ମିତ୍ରରାଷ୍ଟ୍ର ଏବଂ ପ୍ରତିଦ୍ବନ୍ଦ୍ବୀଙ୍କ ସହ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କଲେ । ଯୁକ୍ତରାଷ୍ଟ୍ର ଆମେରିକାର ଧନୀକ ଶ୍ରେଣୀ ଏବଂ କମ୍ପାନୀଗୁଡ଼ିକ ଉପରେ ଟିକସ ହାରକୁ ସେ କମ୍ କରିଦେଲେ । ତାଙ୍କର ଯୁକ୍ତି ଥିଲା ଯେ, ଏହି ପଦକ୍ଷେପ ସେମାନଙ୍କୁ ନୂଆ ପୁଞ୍ଜି ବିନିଯୋଗ କରିବା, ବଡ଼ ବ୍ୟବସାୟ ଆରମ୍ଭ କରିବା ଏବଂ ଆମେରିକାବାସୀଙ୍କୁ ଚାକିରି ଦେବା ଦିଗରେ ପାଇଁ ଉତ୍ସାହିତ କରିବ । ଟ୍ରମ୍ପ୍ଙ୍କ ପଦକ୍ଷେପ ଧୂଳିସାତ୍ ହେବ ବୋଲି ଉଦାରବାଦୀ ଅର୍ଥଶାସ୍ତ୍ରୀମାନଙ୍କର ପୂର୍ବାନୁମାନ ଓଲଟି ଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଏବେ ଖୁବ୍ ଭଲ ଅବସ୍ଥାରେ ରହିଛି ଏବଂ ଉନ୍ନୟନ ମାର୍ଗରେ ଆଗକୁ ବଢୁଛି । ବେକାରୀ ହାର 50 ବର୍ଷରେ ସବୁଠାରୁ କମ୍, 3.5 ପ୍ରତିଶତରେ ରହିଛି । ଯାହାକୁ ସଂପୂର୍ଣ୍ଣ ନିଯୁକ୍ତି ବୋଲି କୁହାଯାଉଛି । ଏମିତି କି ଆଜି ଆମେରିକାରେ ଅପରାଧୀ ଏବଂ ଶାରୀରିକ ଅକ୍ଷମମାନଙ୍କୁ ବି ଚାକିରି ମିଳିଯାଉଛି । ଏସବୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ସମ୍ଭାବନାକୁ ବଢ଼ାଇ ଦେଇଛି ।
ଟ୍ରମ୍ପ୍ଙ୍କ ନୀତିଗୁଡ଼ିକର ମୂଳଭିତ୍ତି ହେଉଛି ଯେ, ତାଙ୍କ କହିବା ଅନୁସାରେ ଧନୀ କମ୍ପାନୀ ସମୂହ ଉପରେ ଟିକସ ହାର କମାଇବା ଫଳରେ ନିଯୁକ୍ତି ଏବଂ ବ୍ୟବସାୟ ବଢ଼ିବ । ପରିଶେଷରେ ଏହି ବିକାଶର ସୁଫଳ ସମାଜର ଦଳିତ ବର୍ଗ ପାଖରେ ପହଞ୍ଚିବ । ତାଙ୍କ କଥାରେ ଅନେକ ଅସମ୍ମତ ହୁଅନ୍ତି । ନିକଟରେ ହୋଇଥିବା ଏକ ଅନୁଶୀଳନରୁ ଜଣାଯାଏ ଯେ ଏହି ଟିକସ କାଟ ଯୋଗୁଁ ବିଭିନ୍ନ କମ୍ପାନୀ ପାଖରେ ଅତିରିକ୍ତ ଟ୍ରିଲିଅନ୍ (ଏକ ଲକ୍ଷ କୋଟି) ଡଲାର ଜମା ହୋଇରହିଛି । ହେଲେ, କେବଳ 20 ପ୍ରତିଶତ କମ୍ପାନୀ ଏହି ଅର୍ଥକୁ ନୂଆ ନିଯୁକ୍ତି ସୃଷ୍ଟି ଦିଗରେ ବିନିଯୋଗ କରିଛନ୍ତି । ଅନ୍ୟ ଅନେକ ଅନୁଶୀଳନ ମଧ୍ୟ ଏଥିରେ ସମ୍ମତ ଯେ ଏହି ବଳକା ଅର୍ଥର 50 ପ୍ରତିଶତ ଅଂଶଧନ କ୍ରେତାଙ୍କ ନିକଟକୁ ଫେରିଯିବାରେ ଲାଗିଛି । କମ୍ପାନୀଗୁଡ଼ିକ ଲାଭର ବଡ଼ ଭାଗ ଉଚ୍ଚପଦସ୍ଥ ପରିଚାଳକ ଗୋଷ୍ଠୀ ଭିତରେ ବାଣ୍ଟି ଦେଉଥିବା ବେଳେ ନିମ୍ନବର୍ଗର କର୍ମଚାରୀମାନେ ଖୁବ୍ କମ୍ ଭାଗ ପାଇଥାଆନ୍ତି ବୋଲି ସମାଲୋଚନା କରାଯାଏ । ଏହି ବଳକା ଅର୍ଥର ମାତ୍ର 6 ପ୍ରତିଶତ ବେତନ ବୃଦ୍ଧିରେ ଉପଯୋଗ କରାଯାଇଛି ବୋଲି ଗୋଟିଏ ଅନୁଶୀଳନରେ ଦର୍ଶାଯାଇଥିବା ବେଳେ ଅନ୍ୟ ଏକ ଅନୁଶୀଳନ ଏହାକୁ 20 ପ୍ରତିଶତ ଭାବରେ ଆକଳନ କରେ । ଆଉ ଏକ ଅନୁଶୀଳନରୁ ଜଣାଯାଏ ଯେ 1978ରୁ 2018 ମଧ୍ୟରେ ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କର ଦରମା 940 ପ୍ରତିଶତ ବଢ଼ିଥିବା ବେଳେ ସାଧାରଣ ସ୍ତରର ଜଣେ କର୍ମଚାରୀଙ୍କ ଦରମା ମାତ୍ର 12 ପ୍ରତିଶତ ବଢ଼ିଛି । ଅପରପକ୍ଷରେ, ସର୍ବମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ସରକାରଙ୍କ ଆର୍ଥିକ ନିଅଣ୍ଟ 144 ପ୍ରତିଶତରେ ପହଞ୍ଚିବା ଆଶା କରାଯାଉଛି । ନୀତି ପ୍ରଣୟନ କ୍ଷେତ୍ରରେ ମାର୍ଗାରେଟ୍ ଥାଚର ଏବଂ ରୋନାଲ୍ଡ ରିଗାନ୍ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଯଦିଚ ଏଭଳି ନୀତି ବିପର୍ଯ୍ୟୟ ଘଟାଇବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦିଅନ୍ତି, ତଥାପି ଏହା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ରାଜନୀତିଜ୍ଞମାନେ ବିଶ୍ବାସ କରନ୍ତି ।
ସାଂପ୍ରତିକ ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥା ଯୋଗୁଁ, ଭାରତ ସରକାର ମଧ୍ୟ ଟିକସ କାଟ୍ ପନ୍ଥା ଅବଲମ୍ବନ କରିଛନ୍ତି । ଗତ ବର୍ଷ କର୍ପୋରେଟ୍ ଟିକସକୁ 30ରୁ 22 ପ୍ରତିଶତକୁ ହ୍ରାସ କରାଯାଇଥିଲା । ନୂତନ ଶିଳ୍ପ ସଂସ୍ଥାଗୁଡ଼ିକ କେବଳ 15 ପ୍ରତିଶତ ଟିକସ ଦେବା ଆବଶ୍ୟକ ହେଉଛି । ଟିକସ କାଟ୍ ନୀତି ନୂଆ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ବୋଲି ଆଶା କରାଯାଏ । କିନ୍ତୁ ଏଠାରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଥିବା ତଫାତ୍କୁ ମନଯୋଗ ସହକାରେ ବିଚାର କରିବା ଆବଶ୍ୟକ । ସାଧାରଣତଃ ପାଶ୍ଚାତ୍ୟ କମ୍ପାନୀଗୁଡ଼ିକ ସେମାନଙ୍କ ପୁଞ୍ଜିକୁ ନିଜ ଦେଶରେ ହିଁ ବିନିଯୋଗ କରନ୍ତି ଏବଂ ରାଷ୍ଟ୍ରର ସମୃଦ୍ଧିରେ ସେମାନଙ୍କ ଅବଦାନ ରହିଥାଏ । ଭାରତରେ ଦୃଶ୍ୟପଟ୍ଟ ସଂପୂର୍ଣ୍ଣ ଭିନ୍ନ । ଜମା ହୋଇ ରହୁଥିବା ଅର୍ଥ କଳାଧନରେ ପରିଣତ ହୁଏ ସିନା, ସାମାଜିକ ସୁବିଧା ସୁଯୋଗରୁ ବଞ୍ଚିତ ଲୋକମାନଙ୍କର ଉନ୍ନତି ସାଧିତ ହୁଏନାହିଁ । ଅକ୍ସଫାମ୍ ସଂସ୍ଥାର ଆକଳନ ଅନୁସାରେ ଦେଶର ଶୀର୍ଷ ସ୍ଥାନରେ ଥିବା 1 ପ୍ରତିଶତ ଲୋକଙ୍କ ପାଖରେ ଦେଶର ମୋଟ ସଂପତ୍ତିର 73 ପ୍ରତିଶତ ରହିଛି । ବିଶ୍ବ ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ କାର୍ଯ୍ୟରତ 19ଟି ସ୍ବାଧୀନ ସଂସ୍ଥାକୁ ନେଇ ଗଠିତ ଏକ ମହାସଂଘ ହେଉଛି ଅକ୍ସଫାମ୍ । 2018 ମସିହାରେ ଭାରତର 67 କୋଟି ଦରିଦ୍ରତମ ଲୋକଙ୍କ ସଂପତ୍ତି ମାତ୍ର 1 ପ୍ରତିଶତ ବୃଦ୍ଧି ପାଇଥିଲା । 2006ରୁ 2015 ଭିତରେ ଦେଶର 1 ପ୍ରତିଶତ ସର୍ବାଧିକ ଧନୀ ବ୍ୟକ୍ତିଙ୍କ ସଂପତ୍ତିରେ 21 ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଥିଲା, ଯାହାକି 2017ର କେନ୍ଦ୍ରୀୟ ବଜେଟ୍ ସହ ସମାନ । 2006ରୁ 2015 ଭିତରେ ସାଧାରଣ କର୍ମଚାରୀଙ୍କ ଆୟ ବାର୍ଷିକ 2 ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ସଂପନ୍ନ ବ୍ୟକ୍ତିଙ୍କର ଆୟ ଛଅ ଗୁଣ ବୃଦ୍ଧି ପାଇଥିଲା । ଆୟ ବୈଷମ୍ୟ ହ୍ରାସ କରିବା ସକାଶେ, କମ୍ପାନୀଗୁଡ଼ିକ ଅଂଶଧନ କ୍ରେତାମାନଙ୍କୁ ଡିଭିଡେଣ୍ଟ ଆକାରରେ ଦେଉଥିବା ପ୍ରାପ୍ୟ କମ୍ କରିବା ଲାଗି ଏବଂ ଏହା ବଦଳରେ ସାଧାରଣ କର୍ମଚାରୀଙ୍କ ଦରମା ବଢ଼ାଇବା ଲାଗି ଅକ୍ସଫାମ୍ ସୁପାରିସ କରିଥିଲା । ଏହି ସଂସ୍ଥା ପ୍ରସ୍ତାବ ଦେଇଥିଲା ଯେ, କମ୍ପାନୀର ମୁଖ୍ୟ ପଦପଦବୀରେ ଥିବା ଅଧିକାରୀ ବର୍ଗ ଏବଂ ଏହାର ସାଧାରଣ କର୍ମଚାରୀଙ୍କ ଦରମାରେ ଥିବା ତାରତମ୍ୟ 20 ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ।
ଯୁକ୍ତରାଷ୍ଟ୍ର ଆମେରିକାରେ, ସବୁଠୁ ଧନୀ ବ୍ୟକ୍ତିମାନେ ଉଦ୍ୟୋଗ ପୁଞ୍ଜିବାଦୀ ପାଲଟି ଯାଆନ୍ତି ଏବଂ ବିଭିନ୍ନ ଷ୍ଟାର୍ଟଅପ୍ରେ ପାଣ୍ଠି ବିନିଯୋଗ କରନ୍ତି । ଏମିତି କି ଏଥିରୁ 5 ପ୍ରତିଶତ ଷ୍ଟାର୍ଟଅପ୍ ସଫଳ ହେଲେ ବି ଅର୍ଥନୀତି ସମୃଦ୍ଧ ହେବ । ଫେସ୍ବୁକ୍ ଏବଂ ୟୁବର ଭଳି ଖ୍ୟାତିପ୍ରାପ୍ତ କମ୍ପାନୀଗୁଡ଼ିକ ଆରମ୍ଭ ହେଲା ବେଳେ ଏଭଳି ଉଦ୍ୟୋଗ ପୁଞ୍ଜିବାଦୀଙ୍କ ନିକଟରୁ ପାଣ୍ଠି ଲାଭ କରିଥିଲେ । ଏହା ସହିତ, ଆମେରିକାରେ କର୍ମଚାରୀଙ୍କ ଦରମାର ଏକ ଅଂଶ ଭାବରେ କମ୍ପାନିର ଅଂଶଧନ ବା ଶେୟାର ପ୍ରଦାନ କରାଯାଏ । ଭାରତରେ, ଇନ୍ଫୋସିସ୍ ଭଳି ଅଳ୍ପ କେତେକ କମ୍ପାନୀ ଏହି ପରମ୍ପରା ଅନୁସରଣ କରନ୍ତି । ଉଦ୍ୟୋଗ ପୁଞ୍ଜିବାଦ ଜଗତରେ ରତନ ଟାଟାଙ୍କ ପ୍ରବେଶ ଥିଲା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଭାରତରେ ଉଦ୍ୟୋଗ ପୁଞ୍ଜିବାଦ କ୍ଷେତ୍ରରେ ଅନେକ ଆଇନଗତ ବାଧ୍ୟବାଧକତା ରହିଛି । ଧନୀ ଲୋକଙ୍କ ଘୋଷିତ ସଂପତ୍ତିର ପରିମାଣ ସେମାନଙ୍କ ବାସ୍ତବ ମାଲିକାନାରେ ଥିବା ସଂପତ୍ତିଠାରୁ ଖୁବ୍ କମ୍ । ଏହି ଗୁପ୍ତଧନକୁ ରାଜନୈତିକ ଦଳର ପାଣ୍ଠି, ସିନେମା, ରିଅଲ ଇଷ୍ଟେଟ୍ ଏବଂ ଅନ୍ୟ ବ୍ୟବସାୟରେ ଲଗାଇ ଦିଆଯାଏ । ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହି ଅର୍ଥ ଆଦୌ ଖର୍ଚ୍ଚ ହୁଏ ନାହିଁ । 2014ରେ କରାଯାଇଥିବା କେତେକ ଗୁପ୍ତ ସର୍ଭେ ରିପୋର୍ଟରୁ ଜଣାଯାଏ ଯେ ଧନୀ ବ୍ୟକ୍ତିମାନଙ୍କର କଳାଧନର 90ରୁ 97 ପ୍ରତିଶତ ଭାରତୀୟ ଆର୍ଥିକ ବ୍ୟବସ୍ଥା ସହିତ ସଂଯୋଜିତ ହୋଇଛି । ଯଦିଓ ମୋଦି ସରକାର 500 ଓ 1000 ଟଙ୍କିଆ ନୋଟ୍ର ବିମୁଦ୍ରୀକରଣ ଘୋଷଣା କରିଥିଲେ, ତଥାପି ଏହି ପଦକ୍ଷେପ କଳାଧନର ବେଆଇନ କାରବାରକୁ ରୋକି ପାରିଲା ନାହିଁ । ବାସ୍ତବରେ, ଏହା ଫଳରେ ସବୁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ କମି ଯାଇଥିଲା । ହାତରେ ନଗଦ ଟଙ୍କା ନ ଥିବାରୁ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିଲା । ଦରମା ବୃଦ୍ଧି ନ ହେଲେ ସାମଗ୍ରୀ ବ୍ୟବହାର ବାବଦ ଖର୍ଚ୍ଚ ବଢ଼ିବ ନାହିଁ । ସାମଗ୍ରୀ ବ୍ୟବହାର ନ ବଢ଼ିଲେ ନୂଆ ଶିଳ୍ପ ସ୍ଥାପିତ ହେବନାହିଁ । ଏହି ଦୃଶ୍ୟପଟ୍ଟକୁ ଆଖିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟିକସ କାଟ୍ କରିଛନ୍ତି । ଏହି ପଦକ୍ଷେପର ଫଳାଫଳ ଏପର୍ଯ୍ୟନ୍ତ ଦୃଷ୍ଟିଗୋଚର ହେବା ବାକି ରହିଛି । ଯଦିଓ ଅନେକ ଲୋକ ଆଶା କରୁଥିଲେ ଯେ, ନୂଆ ବଜେଟ୍ରେ ବ୍ୟକ୍ତିଗତ ଆୟକର ହ୍ରାସ ହେବ ଏବଂ ଅଧିକ ନଗଦ ଟଙ୍କା କାରବାରକୁ ବାଟ ମିଳିବ, ହେଲେ ବଜେଟ୍ରେ ସେଭଳି କିଛି ବ୍ୟବସ୍ଥା ନଥିଲା । ବଜେଟ୍ରେ ଗ୍ରାମ୍ୟ ଉନ୍ନୟନ ପାଇଁ 1,22.000 ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିରୁ 61,500 କୋଟି ଟଙ୍କା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍ଜିଏନ୍ଆର୍ଇଜିଏ) ଅନ୍ତର୍ଗତ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ । ଏହି ପରିମାଣ ଗତ ବର୍ଷର ବ୍ୟୟବରାଦ ତୁଳନାରେ ଅଧିକ, କିନ୍ତୁ 71,000 କୋଟି ଟଙ୍କାର ସଂଶୋଧିତ ଅଟକଳ ତୁଳନାରେ କମ୍ । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଏହି ନୂତନ ବ୍ୟୟବରାଦ ବର୍ତ୍ତମାନର ଚାହିଦା ମେଣ୍ଟାଇ ପାରିବ ନାହିଁ ଏବଂ ବଜେଟ୍ରେ ବ୍ୟୟବରାଦ ବୃଦ୍ଧି ସହିତ ପ୍ରକୃତ କାର୍ଯ୍ୟ ଦିବସ ବୃଦ୍ଧି କରାଯିବା ନିହାତି ଆବଶ୍ୟକ । ଗତ ବର୍ଷ ଗ୍ରାମୀଣ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ 19,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏ ବର୍ଷ ମାତ୍ର 500 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏ ବର୍ଷ ପ୍ରଧାନ ମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ) ପାଇଁ ନିରୂପିତ ପାଣ୍ଠିକୁ 6,400 କୋଟି ଟଙ୍କାରେ ସୀମିତ ରଖାଯାଇଛି । ଗରିବ ଲୋକଙ୍କୁ ଉନ୍ନୟନ ଯୋଜନାର ଫାଇଦା ଦେବା ଲାଗି ଶିକ୍ଷା ଓ ଡାକ୍ତରୀ ସୁବିଧାର ସଂପ୍ରସାରଣ ନିଶ୍ଚିତ ରୂପେ ଆବଶ୍ୟକ । ଏହା ସହିତ, ବିଶେଷଜ୍ଞମାନଙ୍କର ଏକ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ଭାରତରେ ସର୍ବନିମ୍ନ ମଜୁରି ସୀମା ଦୈନିକ 375 ଟଙ୍କାକୁ ବୃଦ୍ଧି କରାଯିବା ଦରକାର । କିନ୍ତୁ 2019ରେ, କେନ୍ଦ୍ର ସରକାର ସର୍ବନିମ୍ନ ମଜୁରିକୁ 176 ଟଙ୍କାରୁ 178 ଟଙ୍କାକୁ ବୃଦ୍ଧି କରିଛନ୍ତି । ବିକାଶ ମାନେ କ’ଣ ମଜୁରିରେ ଦୁଇ ଟଙ୍କା ବୃଦ୍ଧି କରିବା ? ଗରିବ ଲୋକଙ୍କ ପାଇଁ ଏକ ସାର୍ବଜନୀନ ନିଯୁକ୍ତି ଯୋଜନା ଆରମ୍ଭ ହେବା ଆବଶ୍ୟକ । ଭୂମିହୀନ କୃଷି ଶ୍ରମିକଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଲାଗୁ କରାଯିବା ନିହାତି ଦରକାର । କାରଣ, କୃଷିଜୀବୀଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା 55 ପ୍ରତିଶତ । କିନ୍ତୁ ବିଶ୍ଳେଷକମାନେ ଅନୁମାନ କରନ୍ତି ଯେ ଏହି ଯୋଜନାରେ ବ୍ୟୟବରାଦ ମୂଳ ଯୋଜନା ଆକଳନଠାରୁ କମ୍ ହେବ । ବିକାଶର ସୁଫଳ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ବଦ୍ଧପରିକର ହେବା ଆବଶ୍ୟକ । ଏହି ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ସହିତ ବଡ଼ ବଡ଼ କମ୍ପାନୀ ଏବଂ ଅତି ଧନୀକ ଶ୍ରେଣୀ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଦରକାର ।
ଆୟରେ ଅସମାନତା କେବଳ ଭାରତରେ ସୀମିତ ହୋଇ ରହିନାହିଁ । ଆମେରିକାରେ ଅତି ଧନୀକ ଶ୍ରେଣୀର 1 ପ୍ରତିଶତ ଲୋକେ ମୋଟ ସଂପତ୍ତିର 47 ପ୍ରତିଶତର ମାଲିକ । ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରରେ ମଧ୍ୟ, 1 ପ୍ରତିଶତ ଧନୀ ଲୋକ ମୋଟ ସଂପତ୍ତିର 34ରୁ 55 ପ୍ରତିଶତ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରରେ ରଖିଛନ୍ତି । ଏହି ସଂପତ୍ତିର ଅଧିକାଂଶ ଭାଗ ସିଇଓ ଏବଂ ମଧ୍ୟମ-ସ୍ତରର ପରିଚାଳନା କାର୍ଯ୍ୟନିର୍ବାହୀ ଗୋଷ୍ଠୀର ଦରମା ବାବଦରେ ଖର୍ଚ୍ଚ ହୁଏ । ରାଜପଥ ଏବଂ ବନ୍ଦର ନିର୍ମାଣ ଭଳି ଭିତ୍ତିଭୂମି ପ୍ରକଳ୍ପ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବଣ୍ଡ୍ ଜାରି କରନ୍ତି । 2018ରେ ଆମେରିକାର ମୋଟ ବଣ୍ଡ୍ ବଜାର କାରବାର 14 ଟ୍ରିଲିଅନ୍ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି । ଏହି ସବୁ ବଣ୍ଡ୍ରୁ 60 ପ୍ରତିଶତ ବିଦେଶୀ ସରକାର କିଣିଥିଲେ ଏବଂ ଧନୀ ଓ ମଧ୍ୟମ ବର୍ଗ ନାଗରିକମାନେ 33 ପ୍ରତିଶତ କିଣିଥିଲେ । 25 ବର୍ଷ ପରେ ଏହି ବିନିଯୋଗରୁ ଭଲ ଫାଇଦା ମିଳିବ । ଅନୁରୂପ ଢଙ୍ଗରେ ଭାରତ ସରକାର ମଧ୍ୟ ସଭରେନ୍ ବଣ୍ଡ୍ ଜାରି କରୁଛନ୍ତି ।