ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳପ୍ରଦେଶର ରୋହତାଙ୍ଗରେ ବିଶ୍ବର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା 46 କିମି ଦୂରତା ହ୍ରାସ ପାଇବ । ସମୟ ପ୍ରାୟ 4ରୁ 5ଘଣ୍ଟା କମି ଯିବ । ସାମିରକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ବ ରଖୁଛି । ଅଟଳ ଟନେଲ ସମେତ 3ଟି ସେତୁ ଉଦଘାଟନ କରିବେ ମୋଦି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳ ସିଏମ ଜୟରାମ ଠାକୁରଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଯୋଗଦେବେ।
ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପିଏମଙ୍କ ଗସ୍ତକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ସମାରୋହରେ ପ୍ରାୟ 200 ଲୋକ ଉପସ୍ଥିତି ରହିବେ । ଏହି ସମୟରେ କୋଭିଡ ଗାଇଡଲାଇନ ମଧ୍ୟ ପାଳନ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ପହଞ୍ଚି ସାରିଛନ୍ତି । ରାଜନାଥ ସିଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସହ ଉଦଘାଟନୀ ସ୍ଥଳରେ ପହଞ୍ଚି ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ । 9.02 କିଲୋମିଟର ଲମ୍ୱା ଟନେଲ୍ ମନାଲିକୁ ବର୍ଷସାରା ଲାହାଲ୍ ସ୍ପିଟି ଉପତ୍ୟକା ସହିତ ସଂଯୁକ୍ତ ରଖିବ । ଏହା ବର୍ଷତମାମ ଖୋଲା ରହିବ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ 6 ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା । ସମୁଦ୍ର ପତ୍ତନଠାରୁ ପ୍ରାୟ ତିନି ହଜାର ମିଟର ଉଚ୍ଚତାରେ ଏହି ଟନେଲଟି ହିମାଳୟର ପିର ପଞ୍ଜଲ ପର୍ବତ ମଧ୍ୟରେ ଅତ୍ୟାଧୁନିକ ବିଶେଷତା ସହିତ ନିର୍ମାଣ କରାଯାଇଛି।