ଭାରତ ଓ ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତ ସମ୍ପର୍କ, ଆମଦାନୀର ବିକଳ୍ପ ନେଇ ପ୍ରଶ୍ନ ଛିଡ଼ା କରିଛି । ତୁଳନାତ୍ମକ ଲାଭ ଦୃଷ୍ଟିରୁ କାହାଠାରୁ କେଉଁ ଦ୍ରବ୍ୟ ବା ସେବା କିଣାଯିବ ବା କିଣାଯିବନି, ତାହା ଆର୍ଥିକ ନିଷ୍ପତ୍ତି ପରିସରଭୁକ୍ତ। ବ୍ୟବସାୟର ମୂଳ ଉଦ୍ଦେଶ୍ୟ କିନ୍ତୁ ଅଧିକରୁ ଅଧିକ ଲାଭ କରିବା । ଲାଭ ପରେ ହିଁ ଅନ୍ୟ ଦିଗକୁ ବିଚାର କରାଯାଏ । ତେଣୁ ଏଭଳି କ୍ଷେତ୍ରରେ ଆମ ମୁଣ୍ଡକୁ ଗୋଟିଏ କଥା ଆସୁଛି । ଯଦି, ଆମେ ଚୀନ୍ ଠାରୁ ଆମଦାନୀ ବନ୍ଦ କରିଦେବା, ତେବେ ସେସବୁ ସାମଗ୍ରୀ ଆମେ କେମିତି ପାଇବା ? କଣ ରହିବ ତୁଳନାତ୍ମକ ଲାଭ ଓ କ୍ଷତି ? କାରଣ ବିଶ୍ବରେ ଚୀନ୍ ହିଁ ସବୁଠାରୁ ଶସ୍ତାରେ ଅଧିକ ସାମଗ୍ରୀ ଉତ୍ପାଦନ କରିଥାଏ । ତେଣୁ ଏଭଳି କ୍ଷେତ୍ରରେ ଭାରତ ଯଦି ଚୀନ୍ ସାମଗ୍ରୀରୁ ମୁହଁ ଫେରାଏ, ତେବେ ଭାରତକୁ ମୂଲ୍ୟ ଦୃଷ୍ଟିରୁ ସର୍ବନିମ୍ନ ଉତ୍ପାଦନକାରୀ ହେବାକୁ ପଡ଼ିବ । ଏଠି ପ୍ରଶ୍ନ ଉଠୁଛି, ଭାରତ କେମିତି ସର୍ବନିମ୍ନ ଉତ୍ପାଦନକାରୀ ହେବ ? ଉତ୍ପାଦନ ମୂଲ୍ୟ ସାଧାରଣତଃ ବିଭିନ୍ନ ଦିଗ ଉପରେ ନିର୍ଭର କରିଥାଏ । ଯେପରିକି ଗୋଟିଏ ସାମଗ୍ରୀ ଉତ୍ପାଦନ ପାଇଁ ଶ୍ରମ ମୂଲ୍ୟ, ଆର୍ଥିକ ମାନଦଣ୍ଡ, ପରିବହନ ଖର୍ଚ୍ଚ, ମୂଳଧନ ଖର୍ଚ୍ଚ, ସାଂଗଠନିକ ଦକ୍ଷତା ଏବଂ ସହାୟକ ନୀତିଗତ ନିଷ୍ପତ୍ତି । ଦୁର୍ଭାଗ୍ୟର କଥା, ଏସବୁ କ୍ଷେତ୍ରରେ ଭାରତ ବହୁତ ତଳେ ରହିଛି । କିନ୍ତୁ ଭିତ୍ତିଭୂମି ଓ ଗଠନମୂଳକ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଶ୍ରମ ଆଇନ ଓ ଜମି ମୂଲ୍ୟକୁ ଆଳ କରିବା ଭାରତରେ ଏକ ଫେସନ୍ ପାଲଟିଛି ।
ଆମଦାନୀ ବର୍ତ୍ତମାନ ସୁଦ୍ଧା:-
ବର୍ତ୍ତମାନର ସଙ୍କଟ ସମୟରେ ରପ୍ତାନୀ ହେଉଥିବା ସାମଗ୍ରୀର ମୂଲ୍ୟଯୁକ୍ତଏବଂ ନୂଆ ଉଦ୍ଭାବନ ଦ୍ବାରା, ମୂଲ୍ୟ ଶୃଙ୍ଖଳକୁ ବୃଦ୍ଧି କରିବା ହିଁ ଗୋଟିଏ ଦେଶର ଦକ୍ଷତାର ପରିଚାୟକ ହେବ । କିନ୍ତୁ ଭାରତ, ଅଧିକ ମୂଲ୍ୟବାନ ସାମଗ୍ରୀଆମଦାନୀ କରୁଥିବା ବେଳେ କଞ୍ଚାମାଲ୍ କିମ୍ବା ଅର୍ଦ୍ଧ ନିର୍ମିତ ସାମଗ୍ରୀ ରପ୍ତାନୀ କରୁଛି, ଯାହାକି ବର୍ତ୍ତମାନ ଏକ ଚ୍ୟାଲେଞ୍ଜ । ମୂଲ୍ୟବାନ ଜିନିଷକୁ କମ ମୂଲ୍ୟରେ ଭାରତ ରପ୍ତାନୀ କରିପାରୁନି, କାରଣ ଅନେକ ସାମଗ୍ରୀର ଉତ୍ପାଦନ ମୂଲ୍ୟ ଅଧିକ ରହୁଛି । ଅପରପକ୍ଷେ, ସେବା ରପ୍ତାନୀ କ୍ଷେତ୍ରରେ ଭାରତ ଆଗୁଆ ରହିଛି । କିନ୍ତୁ ଦୀର୍ଘକାଳୀନ ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ଭାରତକୁ ସେବା କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ । ବିଶେଷକରି ଚୀନ୍ ସହ ବ୍ୟାବସାୟିକ କ୍ଷେତ୍ରରେ ଏହାକୁ ହିଁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଗତ 5 ବର୍ଷରେ ଚୀନରୁ ପାଖାପାଖି 336 ବିଲିଅନ୍ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି ଭାରତ । ଯାହାକି ବର୍ଷକୁ ହାରାହାରି 60ରୁ 74 ବିଲିଅନ୍ ଡଲାର । ଦେଶର ମୋଟ ବାର୍ଷିକ ଆମଦାନୀର ଏହା ହେଉଛି 12ରୁ 14 ପ୍ରତିଶତ ।
ଅପରପକ୍ଷେ, ଭାରତରୁ ଚୀନର ଆମଦାନୀ ରହିଛି ମାତ୍ର 1 ପ୍ରତିଶତ । 2019ରେ ଭାରତ, ଚୀନରୁ 19.9 ବିଲିଅନ୍ ଡଲାରର ବୈଦ୍ୟୁତିକ ସାମଗ୍ରୀ,13.87 ବିଲିଅନ୍ ଡଲାରର ଯନ୍ତ୍ରାଂଶ, ଔଷଧ କ୍ଷେତ୍ର ପାଇଁ 8.23 ବିଲିଅନ୍ ଡଲାରର ଜୈବିକ ରାସାୟନିକ, 2.82 ବିଲିଅନ୍ ଡଲାରର ପ୍ଲାଷ୍ଟିକ୍ ସାମଗ୍ରୀ, 2.08 ବିଲିଅନ୍ ଡଲାରର ସାର, 1.69 ବିଲିଅନ୍ ଡଲାରର ଲୁହା ଏବଂ ଇସ୍ପାତ ସାମଗ୍ରୀ, 1.46 ବିଲିଅନ୍ ଡଲାରର ଅପ୍ଟିକାଲ୍ ସାମଗ୍ରୀ, 1.28 ଡଲାରର ଯାନବାହନ ସାମଗ୍ରୀ ଆମଦାନୀ କରିଛି । ଅପରପକ୍ଷେ, ଏହି ସମୟ ମଧ୍ୟରେ ଭାରତ, ଚୀନକୁ 17.18 ବିଲିଅନ୍ ଆମେରିକୀୟ ଡଲାରର ସାମଗ୍ରୀ ରପ୍ତାନୀ କରିଛି । ଯାହାକି ମୋଟ୍ ରପ୍ତାନୀର ମାତ୍ର 5 ପ୍ରତିଶତ । ଏସବୁ ମଧ୍ୟରେ ମୁଖ୍ୟତଃ ରହିଛି 3.11 ବିଲିଅନ୍ ଡଲାରର ଜୈବିକ ରାସାୟନିକ, 2.14 ବିଲିଅନ୍ ଡଲାରର ଖଣିଜ ସାମଗ୍ରୀ, 1.37 ବିଲିଅନ୍ ଡଲାରର ମତ୍ସ ଉତ୍ପାଦ ଏବଂ 1.04 ବିଲିଅନ୍ ଡଲାରର କପଡ଼ା । ଏହା ବ୍ୟତୀତ ଲୁଣ, କଫି, ଚାହା,ରଙ୍ଗ ଏବଂ ପଶୁଜାତ ସାମଗ୍ରୀ ଆଦି ରହିଛି । ତେଣୁ ଏସବୁ ଦୃଷ୍ଟିରେ ଦେଖିବାକୁ ଗଲେ, ଭାରତ ଆମଦାନୀ କରୁଥିବା ଜିନିଷ ଗୁଡ଼ିକ ଅଧିକ ମୂଲ୍ୟବାନ୍ କିମ୍ବା ସେଗୁଡ଼ିକର ସହଜସାଧ୍ୟ ବିକଳ୍ପ ପ୍ରାୟ ନାହିଁ । କିନ୍ତୁ ଭାରତ ରପ୍ତାନୀ କରୁଥିବା ସାମଗ୍ରୀ କିମ୍ବା ଅର୍ଦ୍ଧନିର୍ମିତ ସାମଗ୍ରୀ ଗୁଡ଼ିକର ବିକଳ୍ପ ଉତ୍ସ ରହିଛି । ତେଣୁ ଭାରତ ପାଇଁ ସମସ୍ୟା ହେଉଛି, ଏହା ରପ୍ତାନୀ କରୁଥିବା ସାମଗ୍ରୀ ଗୁଡ଼ିକ ପ୍ରତିନ୍ଦ୍ବନ୍ଦିତାମୂଳକ ଏବଂ ମୂଲ୍ୟଯୁକ୍ତ ନୁହେଁ ।
ସାମଗ୍ରୀର ଦାମ୍ ଉଚ୍ଚା ଥିବା ବେଳେ ରପ୍ତାନୀ ହେଉଥିବା ଜିନିଷ ଗୁଡ଼ିକ ମୂଲ୍ୟଯୁକ୍ତ ହୋଇପାରୁନି । ରପ୍ତାନୀ ଅପେକ୍ଷା ଆଭ୍ୟନ୍ତରୀଣ ଖାଉଟି ବଜାର ହିଁ ଭାରତୀୟ ଅର୍ଥନୀତିର ଶୈଳୀ । ଯଦିଓ, ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆସିଛି, ତଥାପି ପରିସ୍ଥିତିରେ ସୁଧାର ଆସୁନି । ଫଳରେ ଫ୍ଲିପକାର୍ଟକୁ ୱାଲମାର୍ଟ କିଣୁଛି କିମ୍ବା ରିଲାଏନ୍ସ ଜିଓରେ ଆମାଜନ୍ ବା ବିଦେଶୀ ପୁଞ୍ଜି ନିବେଶ ହେଉଛି । ଅସୁବିଧା ଏଇଠି ଯେ, ଅଧିକାଂଶ ବିଦେଶୀ ପୁଞ୍ଜି ନିବେଶ, କେବଳ ଭାରତର ଆଭ୍ୟନ୍ତରୀଣ ଖାଉଟି ବଜାରକୁ ନଜରରେ ରଖି ହେଉଛି । ବିଶ୍ବ ସ୍ତରରେ ରପ୍ତାନୀକୁ ପ୍ରୋତ୍ସାହନ କଲା ଭଳି ସେମିତି କିଛି ହେଉନି । 2ୟରେ ବିଦେଶୀ ପୁଞ୍ଜିର ବଡ଼ ଅଂଶ, ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଉତ୍ପାଦନ କ୍ଷେତ୍ରକୁ ଯାଉଛି, ଯାହାକି କମ୍ ମୂଲ୍ୟଯୁକ୍ତ ଏବଂ ଆଭ୍ୟନ୍ତରୀଣ ବଜାରକୁ ନଜରରେ ରଖି । ଉତ୍ପାଦନ କ୍ଷେତ୍ରରେ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳ ସୃଷ୍ଟି କରିବା ପରିବର୍ତ୍ତେ, ଏକତ୍ରୀକରଣ ୟୁନିଟରେ ହେଉଛି ବିଦେଶୀ ପୁଞ୍ଜି ନିବେଶ । ଏପରିକି ମୋବାଇଲ୍ ନିର୍ମାଣ କ୍ଷେତ୍ରରେ ଭାରତରେ ମାତ୍ର 15 ପ୍ରତିଶତ ମୂଲ୍ୟଯୁକ୍ତ ହେଉଛି ।