ନୂଆଦିଲ୍ଲୀ: ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର କିଛି ସ୍ଥାନରେ ଲକଡାଉନ କୋହଳ କରାଯାଇଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ, ଲକଡାଉନ କୋହଳ ହେବା ପରେ ଦିଲ୍ଲୀର କିଛି ଦୋକାନରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ଆଗାମୀ ଦିନରେ ଦିଲ୍ଲୀର କୌଣସି ଅଞ୍ଚଳରେ ସାମାଜିକ ଦୂରତା ଏବଂ ଅନ୍ୟ କୌଣସି ଗାଇଡଲାଇନର ଉଲ୍ଲଂଘନ କରୁଥିବା ସୂଚନା ମିଳେ, ତେବେ ତୁରନ୍ତ ଉକ୍ତ ଅଞ୍ଚଳକୁ ସିଲ କରାଯିବ । ଏହାସହ କୋହଳ ହୋଇଥିବା ନିୟମକୁ ପୁଣି କଡାକଡି କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଦୁଃଖ ଲାଗିଲା କି କିଛି ଦୋକାନରେ ଲୋକେ ସାମାଜିକ ଦୂରତା ଭୂଲିଯାଇଥିଲେ । ଏପରି କରି ସେମାନେ ନିଜର ଏବଂ ନିଜ ପରିବାରର କ୍ଷତି କରୁଛନ୍ତି । ଯଦି ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆନଯାଏ ତେବେ ଦୋକାନ ଗୁଡିକୁ ବନ୍ଦ କରି ଦିଆଯିବ । ଏହା ସହ ସେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କହିବା ସହ ସାମାଜିକ ଦୂରତ୍ବ ଏବଂ ହାତକୁ ସଫା ରଖିବାକୁ କହିଛନ୍ତି ।