ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର(ପିଓକେ)କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ। ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଓକେ ଭାରତର ଅଂଶ ହୋଇପାରିବ ବୋଲି ସେ କହିଛନ୍ତି। ପିଓକେକୁ ଭାରତରେ ସାମିଲ କରିବା ନେଇ ସେନାମୁଖ୍ୟ କହିଛନ୍ତି, ‘ସମ୍ପୁର୍ଣ୍ଣ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏନେଇ ଏକ ସଂସଦୀୟ ସଂକଳ୍ପ ମଧ୍ୟ ଅତୀତରେ ପାରିତ ହୋଇଛି। ସଂସଦ ଚାହିଁଲେ ପିଓକେ ମଧ୍ୟ ଭାରତର ଅଂଶ ହୋଇପାରିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ସରକାର ଆମକୁ ଆଦେଶ ଦେଲେ ଆମେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’
ଏଲଓସିରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦ ବିପଦକୁ ନେଇ ନରୱାନେ କହିଛନ୍ତି, ‘ଭାରତୀୟ ସେନା ଏଲଓସିରେ ସକ୍ରିୟ ଅଛନ୍ତି। ପ୍ରତିଦିନ ଗୁଇନ୍ଦା ରିପୋର୍ଟ ପ୍ରାପ୍ତ କରାଯାଉଛି। ଯାହାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛୁ। ଏହି ସତର୍କତା ଯୋଗୁଁ ଆମେ ପାକିସ୍ତାନୀ ବର୍ଡର ଅକସନ୍ ଟିମ୍(ବ୍ୟାଟ)ର ବିଭିନ୍ନ ଅନୁପ୍ରବେଶ ଯୋଜନା ବିଫଳ କରିବାରେ ସକ୍ଷମ ହେଉଛୁ।’