ଲକ୍ଷ୍ନୌ: ଚଳିତବର୍ଷ ଏପ୍ରିଲ-ମେ ଆଡକୁ ହେବାକୁ ଯାଉଛି ସପ୍ତଦଶ ଲୋକସଭା ନିର୍ବାଚନ। ଦିନ ପାଖେଇ ଆସୁଥିବାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣୀ ଉଭୟ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ। ମେଣ୍ଟ ବୁଝାମଣା କରିବା ନେଇ ଜାରି ରହିଛି କଥାବାର୍ତ୍ତା। ଆସନ ମିଳିବାକୁ ନେଇ ବିଭିନ୍ନ ଦଳ ଏବଂ ଏହାର ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା।
2019 ନିର୍ବାଚନ ପାଇଁ ସମ୍ମାନଜନକ ଆସନ ନମିଳିବାରୁ ବିଜେପି ନେତୃତ୍ୱାଧିନ ଏନଡିଏରୁ ଅଲଗା ହୋଇଯାଇଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲଏସପି)। ସେହି ସମାନ ରାସ୍ତା ଆପାଣାଇବାକୁ ଯାଉଛି ଉତ୍ତର ପ୍ରଦେଶ କ୍ଷମତାସୀନ ଥିବା ବିଜେପି ସରକାରର ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି(ଏସବିଏସପି)।
"ବିଜେପି ଚାହିଁଲେ ସରକାରରେ ରହିବି, ନହେଲେ ଏକୁଟିଆ ନିର୍ବାଚନ ଲଢିବି। " ବିଜେପିକୁ ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି ଏସବିଏସପିର ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓମପ୍ରକାଶ ରାଜଭର । ମନ୍ତ୍ରୀ ଥାଇ ଅନେକ ପ୍ରସଙ୍ଗରେ ନିଜ ସରକାରଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି ସେ ।