ହାଇଦ୍ରାବାଦ: ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତ ଏନକାଉଣ୍ଟରରେ ମରିବା ପରେ ସେମାନଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନକାଉଣ୍ଟରକୁ ନେଇ ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫର ମା' କହିଛନ୍ତି ଯେ, ତାଙ୍କ ପୁଅ ଚାଲିଯାଇଛି । ପୂର୍ବରୁ ଆରିଫ୍ର ବାପା କହିଥିଲେ ଯେ, ଯଦି ତାଙ୍କ ପୁଅ ଅପରାଧ କରିଛି ତେବେ ତାକୁ କଠୋର ଦଣ୍ଡ ମିଳିବା ଦରକାର ।
ଅନ୍ୟପଟେ ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ ଚେନ୍ନାକେଶାବୁଲୁର ପତ୍ନୀ କହିଛି ଯେ, ଯେଉଁଠି ମୋ ସ୍ବାମୀଙ୍କୁ ମାରି ଦିଆଯାଇଛି । ମୋତେ ମଧ୍ୟ ସେହି ସ୍ଥାନକୁ ନେଇ ମାରି ଦିଆଯାଉ । ସ୍ବାମୀ ଯିବା ପରେ ମୋ ପାଖରେ କରିବାକୁ କିଛି ବି ନାହିଁ । ସେ ଏହା ମଧ୍ୟ କହିଛି, ତାକୁ ଭରସା ଦିଆଯାଇଥିଲା ତା' ସ୍ବାମୀର କିଛି ହେବନାହିଁ ଏବଂ ସେ ଶୀଘ୍ର ଫେରି ଆସିବେ । ହେଲେ ତାଙ୍କ ମୃତ୍ୟୁ ପରେ ମୁଁ କଣ କରିବି ମୁଁ ନିଜେ ଜାଣିପାରୁନାହିଁ । ସୂଚନାଯୋଗ୍ୟ, ନିକଟରେ ହିଁ ଚେନ୍ନାକେଶାବୁଲୁର ବିବାହ ହୋଇଥିଲା ।