ପ୍ରତିଟି ସଂକଟର ଉଭୟ ଭଲ ଓ ଖରାପ ଦିଗ ରହିଛି । ପ୍ରତି ଥର କୌଣସି ସଂକଟ ଉପୁଜିବା ସମୟରେ ସାରା ବିଶ୍ବରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଦିଏ । ସଂପ୍ରତି କୋଭିଡ୍-19 ବିରୋଧରେ ଚାଲିଥିବା ଲଢେଇ କୌଣସି ବିଶ୍ବଯୁଦ୍ଧ ତୁଳନାରେ କମ୍ ନୁହେଁ । ଯେଉଁଥିରେ 200 ଦେଶ ଗୋଟିଏ ରୋଗ ସୃଷ୍ଟିକାରୀ ଶକ୍ତିକୁ ହରାଇବା ଲାଗି ପ୍ରୟାସ କରୁଛନ୍ତି । ଏହି ଭୂତାଣୁର ମୁକାବିଲା ଲାଗି ସରକାର ଅଭିନବ ଏବଂ କଷ୍ଟସାଧ୍ୟ ନୀତି ନିୟମ କାର୍ଯ୍ୟକାରୀ କରୁଛନ୍ତି । କୋଭିଡ୍-19 ପରବର୍ତ୍ତୀ ସମୟର ବିଶ୍ବ, ଏହା ପୂର୍ବ ସମୟର ବିଶ୍ବ ହୋଇ ରହିବ ନାହିଁ ବୋଲି ଇସ୍ରାଏଲର ଇତିହାସକାର ଏବଂ ଅଧ୍ୟାପକ ୟୁବାଲ ନୋଆ ହାରାରି ପୂର୍ବାନୁମାନ କରିଛନ୍ତି । କେଉଁଭଳି ସାରା ବିଶ୍ବରେ ଏହି ପରିବର୍ତ୍ତନର ବୀଜ ବପନ ହୋଇସାରିଲାଣି ତାହା ସେ ବୁଝାଇ ଦେଇଛନ୍ତି ।
ଯଦି ଭବିଷ୍ୟତରେ ଏଭଳି କୌଣସି ବିଶ୍ବ ମହାମାରୀ ସ୍ଥିତି ଦେଖାଦିଏ, ତେବେ ସାମାଜିକ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଶାସ୍ତି ବିଧାନ କରିବା ଲାଗି ବିଭିନ୍ନ ସରକାର ଶକ୍ତିଶାଳୀ ଗାଣିତିକ କଳନା ବିଧି ବା ଆଲ୍ଗୋରିଦ୍ମ ଏବଂ ତୀକ୍ଷ୍ଣ ନଜର ରଖିପାରୁଥିବା ସର୍ଭେଇଲାନ୍ସ କ୍ୟାମେରାର ବହୁଳ ବ୍ୟବହାର କରିବେ । ବାସ୍ତବରେ କହିବାକୁ ଗଲେ, ଏହି ରୋଗ ସଂକ୍ରମଣର ମୁକାବିଲା ଲାଗି ଚୀନ୍, ଦକ୍ଷିଣ କୋରିଆ ଏବଂ ଇସ୍ରାଏଲ୍ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛନ୍ତି । ଇଲେକ୍ଟ୍ରୋନିକ ଲୋକେସନ୍ ଟ୍ରାକିଂ ଜରିଆରେ ବିଦେଶରୁ ଆସିଥିବା ଲୋକଙ୍କ ଯିବା ଆସିବା ସମ୍ପର୍କରେ ଅବଗତ ହେବା ଲାଗି ତାଇୱାନ ରିଷ୍ଟ୍ବ୍ୟାଣ୍ଡ ବ୍ୟବହାର କରିଥିଲା ।
ଦୁର୍ବଳ ଗଣତାନ୍ତ୍ରିକ ବ୍ୟବସ୍ଥା ଥିବା ଦେଶଗୁଡିକର ନେତାମାନେ ସମ୍ପୂର୍ଣ୍ଣ ଏକତନ୍ତ୍ର ଶାସନସ୍ଥାପନ ଦିଗରେ ଦ୍ରୁତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ, ସେଠାକାର ସମ୍ବିଧାନରେ ଥିବା ସମ୍ପୂର୍ଣ୍ଣ ଜନାଦେଶ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତାର୍ତେ ଅସୀମ କ୍ଷମତାର ଅଧିକାରୀ ହୋଇଛନ୍ତି । କଲୋମ୍ବିଆରେ ବି ଅନୁରୂପ ଜରୁରୀକାଳୀନ ଆଇନ ପ୍ରଣୟନ କରାଯାଉଛି । ନାଗରିକମାନଙ୍କ ଦ୍ବାରା ଗଠିତ ସରକାରଙ୍କ କାର୍ଯ୍ୟରେ ସେନାର ହସ୍ତକ୍ଷେପ ନିରନ୍ତର ବଢିବାରେ ଲାଗିଛି । ପାକିସ୍ତାନର କେତେକ ପ୍ରଦେଶରେ ସ୍ଥାନୀୟ ସରକାର ସହିତ ପାକିସ୍ତାନ ସେନା ସରକାରୀ କାମ କରିବାରେ ଲାଗିଲାଣି । ଦକ୍ଷିଣ ଆଫ୍ରିକାରେ ସୈନିକମାନେ ଲକ୍ଡାଉନ୍ ଲାଗୁ କରାଉଛନ୍ତି । ନାଗରିକମାନଙ୍କ ଦ୍ବାରା ପ୍ରତିବାଦ ଏବଂ ଶୋଭାଯାତ୍ରା ଉପରେ କର୍ତ୍ତୃପକ୍ଷ ନିଷେଧାଦେଶ ଜାରି କରିଛନ୍ତି ।
କୋଭିଡ୍-19 ଯୋଗୁଁ ବିଭିନ୍ନ ଦେଶର ନିର୍ବାଚନ ବିଳମ୍ବିତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ 2020ର ରାଷ୍ଟ୍ରପତି ନିର୍ବାଚନ ପୂର୍ବବର୍ତ୍ତୀ- ପ୍ରାଇମେରୀ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଇଟାଲୀ, ନର୍ଥ ମାସେଡୋନିଆ, ସର୍ବିଆ, ସ୍ପେନ୍, ମିଳିତ ଗଣରାଜ୍ୟ ବା ୟୁକେ ଏବଂ ଇଥିଓପିଆରେ ସ୍ଥାନୀୟ ଓ ସାଧାରଣ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କେତେକ ସରକାର ଅନ୍ଲାଇନ୍ ଭୋଟଦାତା ପଞ୍ଜୀକରଣ ଏବଂ ଦୂରବର୍ତ୍ତୀ ସ୍ଥାନରୁ ଭୋଟ ଦେବା ବା ରିମୋଟ୍ ଭୋଟିଂ ପ୍ରକ୍ରିୟା ଉପରେ ମନୋନିବେଶ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ଦୁଇ ଜଣ ସଦସ୍ୟ କୋଭିଡ୍-19 ସଂକ୍ରମିତ ବୋଲି ଜଣାପଡିବା ପରେ ଅନ୍ୟମାନେ ଅନ୍ଲାଇନ୍ ବୈଠକ ଆୟୋଜନ କରୁଛନ୍ତି ।
ଏହି ସଙ୍କଟଜନକ ସ୍ଥିତିରେ ଗରିବ ଓ ଅଭାବଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ସାଧାରଣ ଲୋକେ ସ୍ବଇଚ୍ଛାରେ ଆଗେଇ ଆସୁଛନ୍ତି । ୱହାନ୍ର ହାସପାତାଳ ପାଇଁ ଚୀନ୍ର ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମରେ ଏକ ଅଭିଯାନ ଚଳାଇଥିଲେ । ଲକ୍ଡାଉନ୍ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଫିଲିପାଇନ୍ସର ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ନାଗରିକ ସଙ୍ଗଠନ ପାଣ୍ଠି ସଂଗ୍ରହ କରିଛନ୍ତି । ଭାରତରେ ଅଭାବୀ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାର ମାଲିକ, କର୍ମଚାରୀ ସଂଘ ଏବଂ ବେସରକାରୀ ସଂସ୍ଥା ଦାନ କରୁଛନ୍ତି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭିକାରୀ, ଦିନ ମଜୁରିଆ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଚୀନ୍ରେ ବାଦୁଡି ଓ କୁକୁର ମାରିବା ଉପରେ ନିଷେଧାଦେଶ ଜାରି କରାଯାଇଛି ।
ରୋଗ ଲକ୍ଷଣ ପ୍ରକାଶ ପାଇବା ଆରମ୍ଭ ହେବା ପୂର୍ବରୁ ହିଁ ରୋଗକୁ ଚିହ୍ନଟ କରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟ ପୂରଣ ଲାଗି ହୁଏତ ଏଣିକି ଡାକ୍ତରଙ୍କ ସ୍ଥାନରେ ଏଭଳି ପୂର୍ବାନୁମାନ ପଦ୍ଧତି ଲାଗି ଉଦ୍ଦିଷ୍ଟ ଧାରଣାର ରୂପରେଖକୁ ନିଆଯାଇପାରେ । ଅଧିକାଂଶ ଦେଶ ଏବେ ଟେଲିମେଡିସିନ୍ ଉପରେ ନିର୍ଭର କରୁଛନ୍ତି । ଏହି ପଦ୍ଧତିରେ ମେଡିକାଲ କର୍ମଚାରୀଙ୍କ ଉପରେ ଚାପ ହ୍ରାସ ପାଏ ଏବଂ ପରିବହନ ବାବଦ ଖର୍ଚ୍ଚ ବଞ୍ଚିଯାଏ । ସ୍ବାସ୍ଥ୍ୟ ବୀମା ବାବଦରେ ସାଧାରଣ ଲୋକଙ୍କ ଖର୍ଚ୍ଚ ବଢିବାକୁ ଯାଉଛି । ଅନ୍ୟପକ୍ଷରେ ସବୁ ଦେଶ ସେମାନଙ୍କ ନିଜର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଭେଣ୍ଟିଲେଟର ଓ କେତେକ ଗୁରୁତ୍ବପୂର୍ଣ୍ଣ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଭାରତ ଅଭାବର ସମ୍ମୁଖୀନ ହୋଇଛି । ଫଳସ୍ବରୂପ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନ୍ଗ୍ରେଡିଏଣ୍ଟ୍ସ (API) ବା ଔଷଧର କଞ୍ଚାମାଲ ଉତ୍ପାଦନ କରୁଥିବା ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।
ରାସ୍ତାରେ ଶୋଭାଯାତ୍ରା ଓ ପ୍ରତିବାଦର ଧାରା ଦ୍ରୁତ ବେଗରେ ଉଭେଇ ଯାଉଛି । ଏହା ବଦଳରେ ସେମାନେ ସାମାଜିକ ଗଣମାଧ୍ୟମରେ ପହଞ୍ଚିଛନ୍ତି । ଇଜିପ୍ଟ ଭଳି କେତେକ ଦେଶରେ ନାଗରିକମାନେ ଅନ୍ଲାଇନ୍ରେ ସେମାନଙ୍କ ଉଦ୍ବେଗ ପ୍ରକାଶ କରୁଛନ୍ତି । ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ଟ୍ବିଟରରେ ଚାଲିଥିବା ହାଶ୍ଟ୍ୟାଗ୍ ଏବେ ଆଦୃତି ଲାଭ କରୁଛି । ଦରଦାମ ବୃଦ୍ଧି, ଜରୁରୀକାଳୀନ ସାମଗ୍ରୀର ଚୋରା କାରବାର ଏବଂ ଡାକ୍ତରୀ ଉପକରଣର ଅଭାବ ଦେଖାଦେବା ଆଶଙ୍କା ରହିଛି । ଏହି ସବୁ ସମ୍ଭାବନାକୁ ଦୃଷ୍ଟିରେ ରଖି ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ କଡାକଡି କରିବା ଲାଗି ନାଇଜେରିଆର ବିଭିନ୍ନ ନାଗରିକ ସଙ୍ଗଠନ ସରକାରଙ୍କୁ ଜଣାଇଛନ୍ତି ।
ଭୂତାଣୁ ନିୟନ୍ତ୍ରଣ ସମ୍ପର୍କିତ ରଣନୀତିକୁ ସବୁ ଦେଶ ପରସ୍ପରକୁ ଜଣାଇବା ଆବଶ୍ୟକ । କୌଣସି କ୍ଷେତ୍ରରେ ଇଟାଲୀର ସଫଳତା ଇଜିପ୍ଟରେ ବି ପ୍ରଭାବ ସୃଷ୍ଟି କରିବାରେ ସକ୍ଷମ ହେବା ଉଚିତ । ବିପରୀତ ଢଙ୍ଗରେ ଯାଇ, ଜର୍ମାନୀରେ ପ୍ରସ୍ତୁତ ପ୍ରତିଷେଧକ ଟିକାକୁ କେବଳ ଆମେରିକାବାସୀଙ୍କ ପାଇଁ ଉପଲବ୍ଧ କରାଇବାକୁ ଟ୍ରମ୍ପ୍ ଚାହିଁଲେ । କୋଭିଡ୍-19 ଦୃଶ୍ୟପଟ୍ଟରେ ଚୀନ ମଧ୍ୟ ଦାୟିତ୍ବହୀନ କାର୍ଯ୍ୟ କରିଛି । ସେହି ସମୟରେ ‘ସାର୍କ’ର ସଦସ୍ୟ ରାଷ୍ଟ୍ର ସମୂହକୁ ଏକତ୍ର କରିବା ଦିଗରେ ଭାରତର ଉଦ୍ୟମ ଅନୁକରଣୀୟ ଆଦର୍ଶ ବୋଲି ପ୍ରମାଣିତ ହୋଇଛି । ଅନ୍ୟାନ୍ୟ ଦେଶକୁ ଗୁରୁତ୍ବପୂର୍ଣ୍ଣ ଔଷଧ ଏବଂ ଡାକ୍ତରୀ ସରଞ୍ଜାମ ଯୋଗାଣ ଦ୍ବାରା ଭାରତର ଖ୍ୟାତି ବଢିଛି । ସର୍ବବ୍ୟାପୀ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ, ଅନ୍ୟ ବିକାଶିତ ଦେଶ ତୁଳନାରେ ତାଇୱାନ୍, ଦକ୍ଷିଣ କୋରିଆ ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶ ଖୁବ୍ ଭଲ କାର୍ଯ୍ୟ କରିଛନ୍ତି ।
ଏହି ଭୂତାଣୁ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ସମାଜ ବିରୋଧୀ ଶକ୍ତିକୁ ମଧ୍ୟ ଲୋକପ୍ରିୟ କରାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତି ତାଲିବାନ୍ ଏହାର ସମର୍ଥନ ଘୋଷଣା କରିଛି । ବ୍ରାଜିଲର ରିଓ ଡି ଜାନେଇରୋରେ ଲକ୍ଡାଉନ୍କୁ କଡାକଡି ଭାବେ ଲାଗୁ କରାଇବା ଲାଗି ବିଭିନ୍ନ ମାଫିଆ ଟିମ୍ କାମ କରୁଛି । ସ୍ବଳ୍ପସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିବାର ଏକ ନୂତନ ସଂସ୍କୃତି ଏହି ଭୂତାଣୁରୁ ସୃଷ୍ଟି ହୋଇଛି । ଏହାଦ୍ବାରା ଆଲକୋହଲ ଏବଂ ତମାଖୁ ସେବନ ହୁଏତ କମ୍ ହୋଇଯାଇପାରେ । ଲୋକଙ୍କ ଭିଡ ଲାଗି ରହିଥିବା ସପିଂ ମଲ୍ ପରିବର୍ତ୍ତେ ଏଣିକି ଲୋକେ ଅନ୍ଲାଇନ୍ ପୋର୍ଟାଲକୁ ପସନ୍ଦ କରିବେ । ପରିବାର ସହ ସମୟ ବିତାଇବା ଏବଂ ସମ୍ପର୍କ ରଖିବା ମଧ୍ୟ ବୃଦ୍ଧି ପାଇବ । ସାରା ବିଶ୍ବକୁ ବୈଷୟିକ ଜ୍ଞାନକୌଶଳର ପ୍ରାଣକେନ୍ଦ୍ର ବା ହବ୍ରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ କୋଭିଡ୍-19 ତ୍ବରାନ୍ବିତ କରୁଛି । ଆଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଅନ୍ଲାଇନ୍ ଶିକ୍ଷା କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ଏହି ଅବସରରେ ସରକାର ବି ଅନ୍ଲାଇନ ପ୍ରଶାସନ ଦିଗରେ ମନ ବଳାଇବେ ।
ଇଣ୍ଟରନେଟ୍ର ବ୍ୟବହାର ବଢିବା ସହିତ ଲୋକଙ୍କ ଚଳପ୍ରଚଳ ସମ୍ପର୍କିତ ତଥ୍ୟ ଆହରଣ ପାଇଁ ବିଗ୍ ଡାଟା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଜ୍ଞାନକୌଶଳ ସରକାରଙ୍କୁ ସାହାଯ୍ୟ କରିବ । ଆଗକୁ ରୋବୋଟ୍, ଭର୍ଚୁଆଲ ରିଆଲିଟି ଏବଂ ଟେଲିମେଡିସିନ୍ ଭଳି ପ୍ରକ୍ରିୟା ଗୋଟିଏ ଗୋଟିଏ ସ୍ବାଭାବିକ ପ୍ରକ୍ରିୟାର ରୂପ ନେବାକୁ ଯାଉଛି । ମାନବ ଜାତି ଗୋଟିଏ ବିକଳ୍ପ ବାଛିନେବା ଆବଶ୍ୟକ । ଆମେ ଏକତାହୀନ ଭାବେ ଏକ ନିମ୍ନଗାମୀ ପଥରେ ଯାତ୍ରା କରିବା କିମ୍ବା ବିଶ୍ବ ଏକତାର ପଥ ଅନୁସରଣ କରିବା ? ଯଦି ଆମେ ଐକ୍ୟହୀନତାକୁ ବାଛି ନେଉ ତେବେ ଏହା ଯେ କେବଳ ବର୍ତ୍ତମାନର ସଙ୍କଟ ସମୟ ବଢାଇବ ତାହା ନୁହେଁ ବରଂ ହୁଏତ ଏହା ଭବିଷ୍ୟତରେ ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବ । ଯଦି ଆମେ ବିଶ୍ବ ଏକତାର ପଥ ବାଛି ନେବା ତେବେ ଏହା କେବଳ କୋରୋନା ଭାଇରସ୍ ବିପକ୍ଷରେ ବିଜୟ ନୁହେଁ ବରଂ ଭବିଷ୍ୟତର ସମସ୍ତ ମହାମାରୀଜନିତ ସ୍ଥିତି ସମେତ ଏକବିଂଶ ଶତାବ୍ଦୀର ମାନବ ଜାତି ପ୍ରତି ସମ୍ଭାବ୍ୟ ସଙ୍କଟ ଉପରେ ଆମର ବିଜୟକୁ ସାବ୍ୟସ୍ତ କରିବ– ୟୁବାଲ ନୋଆ ହାରାରୀ, ଇସ୍ରାଏଲ୍ର ଇତିହାସକାର ଏବଂ ପ୍ରାଧ୍ୟାପକ ।
ଆମେ 1 ପ୍ରତିଶତ ଧନୀକ ଶ୍ରେଣୀର ଏବଂ ଅବଶିଷ୍ଟ 99 ପ୍ରତିଶତ ଲୋକଙ୍କ ମଧ୍ୟରେ ଥିବା ଆର୍ଥିକ ତାରତମ୍ୟକୁ ଲକ୍ଷ୍ୟ କରୁ । କୋଭିଡ୍-19 ପରବର୍ତ୍ତୀ ସମୟରେ ଆମେ ଧନୀକ ଶ୍ରେଣୀର 20 ପ୍ରତିଶତ ଏବଂ ଅବଶିଷ୍ଟ 80 ପ୍ରତିଶତ ଲୋକଙ୍କ ମଧ୍ୟରେ ଥିବା ତଫାତ୍ ଦେଖିବା । ସ୍ଥିର ରୋଜଗାର କରୁଥିବା ଆମେରିକୀୟମାନେ ଏହି ସଙ୍କଟକୁ ଲଙ୍ଘି ଯିବେ । ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ପରିବାର ଏବଂ ଯୋଗାଣ ଓ ନିର୍ମାଣ ଶିଳ୍ପରେ କାର୍ଯ୍ୟରତ ଲୋକେ ସବୁଠାରୁ ଖରାପ ସ୍ଥିତିରେ ରହିବେ- ଥେଡା ସ୍କୋପୋଲ, ଆମେରିକୀୟ ସମାଜ ବିଜ୍ଞାନୀ ଏବଂ ରାଜନୈତିକ ବିଜ୍ଞାନୀ । ଆଗକୁ ଆଉ କିଛି ବର୍ଷ ଧରି ଲୋକେ ଭୋଜନ ପାଇଁ ବାହାରକୁ ନଯାଇ ଘରେ ରାନ୍ଧିବା ଆରମ୍ଭ କରିଦେବେ-ପଲ୍ ଫ୍ରିଡ୍ମ୍ୟାନ୍, ୟେଲ୍ ବିଶ୍ବବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ।