ଓଡିଶା

odisha

ETV Bharat / bharat

ଫାଷ୍ଟଟ୍ରାକ କୋର୍ଟରେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା, ଶୀଘ୍ର ମିଳିବ ତ ନ୍ୟାୟ ?

ହାଇଦ୍ରାବାଦ ମହିଳା ପଶୁ ଚିକିତ୍ସକ ଗଣଦୁଷ୍କର୍ମ ମାମଲାରେ ତ୍ବରିତ ହେବକି ବିଚାର । ଏହି ମାମଲା ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯିବା ପରେ ଶିଘ୍ର ମାମଲାର ଶୁଣାଣି ପାଇଁ ଆଶା ସଞ୍ଚାର ହୋଇଛି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା
ଡିଜାଇନ ଫଟୋ

By

Published : Dec 5, 2019, 10:44 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଖେଳିଯାଇଛି ଆଲୋଡନ । ଚାରିଆଡେ ଜଳୁଛି ଅସନ୍ତୋଷର ନିଆଁ । ନିର୍ଭୟା ଘଟଣା ପରେ ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କ ମନରେ ସଞ୍ଚାର କରିଛି ଭୟ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଦୁଷ୍କର୍ମକାରୀକୁ କେବେ ମିଳିବ ଦଣ୍ଡ ? ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରିବା ପାଇଁ ସବୁ ମହଲରୁ ଦାବି ଜୋର ଧରିଛି ।

ଏହି ସମ୍ବେଦନଶୀଳ ମାମଲାର ତୁରନ୍ତ ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯାଇଛି । ମହାଦୁବନଗର ଜିଲ୍ଲା ଦୌରାଜଜଙ୍କ ଅନୁମତି କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ବର୍ତ୍ତମାନ ମାମଲାର ଶୁଣାଣି କରିବେ । ଫାଷ୍ଟଟ୍ରାକ କୋର୍ଟକୁ ମାମଲା ହସ୍ତାନ୍ତର ପରେ ତ୍ବରିତ ମାମଲାର ଶୁଣାଣି ହେବା ନେଇ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି ।

ଫାଷ୍ଟଟ୍ରାକ କୋର୍ଟରେ ଶୀଘ୍ର ମିଳିବ ତ ନ୍ୟାୟ ?

ଫାଷ୍ଟଟ୍ରାକ କୋର୍ଟକୁ ମାମଲା ହସ୍ତାନ୍ତର ହେବା ପରେ କ’ଣ ଶିଘ୍ର ନ୍ୟାୟ ମିଳେ । ଏ ପ୍ରଶ୍ନ ସଭିଁଙ୍କ ମନରେ ଆସିବା ସ୍ବାଭାବିକ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଫାଷ୍ଟଟ୍ରାକ କୋର୍ଟରେ ଗୋଟେ ଗୋଟେ ମାମଲାର ଶୁଣାଣି ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ତେଲେଙ୍ଗାନାରେ 12 ପ୍ରତିଶତ ମାମଲାର ଶୁଣାଣି ପାଇଁ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଛି ।

ଜମ୍ମୁ କାଶ୍ମୀର ଓ ମଧ୍ୟପ୍ରଦେଶରେ ଫାଷ୍ଟଟ୍ରାକ କୋର୍ଟରେ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ଶୀର୍ଷରେ ଥିବାବେଳେ ବିହାର ଓ ତେଲେଙ୍ଗାନା ଏହି ମାମଲାରେ ନିମ୍ନରେ ଅଛନ୍ତି । ସେହିପରି ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ସାରା ଦେଶରୁ ସର୍ବମୋଟ 6 ଲକ୍ଷରୁ ଅଧିକ ମାମଲା ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯାଇଛି । ସେଥିରୁ ଉତ୍ତର ପ୍ରଦେଶର ମାମଲା ସର୍ବାଧିକ ରହିଛି ।

2017 ନ୍ୟାସନାଲ କ୍ରିମିନାଲ ଷ୍ଟାଟିଷ୍ଟ୍ରିକ ବ୍ୟୁରୋ ରିପୋର୍ଟ ଅନୁସାରେ, 12 ପ୍ରତିଶତ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟକୁ 10 ବର୍ଷରୁ ଅଧିକ ସମୟ ଲାଗିଛି । ବିହାରରେ ଏକ ତୃତୀୟାଶଂ ମାମଲାର ଶୁଣାଣି ପାଇଁ 10 ବର୍ଷ ଲାଗିଛି ।

ନିର୍ଭୟା କାଣ୍ଡ ପରେ ସରକାର ସାରା ଦେଶରେ 1023ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଘୋଷଣା କରିଥିଲେ ବି ବର୍ତ୍ତମାନ ରହିଛି ମାତ୍ର 581ଟି କୋର୍ଟ । ବଡକଥା ହେଉଛି କୋର୍ଟରେ କର୍ମଚାରୀ ଅଭାବ ମଧ୍ୟ ଲାଗି ରହିଛି ।

ତ୍ବରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠିତ ହୋଇଥିଲେ ବି କିଛି ମାମଲାର ଶୁଣାଣି 10ରୁ ଅଧିକ ସମୟ ଲାଗିବା ଏକ ଚିନ୍ତାଜନକ ବିଷୟ । ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ସମସ୍ତଙ୍କୁ ଅପେକ୍ଷା ।

ABOUT THE AUTHOR

...view details