ହାଇଦ୍ରାବାଦ: ଜାତିସଂଘରେ ପୁଣି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଆସନ୍ତା 27 ତାରିଖରେ ଜାତିସଂଘରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଯାହାକୁ ସମ୍ବୋଧନ କରିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇମରାନ ଖାନ । ଦୀର୍ଘ 48 ବର୍ଷ ପରେ ବିଶ୍ବ ମଞ୍ଚରେ ଆଲୋଚନା ହେବ କାଶ୍ମୀର ପ୍ରସଙ୍ଗ ।
ନଜର ପକାନ୍ତୁ ପୂର୍ବରୁ ଭାରତ ଓ ପାକିସ୍ତାନ ସମସ୍ୟା ସମାଧାନ ଉପରେ କେବେ ହସ୍ତକ୍ଷେପ କରିଥିଲା ଜାତିସଂଘ :
ଭାରତ ସ୍ବାଧୀନତା ଲାଭ କରିବାର କିଛି ମାସ ନ ବିତୁଣୁ କାଶ୍ମୀରକୁ ଆପଣାଇବାକୁ ପାକିସ୍ତାନ ଆରମ୍ଭ କରିଥିଲା ଷଡଯନ୍ତ୍ର । 1948 ମସିହା ଜାନୁଆରୀ 1 । ସଂଯୁକ୍ତ ରାଷ୍ଟ୍ର ଅଧ୍ୟାୟ-6 ଅନୁସାରେ ପାକିସ୍ତାନ ବିରୋଧରେ ମାମଲା ଦାଏର କରିଥିଲା ଭାରତ । ଜମ୍ମୁ କାଶ୍ମୀରର ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ପାକିସ୍ତାନ ଆକ୍ରମଣ କରିଥିବା ଅଭିଯୋଗ କରିଥିଲା । କିନ୍ତୁ ଅତି ଚତୁରତାର ସହିତ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲା ପାକିସ୍ତାନ । ଆକ୍ରମଣରେ ତାର କୌଣସି ହାତ ନଥିବା କହିବା ସହ ଭାରତ କାଶ୍ମୀରକୁ ଅକ୍ତିଆର କରିଥିବା ଯୁକ୍ତି ବାଢିଥିଲା ।
କାଶ୍ମୀର ପ୍ରସଙ୍ଗରେ 1948 ଜାନୁଆରୀ 17ରେ ଜାତିସଙ୍ଘ ସୁରକ୍ଷା ପରିଷଦ 39ଟି ପ୍ରସ୍ତାବ ପାରିତ କରିଥିଲା । ଦୁଇ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟାକୁ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲା ସୁରକ୍ଷା ପରିଷଦ । ନିର୍ଦ୍ଦେଶର ଠିକ୍ 3 ଦିନ ପରେ ଅର୍ଥାତ୍ ଜାନୁଆରୀ 20ରେ UNSC ଗଠନ କରିଥିଲା 3 ସଦସ୍ୟତା ବିଶିଷ୍ଟ ଏକ ଆୟୋଗ । ଏହି ଆୟୋଗ ଉଭୟ ଦେଶର ସମସ୍ୟା ସମାଧାନ ପାଇଁ ମଧ୍ୟସ୍ଥତା କରୁଥିଲା ।
ପରେ ଏପ୍ରିଲ 21ରେ ଜାତିସଂଘରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । UNSC ପୂର୍ବରୁ ଗଠିତ ଥିବା ଆୟୋଗର 3 ଜଣିଆ ସଦସ୍ୟକୁ 5କୁ ବୃଦ୍ଧି କରିଥିଲେ । ଏଥିସହ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଶତ୍ରୃତାକୁ ସମାପ୍ତ ପାଇଁ ପାକିସ୍ତାନର ସେନା ଓ ଜନଜାତିଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମୁକ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବା ସହ ଜମ୍ମୁ କାଶ୍ମୀରରୁ ଜନମତ ସଂଗ୍ରହ ପାଇଁ କୁହାଯାଇଥିଲା ।