ମୁମ୍ବାଇ: ମହାରାଷ୍ଟ୍ରର 'ଧାରାବି' ଏସିଆର ସର୍ବବୃହତ ବସ୍ତି । କିଛିଦିନ ତଳେ ମୁମ୍ବାଇର କୋରୋନା ହଟସ୍ପଟ ପାଲଟିଥିଲା ଧାରାବି । କିନ୍ତୁ ଗତ ମାସରୁ ଏହି ଅଞ୍ଚଳରୁ ପଜିଟିଭ ମାମଲା ଓ ମୃତ୍ୟୁହାର ବେଶ୍ ତଳକୁ ଖସିଯାଇଛି ।
ତେବେ ଏହି ସଫଳଳା ପଛରେ ହାତ ରହିଛି ନଗରପାଳିକା, ସ୍ବାସ୍ଥ୍ୟକର୍ମୀ ଓ ବେସରକାରୀ ସଙ୍ଗଠନର । ସମସ୍ତଙ୍କ ମିଳିତ ପ୍ରୟାସରେ ଆକ୍ରାନ୍ତମାନଙ୍କୁ ତୁରନ୍ତ କ୍ବାରେଣ୍ଟିନ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଜୋରସୋରରେ କରିଥିଲେ । ଯାହାର ସୁଫଳ ବର୍ତ୍ତମାନ ଦେଖିବାକୁ ମିଳୁଛି । ଏହି ସଫଳତା ପାଇଁ ବିଏମସିର ପ୍ରସଂଶା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟ । ଏହାପରେ ଦିଲ୍ଲୀ ସମେତ ଅନେକ ରାଜ୍ୟ ଧାରାବିର ସଫଳତାର ରହସ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି ।
ପ୍ରାୟ 10ଲକ୍ଷ ଲୋକ ରହୁଥିବା ଧାରାବି ବସ୍ତିରେ ସାମାଜିକଦୂରତା ଅବଲମ୍ବନ କରିବା କାଠିକାର ପାଠ ଥିଲା । ପ୍ରଥମେ ବସ୍ତିରେ ରହୁଥିବା ଲୋକମାନେ କୋରୋନା ଲକ୍ଷଣ ସମ୍ପର୍କରେ ସୂଚନା ଦେବାକୁ ଡରୁଥିଲେ । କିନ୍ତୁ ମୁମ୍ବାଇ ପୌରପରିଷଦ ନିଜର ଡାକ୍ତର ମାନେ ପାରିବାରିକ ଡାକ୍ତର ଙ୍କ ସହାୟତାରେ ସେମାନଙ୍କ ନିକଟରେ ପହଞ୍ଚିବ ବୋଲି ନିଷ୍ପତି ନେଇଥିଲା ।
ସେହି ପାରିବାରିକ ଡାକ୍ତରମାନେ ଲୋକଙ୍କ ଠାରୁ ବହୁତ କମ ଫିସ୍ ନେଉଥିଲେ । ସେମାନଙ୍କ ବିଶ୍ବାସ ଜିଣିବା ପାଇଁ ଲୋକଙ୍କ ନିକଟତର ହେଉଥିଲେ । ତେବେ କୋଭିଡ-19ର ଟେଷ୍ଟିଙ୍ଗ ପାଇଁ 'ଫିଭର କ୍ଲିନିକ'ର ସ୍ଥିପାତ କରାଯାଇଥିଲା । ସେଠାରେ କୋରୋନା ସନ୍ଦିଗ୍ଧଙ୍କ ଯାଞ୍ଚ କରାଯିବା ସହ କଣ୍ଟାକ୍ଟ ଲିଷ୍ଟ ପ୍ରସ୍ତୁତ କରାଯାଉଥିଲା ।
ଇଟିଭି ଭାରତକୁ ଡାକ୍ତର ଅନିଲ ପଚନେକର ଧାରାବି ମିଶନକୁ ନେଇ କହିଛନ୍ତି ଯେ, ପ୍ରାୟ ଗୋଟିଏ ସପ୍ତାହରେ 47,500ଲୋକଙ୍କ ଡୋର ଟୁ ଡୋର ଯାଇ ସ୍କ୍ରିନିଙ୍ଗ କରାଯାଇଛି । ସେମାନଙ୍କ ମଧ୍ୟରୁ 1100 ଲୋକଙ୍କୁ କ୍ବାରଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ 150ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଦେଶବ୍ୟାପୀ ତାଲାବନ୍ଦୀ ହେବାପରେ 4ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜର ଘରକୁ ଫେରି ଯାଇଥିଲେ । ଫଳରେ ସେଠାରେ ଭିଡ ପ୍ରାୟ କମ ହୋଇଯାଇଥିଲା ।