ଭୋପାଳ: ସରିସାରିଥିଲା ବାହାଘରର ସମସ୍ତ ପ୍ରସ୍ତୁତି । ବର ଓ କନ୍ୟାଙ୍କୁ ଅପେକ୍ଷା କରି ରହିଥିଲା ବାହାବେଦୀ । ସବୁ ଝିଅଙ୍କ ପରି ସେ ବି ବେଦୀରେ ବସିବା ପୂର୍ବରୁ ବୋହୂ ବେଶରେ ସଜେଇ ହେବାକୁ ଯାଇଥିଲା ବିୟୁଟି ପାର୍ଲର । ହେଲେ କିଏ ଜାଣିଥିଲା ବିୟୁଟି ପାର୍ଲରରେ ତାକୁ ଅନାଇ ରହିଥିଲା ମୃତ୍ୟୁ । ହାତଗଣ୍ଠି ପଡିବା ପୂର୍ବରୁ କେହି ଜଣେ କାଟିଦେଲା କନ୍ୟାର ଗଳା । ଆଉ ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ତାର ଜୀବନ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ ।
ରତଲାମର ଜଣେ 25 ବର୍ଷୀୟ କନ୍ୟାର ବାହାଘର ପୂର୍ବରୁ ତାର ଗଳାକୁ କେହି ଜଣେ ବିୟୁଟି ପାର୍ଲର ଭିତରେ କାଟିଦେଇଛି । କନ୍ୟା ଓ ତାର ଭଉଣୀ ଉଭୟ ମେକଅପ ହେବା ପାଇଁ ଏକ ବିୟୁଟି ପାର୍ଲରକୁ ଆସିଥିଲେ । ହଠାତ କେହି ଜଣେ ବିୟୁଟି ପାର୍ଲର ଭିତରକୁ ପଶିଆସି କନ୍ୟାର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇ ସେଠାରୁ ଫେରାର ହୋଇଯାଇଥିଲା । ସଙ୍ଗେସଙ୍ଗେ କନ୍ୟା ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସଂଧ୍ୟାରେ କନ୍ୟାର ବାହାଘର ହେବାକୁ ଥିଲା ।