ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ଓ ଡାକ୍ତରଙ୍କ ସହ କଥା ହୋଇ ବିରୋଧ ପ୍ରଦର୍ଶନ ନକରିବାକୁ ନିବେଦନ କରିଛନ୍ତି। ସରକାର ତାଙ୍କ ସହ ଅଛନ୍ତି ବୋଲି ସେ ଡାକ୍ତରମାନଙ୍କୁ ଆଶ୍ବସନା ଦେଇଛନ୍ତି। ମେଡିକାଲ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରିବାକୁ ଡାକ୍ତରମାନେ ପ୍ରତୀକାତ୍ମକ ପ୍ରଦର୍ଶନ ଭାବରେ ଆଜି ଦୀପ ଜାଳିବାକୁ ଯାଉଛନ୍ତି।
ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମେଡିକାଲ ଆସୋସିଏସନର ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଅମିତ ଶାହା ଡାକ୍ତରଙ୍କ ନିରାପତ୍ତା ନେଇ ଆଶ୍ବସନା ଦେଇଛନ୍ତି ଏବଂ ସେମାନଙ୍କ ଦ୍ବାରା ପ୍ରସ୍ତାବିତ ପ୍ରତୀକାତ୍ମକ ବିରୋଧ ନକରିବାକୁ ନିବେଦନ କରିଛନ୍ତି ।
ଅମିତ ଶାହାଙ୍କ ନିବେଦନ ପରେ ଡାକ୍ତରମାନେ ନିଜ ପ୍ରତିବାଦରୁ ପ୍ରତ୍ୟାହୃତ ହୋଇଛନ୍ତି । ସେମାନ କହିଛନ୍ତି, ‘ଗୃହମନ୍ତ୍ରୀ ଅମିତ ଶାହା ପୁରା କଥା ବୁଝିଛନ୍ତି ଏବଂ ଚିନ୍ତିତ ଅଛନ୍ତି। ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାର ପ୍ରତିଶୃତି ଦେଇଛନ୍ତି। ଆମେ ସରକାରଙ୍କୁ ବିଶ୍ବାସ କରୁଛୁ ତେଣୁ ଆମେ ବିରୋଧ ପ୍ରତ୍ୟାହାର କରୁଛୁ ’।