ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟ ଜାରି କରିଛି। ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଏପରି ପଦକ୍ଷେପ ନେଇଛି ଭାରତୀୟ ବାୟୁସେନା । ଭାରତ ଆକ୍ରମଣ ପରେ ପାକ୍ ମଧ୍ୟ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ସୂଚନା ରହିଛି ।
ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି। ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି। ତେବେ ଜବାବରେ ପାକିସ୍ତାନ ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ନେଇ ଭାରତୀୟ ବାୟୁସେନା ଆଶଙ୍କା କରିଛି।
ତେଣୁ ବାୟୁସେନା ନିଜର ସମସ୍ତ ଏୟାର ଡିଫେନ୍ସ ସିଷ୍ଟମକୁ ହାଇ ଆଲର୍ଟ କରିଛି। ଏହାସହ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଏବଂ ଏଲଓସିରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ପାକ୍ ବାୟୁସେନା ପକ୍ଷରୁ କୌଣସି ଆକ୍ରମଣ ହେଲେ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛି ବାୟୁସେନା । ଏଥିପାଇଁ ଏହା ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।
ପୂର୍ବରୁ ଆକ୍ରମଣ ପରେ ପଞ୍ଜାବ ଓ ଗୁଜୁରାଟରେ ହାଇ ଆଲର୍ଟ ଜାରି ହୋଇଥିଲା। ଏହାସହ ଲୋକଙ୍କୁ ଏବଂ ଯବାନଙ୍କୁ ମଧ୍ୟ ସତର୍କ କରାଯାଇଛି।ରାଜସ୍ଥାନର ଜାମନଗର, ଉତ୍ତରଲାଇ, ଜୈସଲମେର, ଯୋଧପୁର, ଫଲୋଦୀ, ନାଲରେ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ପଞ୍ଜାବରେ ସମସ୍ତ ଏୟାରବେସରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ସେନାଙ୍କ ଅଧିକାରୀ କହିବା କଥା ହେଲା ସେନାମାନେ ସମୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ।
ରିପୋର୍ଟ ଅନୁସାରେ ବାୟୁସେନା ପିଓକେର ବାଲାକୁଟଠାରେ ଥିବା ଜୈଶର ପ୍ରାୟ 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି ।ଜୈଶର 3ଟି କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ଭାରତୀୟ ବାୟୁସେନା । ତେବେ ସମସ୍ତ ସେନା ସୁରକ୍ଷିତ ଭାବେ କାଶ୍ମୀର ଫେରିଆସିଛନ୍ତି । ଏହାସହ ଏୟାରବେସ ସମ୍ପୂର୍ଣ୍ଣଭାବେ ହାଇଆଲର୍ଟ ମୋଡରେ ରହିଛି ।