ହାଇଦ୍ରାବାଦ: ଜାତିସଂଘରେ ପୁଣି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଆସନ୍ତା 27 ତାରିଖରେ ଜାତିସଂଘର ସାଧାରଣ ଅଧିବେଶନରେ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗଦେବେ । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜାତିସଂଘର ସାଧାରଣ ଅଧିବେଶନରେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।
ଜାତିସଂଘରେ ଭାରତ-ପାକିସ୍ତାନର ବିଗତ 5 ବର୍ଷର ଆଭିମୁଖ୍ୟ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 74 ତମ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ)ରେ 4 ବର୍ଷ ପରେ ଯୋଗ ଦେବେ । ଏହାପୂର୍ବରୁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଯୋଗଦେଇଥିଲେ । ଆତଙ୍କବାଦୀ ପ୍ରସଙ୍ଗରେ ସେ ପାକିସ୍ତାନ ଉପରେ ସେତେବେଳେ ଜୋରଦାର ହମଲା କରିଥିଲେ । ତେବେ ଆସନ୍ତୁ ନଜର ପକାଇବା ବିଗତ ପାଞ୍ଚ ବର୍ଷରେ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ)ରେ ଉଭୟ ଦେଶର ଅଭିଭାଷଣ ଉପରେ ...
69ତମ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ) 2014:
ନୱାଜ ସରିଫ୍: ‘କଶ୍ମୀର ସମସ୍ୟା ଉପରେ ପରଦା ପକାଇପାରିବା ନାହିଁ’
‘କାଶ୍ମୀରର ଅନେକ ପୀଢି ସେମାନଙ୍କ ଜୀବନକୁ ହିଂସା ସହିତ ବିତାଇଛନ୍ତି ଓ ନିଜର ମୌଳିକ ଅଧିକାର ହରାଇଛନ୍ତି । ଜମ୍ମୁ ଓ କଶ୍ମୀରର ମୂଳ ସମସ୍ୟାର ସମାଧାନ କରିବାକୁ ପଡିବ । ଏହା ସାରା ବିଶ୍ବ ସମୁଦାୟର ଦାୟିତ୍ବ । ଆମେ କଦାପି କଶ୍ମୀର ସମସ୍ୟା ଉପରେ ପରଦା ପକାଇପାରିବା ନାହିଁ ।’ ଜାତିସଂଘରେ ଏପରି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।
ନରେନ୍ଦ୍ର ମୋଦି: ଦ୍ବିପାକ୍ଷିକ ଆଲୋଚନା ପାଇଁ ଉପଯୁକ୍ତ ବାତାବରଣ ପାକିସ୍ତାନ ସୃଷ୍ଟି କରିବା ଉଚିତ୍
ଜାତିସଂଘରେ ପାକିସ୍ତାନକୁ ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ମୁଁ ପାକିସ୍ତାନ ସହିତ ମିତ୍ରତା ଓ ସହଯୋଗିତା ବଢାଇବା ପାଇଁ ଗମ୍ଭୀରତାର ସହିତ ଶାନ୍ତିପୂର୍ଣ୍ଣ ବାତାବରଣରେ ବିନା ଆତଙ୍କୀ ଛାୟାରେ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଚାହୁଁଛି । କିନ୍ତୁ ପାକିସ୍ତାନର ବି ଏହା ଦାୟିତ୍ବ ଯେ, ଉପଯୁକ୍ତ ବାତାବରଣ କରିବା ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ସାମ୍ନାକୁ ଆସିବ।’
70ତମ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ) 2015:
ପାକିସ୍ତାନ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ କହିଥିଲେ,‘କାଶ୍ମୀରର ତିନି ପୀଢି କେବଳ ମିଛ ପ୍ରତିଶ୍ରୁତି ଓ ଭୟଙ୍କର ଅତ୍ୟାଚାର ଦେଖିଛନ୍ତି । ଜୀବନ ରକ୍ଷା କରିବାକୁ ଯାଇ 1 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ଜାତିସଂଘର ସବୁଠାରୁ ବଡ ବିଫଳତା । ମୁଁ ଭାରତ ସହିତ ଏକ(ଚାରି ସୂତ୍ର ବିଶିଷ୍ଟ) ନୂଆ ଶାନ୍ତି ଚୁକ୍ତିର ପ୍ରସ୍ତାବ ଦେଉଛି ।’
ଏହାର ଜବାବ ଦେବାକୁ ଯାଇ ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଥିଲେ,‘ଆମେ ସବୁ ଜାଣିଛେ ଯେ, ଏହି ସବୁ ହମଲା ଭାରତରେ ଅସ୍ଥିରତା ଖେଳାଇବାକୁ ଓ ପାକିସ୍ତାନ ଦ୍ବାରା ଅବୈଧ ଉପାୟରେ ଅକ୍ତିଆର ହୋଇଥିବା ଜମ୍ମୁ ଓ କଶ୍ମୀରର କିଛି ଅଂଶକୁ ବୈଧ କରିବାକୁ କରାଯାଉଛି । ଚାରି ସୂତ୍ରର ଆବଶ୍ୟକତା ନାହିଁ, ଗୋଟିଏ ସୂତ୍ର ଯଥେଷ୍ଟ । ଆତଙ୍କବାଦ ପ୍ରତ୍ୟାଖାନ କର ଓ ବସି ଆଲୋଚନା କର ।’
71ତମ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ) 2016:
ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉଠାଇଥିଲେ ବୁରହାନ୍ ୱାନି କଥା । ସେ କହିଥିଲେ, ‘ବୁରହାନ୍ ୱାନି ନାମକ ଜଣେ ଯୁବନେତାକୁ ଭାରତୀୟ ସେନା ହତ୍ୟା କରିବା ବର୍ତ୍ତମାନର କଶ୍ମୀର ସ୍ଥିତି ଅବଗତ କରାଉଛି । ମୁଁ ଅଧିବେଶନରେ ଜଣାଇବାକୁ ଚାହୁଁଛି ଯେ, ପାକିସ୍ତାନ ତାର ଜେନେରାଲ ସେକ୍ରେଟାରୀ ମାଧ୍ୟମରେ ଅଧିକୃତ ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନା କରୁଥିବା ମାନବାଧିକାର ଉଲଘଂନର ପ୍ରମାଣ ଯୋଗାଇଦେବ ।’
ତେବେ ସୁଷମା ତାଙ୍କ ଅଭିଭାଷଣରେ କହିଥିଲେ,‘ଦୁନିଆରେ ଏପରି ଦେଶ ଅଛି, ଯେ ଆତଙ୍କବାଦୀଙ୍କ ଭାଷା କୁହନ୍ତି, ଆତଙ୍କବାଦୀକୁ ଫଳାନ୍ତି ଓ ଆତଙ୍କବାଦୀକୁ ବିକ୍ରି କରନ୍ତି । ଆତଙ୍କବାଦୀଙ୍କୁ ପାଳିବା ସେ ଦେଶର ସଉକ ବନିଯାଇଛି । ଥରେ ବେଲୁଚିସ୍ତାନକୁ ଦେଖନ୍ତୁ କଣ ହେଉଛି ସେଠି । ସେମାନେ କଣ କରୁଛନ୍ତି ସେଠାରେ । ମୁଁ କହିବାକୁ ଚାହୁଁଛି ବେଲୁଚିସ୍ତାନରେ ଆଜି ଯାହା ହେଉଛି ତାହା ଯାତନାର ଶେଷ ସୀମା ।’
72 ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ) 2017:
ପାକିସ୍ତାନର ସାହିଦ୍ ଖାନ ଆବ୍ବାସୀ ତାଙ୍କ ଅଭିଭାଷଣରେ କଶ୍ମୀରରେ ମାନବାଧିକାର ଉଲଂଘନ ହେଉଥିବା ଉଠାଇଥିଲେ । ସେ କହିଥିଲେ,‘ଆମେ କହୁଛୁ କି, ଜାତିସଂଘ ମହାସଚିବ ଓ ମାନବଧିକାର ଉଚ୍ଚାୟୁକ୍ତ ଅଧିକୃତ କଶ୍ମୀରରେ ଚାଲିଥିବା ମାନବାଧିକାର ଉଲଘଂନର ପ୍ରକୃତ ସତ୍ୟ ଜାଣିବା ପାଇଁ ଏକ ଯାଞ୍ଚ ଟିମ୍ ପଠାନ୍ତୁ ।’
ତେବେ ସେତେବେଳେ ସୁଷମା ପାକିସ୍ତାନ ଉପରେ ବର୍ଷିବା ସହ ପାକିସ୍ତାନ ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା କହିଥିଲେ । ସୁଷମା କହିଥିଲେ,‘ଉଭୟ ଭାରତ ଓ ପାକିସ୍ତାନ ଏକା ସମୟରେ ସ୍ବାଧୀନ ହୋଇଥିଲେ । ଆମେ ସ୍କଲାର, ବୈଜ୍ଞାନିକ, ଇଂଞ୍ଜିନିୟରଙ୍କୁ ଡାକ୍ତରଙ୍କୁ ଜନ୍ମ ଦେଇଛୁ । ପାକିସ୍ତାନ ତୁମେ କଣ ଜନ୍ମ ଦେଇଛ ? ତୁମେ ଆତଙ୍କବାଦକୁ ଜନ୍ମ ଦେଇଛ ।’
73 ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ) 2018:
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ଜାତିସଂଘରେ କହିଥିଲେ,‘ପେଶୱାରାରେ ନିରୀହ ପିଲାଙ୍କ ହତ୍ୟାକୁ ପାକିସ୍ତାନ କେବେ ଭୁଲିବନି । ମସ୍ତୁଙ୍ଗ ଆକ୍ରମଣକୁ ତଥା ଅନେକ ଆକ୍ରମଣକୁ ଯାହାକୁ ହିନ୍ଦୁସ୍ତାନ ପରୋକ୍ଷରେ ସମର୍ଥନ ଦେଇଥିଲା । ଆମେ ଭୁଲିବୁନି ସମଝୋତା ଏକ୍ସପ୍ରେସରେ ହୋଇଥିବା ଆକ୍ରମଣକୁ ଯେଉଁଥିରେ ଅନେକ ପାକିସ୍ତାନୀଙ୍କ ପ୍ରାଣହାନୀ ଘଟିଥିଲା ।’
ତେବେ ଭାରତର ପ୍ରତିପକ୍ଷ ତାଙ୍କୁ ଜବାବ ଦେଇ କହିଥିଲେ,‘ସବୁବେଳେ ପାକିସ୍ତାନ ଆମ ଉପରେ ମାନବାଧିକାର ଉଲଘଂନର ଆରୋପ ଲଗାଉଛି । ହେଲେ ମାନବାଧିକାରର ସବୁଠାରୁ ବଡ ଉଲଘଂନ ତ ଆତଙ୍କବାଦୀ କରୁଛନ୍ତି । ଯିଏ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି, ନିରୀହ ଲୋକଙ୍କ ଜୀବନ ନେଉଛନ୍ତି । ହେଲେ ପାକିସ୍ତାନ କାହାର ସାଥ ଦେଉଛି, ଯିଏ ଲୋକଙ୍କୁ ହତ୍ୟା କରୁଛି । ଆଉ ଜୀବନ ଯାଉଥିବା ଲୋକଙ୍କ ପାଇଁ ଚୁପ୍ ରହୁଛି ।’
ଏହା ଥିଲା ଗତ 5 ବର୍ଷରେ ଉଭୟ ଦେଶ ଜାତିସଂଘରେ ଉଠାଇଥିବା ପ୍ରସଙ୍ଗ । ତେବେ ଦେଖାଯାଉ ଚଳିତ ଥର କ’ଣ ରହିବ ଉଭୟ ଦେଶର ଆଭିମୁଖ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ