କୋରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ସଂକଟର ସମ୍ମୁଖୀନ ହୋଇଥିବାରୁ ଏହାକୁ ଗତିଶୀଳ କରିବା ପାଇଁ ‘ହେଲିକପଟର ମନି’ ନୀତି ଆପଣାଇବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରିଜର୍ଭ ବ୍ୟାଙ୍କ୍ କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଫଳରେ ୫ ଦଶକ ପୁରୁଣା ଏହି ପଲିସି ପ୍ରେସକ୍ରିପସନ୍ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ୧୯୬୮ ମସିହାରେ ଅର୍ଥନୀତିଜ୍ଞ ମିଲଟନ ଫ୍ରାଏଡମ୍ୟାନ ପ୍ରଥମେ ‘ହେଲିକପଟର ମନି’ଶବ୍ଦର ବ୍ୟବହାର କରିଥିଲେ । ଅର୍ଥନୀତି ଯଦି ଡିଫ୍ଲେସନ ବା ଅପସ୍ଫୀତି ଅବସ୍ଥାକୁ ଆସିଯାଏ,ତାହା ହେଲେ ଶେଷ ଉପାୟ ଭାବେ ହେଲିକପଟର ମନିର ସହାୟତା ନିଆଯାଇପାରେ । ଅର୍ଥାଭାବ ହେଲେ ସେବା ଓ ସାମଗ୍ରୀର ଦର ହ୍ରାସ ହୋଇଥାଏ । ଅର୍ଥନୀତିର ଏଭଳି ଅବସ୍ଥାକୁ ଡିଫ୍ଲେସନ କୁହାଯାଏ ।
ଏହି ହେଲିକପଟର ମନି କଣ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଣ ଅଧିକ ନୋଟ୍ ଛାପି ଆମ ଅର୍ଥ ବ୍ୟବସ୍ଥାରେ ସେସବୁ ଜାରି କରିପାରିବ ? ଈଟିଭି ଭାରତର କ୍ରିଷ୍ଣାନନ୍ଦ ତ୍ରିପାଠୀ ଏ ବାବଦରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂବର୍ତନ ଡେପୁଟି ଗଭର୍ନରଙ୍କ ସହ କଥା ହୋଇଥିଲେ ।
ହେଲିକପଟର ମନି କଣ ? ଅର୍ଥନୀତିର ସାମାଜିକ କ୍ଷେତ୍ରରେ ବଡ ଧରଣର
ସରକାରୀ ଖର୍ଚ୍ଚକୁ ହେଲିକପଟର ମନି କୁହାଯାଏ । ଏକାଧିକ କ୍ଷେତ୍ରରେ ବ୍ୟାପକ ଭାବେ ଯଦି ସରକାରୀ ବ୍ୟୟ ହୁଏ, ତାହା ହେଲେ ଏହାକୁ ହେଲିକପଟର ମନି କୁହାଯାଏ । ପୂବର୍ତନ ୟୁଏସ ଫେଡ୍ ଅଧ୍ୟକ୍ଷ ବେନ୍ ବେରନେକ୍ ମଧ୍ୟ ଏହି ନୀତିର ପ୍ରବକ୍ତା ଥିଲେ । ସେ ଏହି ନୀତିକୁ ସମର୍ଥନ କରିଥିବାରୁ ସେ ହେଲିକପଟର ବେନ୍ ବୋଲି ପରିଚିତ ଥିଲେ ।
ଏହି ଶବ୍ଦ ଏକ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ଏକ ସେଣ୍ଟ୍ରାଲ ବ୍ୟାଙ୍କ ପାଇଁ କ୍ୱାଂଟିଟେଟିଭ୍ ଇଜିଂ ହେଉଛି ସଠିକ ଶବ୍ଦ । ଏହାର ଅର୍ଥ ହେଲା ଯେ ସେଣ୍ଟ୍ରାଲ ବ୍ୟାଙ୍କ, ସଂପତ୍ତି, ବଣ୍ଡ୍ ଓ ସରକାରୀ ପ୍ରତିଭୂତି ବଡ ପରିମାଣରେ କିଣିବ । ଯାହା ଫଳରେ ଅର୍ଥନୀତିରେ ବ୍ୟାପକ ଭାବେ ଅଧିକରୁ ଅଧିକ ଅର୍ଥ ପ୍ରବେଶ ପାଇଁ ଏହି ପଦକ୍ଷେପ ନିଆଯାଏ ବୋଲି ୨୦୧୪ ରୁ ୨୦୧୭ ଯାଏଁ ରିଜର୍ଭ ବ୍ୟାଙ୍କ୍ ଡେପୁଟି ଗଭଣ୍ଣର୍ର ଥିବା ଆର.ଗାନ୍ଧି କହନ୍ତି ।
କେସିଆର କିଭଳି ପ୍ୟାକେଜ ଚାହାଁନ୍ତି ?
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜିଡିପିର ୫ ପ୍ରତିଶତ ପଯ୍ୟର୍ନ୍ତ ଏକ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଚାହାଁନ୍ତି । ୫ ପ୍ରତିଶତ ପ୍ୟାକେଜର ଅର୍ଥ ହେଲା ୧୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ । ଅନ୍ୟ ନେତାମାନେ ବି ଏହାଠାରୁ ଅଧିକ ପରିମାଣର ପ୍ୟାକେଜ ଚାହିଁଛନ୍ତି । ଯାହା କି ଜିଡିପିର ୧୦ରୁ ୧୨ ପ୍ରତିଶତ ଅର୍ଥାତ ୨୦ରୁ ୨୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ହେବ । ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ୧ ଦଶମିକ ୭ ଲକ୍ଷ କୋଟିର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କରିଥିଲେ । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଅଧିକ ସହାୟତା ଚାହିଁଛନ୍ତି ।
ରିଜର୍ଭ ବ୍ୟାଙ୍କ ବ୍ୟବସ୍ଥାରେ କିଭଳି ଟଙ୍କା ସୃଷ୍ଟି କରେ ?ଈଟିଭି ଭାରତ ସହ ଆଲୋଚନା ବେଳେ ଆର. ଗାନ୍ଧି କହିଛନ୍ତି ଯେ ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ କ୍ୱାଂଟିଟେଟିଭ ଇଜିଂ ପଦ୍ଧତିର ସହାୟତା ନିଅନ୍ତି , ସେମାନେ ବ୍ୟବସ୍ଥାର ଟଙ୍କା ସୃଷ୍ଟି କରନ୍ତି । କିନ୍ତୁ ଏହାର ଅର୍ଥ କେବଳ ଅଧିକରୁ ଅଧିକ ନୋଟ୍ ଛାପିବା ନୁହେଁ । ଅର୍ଥ ବ୍ୟବସ୍ଥାରେ ଅଧିକ ଟଙ୍କା ଛାଡିବା ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଲେ କେବଳ ଏକ ଷଷ୍ଠାଂଶ କରେନ୍ସି ନୋଟ୍ ହିଁ ଛପାଯାଏ । ତାହାଲେ କିପରି କରେନ୍ସି ନୋଟ୍ ଛପା ହୋଇ ବଜାରରେ ଜାରି କରାଯାଏ ? ଏନେଇ ଆର. ଗାନ୍ଧି କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ୍ ଅଧିକ ପରିମାଣର ନୋଟ୍ ଛାପି ମହଜୁଦ ରଖିଥାଏ । ଯେତେବେଳେ ଅର୍ଥନୀତିର ଗୋଟିଏ ସେଗମେଂଟ ଫିଜିକାଲ୍ କ୍ୟାସ ଆବଶ୍ୟକ କରେ, ସେତେବେଳେ ବ୍ୟାଙ୍କ ତାହା ଯୋଗାଏ ବୋଲି ଆର. ଗାନ୍ଧି ଈଟିଭି ଭାରତକୁ କହିଛନ୍ତି ।
କେତେ ନୋଟ୍ ଛପା ହେବା ନେଇ ଆରବିଆଇ କେମିତି ନିଷ୍ପତ୍ତି ନିଏ ? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଉ ଜଣେ ପୂବର୍ତନ ଅଧିକାରୀ ଈଟିଭି ଭାରତକୁ କହିଛନ୍ତି ଯେ, ଜିଡିପି ଅଭିବୃଦ୍ଧି ନେଇ ବ୍ୟାଙ୍କ ଏକ ସମୀକ୍ଷା କରେ । କ୍ୟାସ ଟୁ ଜିଡିପି ଅନୁପାତ ଅନୁସାରେ ନୋଟ୍ ପରିମାଣ ନେଇ ନିଷ୍ପତି ନିଆଯାଏ । ସିଷ୍ଟମରେ କେତେ କରେନ୍ସି ଥାଏ ? ୨୦୨୦ ମାର୍ଚ୍ଚରେ ମୋଟ କରେନ୍ସି ପରିମାଣ ୨୪ ଦଶମିକ ୩୯ ଲକ୍ଷ କୋଟି ଟଙ୍କା ଥିଲା । ଯାହା କି ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପିର ୧୨ ପ୍ରତିଶତରୁ ଅଧିକ । ରିଜର୍ଭ ବ୍ୟାଙ୍କର ପୂବର୍ତନ ଅଧିକାରୀଙ୍କ ଅନୁସାରେ ବ୍ୟାଙ୍କଗୁଡିକ ଡିଜିଟାଲ୍ ପେମେଂଟ ଟ୍ରେଣ୍ଡ ଓ ଅଭିବୃଦ୍ଧି, ନଗଦ ବ୍ୟବହାର, ସରକାରୀ ନୀତି ଓ ଅନ୍ୟ କିଛି କାରଣକୁ ବିଚାରକୁ ନେଇ ନୋଟ୍ ଛାପିବା ସହ ବଜାରକୁ ଛାଡନ୍ତି । ଗତ ତିନି ବର୍ଷ ଧରି କ୍ୟାସ ଟୁ ଜିଡିପି ରେସିଓ ହ୍ରାସ ପାଇବାରେ ଲାଗିଛି । ୨୦୧୬ ନଭେମ୍ବରରେ ବିମୁଦ୍ରାକରଣ ଯୋଗୁଁ ଏହା ଘଟିଛି । ମାର୍ଚ୍ଚ ୨୦୨୦ ସୁଦ୍ଧା କ୍ୟାସ୍ ଟୁ ଜିଡିପି ରେସିଓ ୧୨ ଦଶମିକ ୨ ପ୍ରତିଶତରୁ ଟିକେ ଅଧିକ ରହିଛି ।
ନିଜ ମନ ମୁତାବକ ଟଙ୍କା ଛାପି ପାରିବ କି ରିଜର୍ଭ ବ୍ୟାଙ୍କ ?କିଛି ଲୋକଙ୍କ ଧାରଣା ଯେ, କେନ୍ଦ୍ର ସରକାର ବା ରିଜର୍ଭ ବ୍ୟାଙ୍କ୍ ବହୁଳ ଭାବେ କରେନ୍ସି ନୋଟ୍ ଛାପି ବଜାରରେ ଜାରି କରିପାରିବେ । ହେଲେ ପ୍ରକୃତରେ ଏଭଳି ହୁଏ ନାହିଁ । ଉଦାହରଣ ସ୍ୱରୂପ, ସିଷ୍ଟମରେ ଅଧିକ ଟଙ୍କା ଛାଡିବାରୁ ହିଁ ଲାଟିନ ଆମେରିକା ଓ ଆଫ୍ରିକା ମହାଦେଶର ଅଧିକାଂଶ ଦେଶ ଉଚ୍ଚ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଲେ । ସେସବୁ ଦେଶର ମୁଦ୍ରାର ଅବମୂଲ୍ୟାୟନ ହେଲା । ଜିମ୍ବାୱେର ଉଦାହରଣ ୨୦୦୭ରୁ ୨୦୦୯ ମଧ୍ୟରେ
ଜିମ୍ବାୱେ ରେ ସରକାର ବହୁ ପରିମାଣରେ କରେନ୍ସି ନୋଟ୍ ଛାପିଲେ । ଫଳରେ ସେଠାରେ ହାଇଫର ଇନଫ୍ଲେ ସନ ସୃଷ୍ଟି ହେବା ସହ ମୁଦ୍ରାର ମୂଲ୍ୟରେ ପତନ ହୋଇଥିଲା । ଜିମ୍ବାୱେ ମୁଦ୍ରାର ଏଭଳି ଭାବେ ଅବମୂଲ୍ୟାୟନ ହୋଇଥିଲା ଯେ , ସରକାର ୧୦୦ ଟ୍ରିଲିଅନ ଡଲାର ନୋଟ୍ ଛାପିବାକୁ ବାଧ୍ୟ ହୋଇଥିଲେ, ଯାହାର କି ବିନିମୟ ମୂଲ୍ୟ ଥିଲା ମାତ୍ର ୪୦ ଆମେରେକୀୟ ସେଂଟ୍ । ଏବେ ମଧ୍ୟ ଜିମ୍ବାୱେରେ ଆମେରିକୀୟ ଡଲାର ଓ ଅନ୍ୟ ଦେଶର କରେନ୍ସି ବ୍ୟବହାର ହୁଏ । ଭାରତୀୟ ଟଙ୍କା ବି ସେଠାରେ ଚଳେ ବୋଲି ରିଜର୍ଭ ବ୍ୟାଙ୍କର ପୂବର୍ତନ ଅଧିକାରୀ ଜଣକ ଈଟିଭି ଭାରତକୁ କହିଛନ୍ତି ।
ଦୁବର୍ଳ ମୁଦ୍ରାନୀତି ଯୋଗୁଁ ବିଭିନ୍ନ ଦେଶର ଆର୍ଥିକ ଦୁର୍ଗତି