ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତି ଦାଖଲ କରିଥିବା ଏସଏଲପି ଉପରେ ଆଜି ଶୁଣାଣି ହେବ । ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ବରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ରାଜସ୍ଥାନ ରାଜନୀତି ରଣ : ଆଜି ସୁପ୍ରିମକୋର୍ଟରେ ଶୁଣାଣି
ରାଜସ୍ଥାନ ରାଜନୀତି ରଣ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

By

Published : Jul 27, 2020, 8:31 AM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ବାଚସ୍ପତିଙ୍କ କ୍ଷମତା କଣ ତଥା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ବାଚସ୍ପତି ଦାଖଲ କରିଥିବା ଏସଏଲପି ଉପରେ ଶୁଣାଣି ହେବ । ଏହା ପୂର୍ବରୁ ଜୁଲାଇ 23 ତାରିଖରେ ଶୁଣାଣି କରି ହାଇକୋର୍ଟର ଆଦେଶ ଉପରେ ରୋକ ଲଗାଇବାକୁ ମନା କରିଥିଲେ ସୁପ୍ରିମକୋର୍ଟ ।

ଗୁରୁବାର ଦିନ ଶୁଣାଣି କରି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ବରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ ବୋଲି କହିଥିଲେ । ଏହାସହ ଜୁଲାଇ 24 ତାରିଖରେ ହାଇକୋର୍ଟ ଯେଉଁ ରାୟ ଦେବେ ତାହା ସୁପ୍ରିମକୋର୍ଟର ଅଧିନରେ ରହିବ ବୋଲି କହିଥିଲେ ।

ସୂଚନାଥାଉକି, କଂଗ୍ରେସ ବିଧାୟକ ଦଳ ବୈଠକରେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ଯୋଗଦେଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ବାଚସ୍ପତି । ଯାହାକୁ ନେଇ ସଚିନଙ୍କ ଗ୍ରୁପ୍‌ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଜୁଲାଇ 21 ତାରିଖରେ ଏହା ଉପରେ ଶୁଣାଣି କରି ହାଇକୋର୍ଟ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ । ଯାହାକୁ ଟାର୍ଗେଟ କରି ସୁପ୍ରିମକୋର୍ଟକୁ ଯାଇଥିଲେ ବାଚସ୍ପତି ।

ଗୋଟିଏ ଦିନ ଅପେକ୍ଷା କରିବାକୁ କହିଥିଲେ ସୁପ୍ରିମକୋର୍ଟ

ଗତ ଗୁରୁବାର ବାଚସ୍ପତିଙ୍କ ମାମଲାର ଶୁଣାଣି କରି ଗୋଟିଏ ଦିନ ଅପେକ୍ଷା କରିବାକୁ କହିଥିଲେ ସୁପ୍ରିମକୋର୍ଟ । ଶୁକ୍ରବାର ହାଇକୋର୍ଟର ରାୟ ଆସିବାକୁ ଥିବାରୁ ଏପରି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ବାଚସ୍ପତିଙ୍କ ପକ୍ଷରୁ ହାଇକୋର୍ଟର ରାୟ ଉପରେ ରୋକ ଲଗାଇବାକୁ କୁହାଯାଇଥିବାବେଳେ ଏହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

ଜୁଲାଇ 24ର ରାଜସ୍ଥାନ ହାଇକୋର୍ଟର ରାୟ

ଜୁଲାଇ 24 ତାରିଖରେ ରାଜସ୍ଥାନ ହାଇକୋର୍ଟରୁ ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ଆଶ୍ବସ୍ତି ମିଳିଥିଲା । ସେମାନଙ୍କୁ ବାଚସ୍ପତି ପଠାଇଥିବା ନୋଟିସ ଉପରେ ସ୍ଥଗିତାଦେଶ ଜାରି କରିଥିଲେ କୋର୍ଟ । ଏହାସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ମାମଲାରେ ଏକ ପକ୍ଷକାର କରିଥିଲେ ହାଇକୋର୍ଟ ।

ତେବେ ଏସବୁ ଭିତରେ ସୁପ୍ରିମକୋର୍ଟରେ ଆଜି ହେବାକୁ ଥିବା ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି । ଏହି ଶୁଣାଣି ଉପରେ ହିଁ ରାଜସ୍ଥାନର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ନିର୍ଭର କରେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details