ନୂଆଦିଲ୍ଲୀ: ହାଥରସ ପିଡିତାଙ୍କ ପରିବାରକୁ ଭେଟିବା ପାଇଁ ଶନିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କ ୟୁପି ପହଞ୍ଚିଥିଲେ। ଏହି ସମୟରେ ସେମାନେ ପ୍ରାୟତଃ ଏକ ଘଣ୍ଟା ଧରି ପରିବାର ସହ କଥା ହୋଇଥିଲେ । ତେବେ ରବିବାର ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ୟୁପି ସରକାରଙ୍କୁ ପ୍ରଶ୍ନ କରି ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ନିଲମ୍ବନ ଦାବି କରିଛନ୍ତି ।
ହାଥରସ ଗଣଦୁଷ୍କର୍ମ ଘଟଣା: ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲେ ପ୍ରିୟଙ୍କା ଗାନ୍ଧୀ - ହାଥରସ ଗଣଦୁଷ୍କର୍ମ ଘଟଣା
ରବିବାର ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ୟୁପି ସରକାରଙ୍କୁ ପ୍ରଶ୍ନ କରି ପ୍ରବୀଣ କୁମାରଙ୍କ ନିଲମ୍ବନ କଥା ଉଠାଇଛନ୍ତି ।
ସୂଚନା ଅନୁଯାୟୀ, ପୀଡିତା ପରିବାର ହାଥରସ ଘଟଣାରେ ଡିଏମ ପ୍ରବୀଣ କୁମାରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ଭାଇ କହିଛନ୍ତି ଯେ, ଜିଲ୍ଲାପାଳ ତାଙ୍କ ପରିବାରକୁ ଡରାଇବା ସହ ଧମକାଇଛନ୍ତି। ଏଥିସହ ଡିଏମ ପୀଡିତାଙ୍କ ପରିବାରର ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାର ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଯଦି ଆମ ଝିଅ କୋରୋନାରେ ମରିଥାନ୍ତା ତେବେ କ୍ଷତିପୂରଣ ଦିଆଯାଇ ନଥାନ୍ତା ବୋଲି ଡିଏମ କହିଥିଲେ।
ପ୍ରିୟଙ୍କା ଗୋଟିଏ ପରେ ଗୋଟିଏ ଟ୍ବିଟ୍ କରି ଡିଏମଙ୍କ ନିଲମ୍ବନ ସମ୍ପର୍କରେ କହିଛନ୍ତି। ସେ ଏକ ଟ୍ବିଟରେ କହିଛନ୍ତି, ହାଥରସ ପିଡିତା ପରିବାରଙ୍କ ଅନୁଯାୟୀ, ସବୁଠାରୁ ଖରାପ ଆଚରଣ ଜିଲ୍ଲାପାଳଙ୍କ ଥିଲା । ତାଙ୍କୁ କିଏ ସୁରକ୍ଷା ଦେଉଛି? ତାଙ୍କୁ ବରଖାସ୍ତ କରାଯିବା ଉଚିତ ଏବଂ ସମଗ୍ର ଘଟଣାରେ ତାଙ୍କର ଭୂମିକା ଅନୁସନ୍ଧାନ କରାଯିବା ଉଚିତ୍।