ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ମାମଲାରେ 4 ଅଭିଯୁକ୍ତକୁ ପୋଲିସ 14 ଦିନିଆ ନ୍ୟାୟିକ ହେପାଜତରେ ନେଇଛି । ଏତିକି ବେଳେ ଏବେ 4 ଅଭିଯୁକ୍ତଙ୍କ ପରିବାର ଲୋକେ ଇଟିଭି ଭାରତକୁ ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ।
ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଚେନ୍ନାକେଶବୁଲୁରଙ୍କ ମାଆ ଶ୍ୟାମଲା ଇଟିଭି ଭାରତକୁ କହିଛନ୍ତି ଯେ, ମୋ ପୁଅକୁ ଫାଶୀ ଦେଇଦିଅ ନହେଲେ ଜାଳି ଦିଅ । ଯେମିତି ସେ ସେହି ମହିଳା ଡାକ୍ତରକୁ ଦୁଷ୍କର୍ମ ପରେ ପୋଡିଦେଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସେହି ଝିଅର ପରିବାରର ଦୁଃଖ ବୁଝିପାରୁଛି । ମୋର ବି ଗୋଟିଏ ଝିଅ ଅଛି, ସେ ପରିବାର ଏବେ କେଉଁଭଳି ମାନସିକ ସ୍ଥିତି ଦେଇ ଗତି କରୁଛି ତାହା ମୁଁ ହୃଦବୋଧ କରି ପାରୁଛି । ଯଦି ଏଭଳି ପରିସ୍ଥିତିରେ ମୁଁ ମୋ ପୁଅର ସୁରକ୍ଷା ପାଇଁ ଲଢିବି, ତାହେଲେ ଜୀବନ ସାରା ଲୋକ ମତେ ଘୃଣା କରିବେ ।