ଖୈରଦାବାଦ(ତେଲେଙ୍ଗାନା): କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ବଳରେ ସବୁ କିଛି ସମ୍ଭବ । ଆଉ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଖୈରଦାବାଦର ଅଧିବାସୀ ଅମୀରପୁରର ମଲ୍ଲେଶ । ଦିବ୍ୟାଙ୍ଗ ସତ୍ତ୍ବେ ସେ ହାର ନ ମାନି ସାହାସର ସହ ନିଜ ପେଶାକୁ ଆପଣାଇଛନ୍ତି । ଆଉ ନିଜ ଜୋତା-ଚପଲମରାମତି କାମ ଉପରେ ଭରସା କରି ଦୁଇ ଝିଅଙ୍କୁ ଖୁସିରେ ରଖିବା ସହ ସ୍ବଳ୍ପ ଆୟରେ ସେମାନଙ୍କୁ ପାଠ ମଧ୍ୟ ପଢାଉଛନ୍ତି । ତାଙ୍କ ଜୀବନଶୈଳୀ ଭଗବାନଙ୍କ କୃପାଦୃଷ୍ଟି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିବା ସହ ଭାଗ୍ୟକୁ ଚ୍ୟାଲେଞ୍ଜ କରିଛି ।
ମଲ୍ଲେଶ ପିଲାଟି ଦିନରୁ ଜୋତା ମରାମତି କାମ କରିଆସୁଥିଲେ । ସେ ନିଜ ମାଙ୍କ ସହ ସଚ୍ଚିବାଳୟ ପାଖ ରାସ୍ତାକଡରେ ବସୁଥିଲେ । ଆରମ୍ଭ ଦିନରେ ଜୀବନ ତାଙ୍କ ପାଇଁ ସହଜ ଥିଲା । କିନ୍ତୁ ମଧୁମେହ ସବୁକିଛି ବଦଳାଇ ଦେଇଥିଲା । ମାସ ମାସ ଧରି ସେ ଖଟିଆରେ ପଡିରହିଥିଲେ । ଅନେକ ଚିକିତ୍ସା ପରେ ବି ସେ ନିଜ ରୋଗରୁ ଓହରିପାରିନଥିଲେ । ଶେଷରେ ଡାକ୍ତର ତାଙ୍କ ବାମ ଗୋଡ କାଟିଥିଲେ । ଘଟଣାର 2 ବର୍ଷ ପରେ ତାଙ୍କ ଡାହାଣ ଗୋଡ ଗମ୍ଭୀର ଭାବେ ସଂକ୍ରମିତ ହେବାରୁ ତାକୁ ମଧ୍ୟ କଟାଯାଇଥିଲା । ନିଜ 2 ଗୋଡ ହରାଇବା ପରେ ମଲ୍ଲେଶ ଅସହାୟ ହୋଇପଡିଥିଲେ ସତ କିନ୍ତୁ ତାଙ୍କ ମନୋବଳ ହାର ମାନିନଥିଲା ।
ଘରର ଏକମାତ୍ର ରୋଜଗାରିଆ କହିଲେ ମଲ୍ଲେଶ । ଖୈରଦାବାଦରେ ଏକ ବେସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ସ୍କୁଲରେ 2 ଝିଅ ବୈଷ୍ଣବୀ ଏବଂ ସିରିଶା ପାଠ ପଢୁଛନ୍ତି । ଆଉ ସେ ନିଜ ଦିବ୍ୟାଙ୍ଗତାକୁ ଭୂଲି ପୁନର୍ବାର ପରିବାର ପ୍ରତିପୋଷଣ ପାଇଁ କାମ ଆରମ୍ଭ କରିଥିଲେ । ସକାଳ ସାଢେ 9ଟାରୁ ରାତି 8ଟା ପର୍ଯ୍ୟନ୍ତ ସେ ଜୋତା ମରାମତି କରିଥାନ୍ତି । ଆଉ ଉପାର୍ଜିତ ଅର୍ଥରାଶିରେ ନିଜ ଝିଅମାନଙ୍କ ଭବିଷ୍ୟତକୁ ଉଜ୍ବଳ କରିବାକୁ ଚାହୁଁଛନ୍ତି ।