ଓଡିଶା

odisha

ETV Bharat / bharat

'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର' - teacher's day

ବିନା ଗୁରୁରେ କେହି କେବେ ସଫଳତା ହାସଲ କରିପାରିନାହାଁନ୍ତି। ସେ ଶିଷ୍ୟ ପାଇଁ ସଦାସର୍ବଦା ମାର୍ଗ ଦର୍ଶକ ହୋଇ ରହିଥାଆନ୍ତି। ତାଙ୍କର ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ। ଶିଷ୍ୟକୁ ସମସ୍ତ ବିଦ୍ୟାରେ ପାରଙ୍ଗମ କରାଇବା ସହ ତାର ଜୀବନର ପ୍ରମୁଖ ଅଙ୍ଗ ସାଜନ୍ତି ଗୁରୁ। ସେ ପାଠ ହେଉ କି ସଙ୍ଗୀତ। ଖେଳ ହେଉ କି ନୃତ୍ୟ।

ଡିଜାଇନ ଫଟୋ

By

Published : Sep 5, 2019, 6:01 AM IST

Updated : Sep 5, 2019, 11:31 AM IST

ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ତାରିଖ ସେପ୍ଟେମ୍ବର ୫କୁ ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଏ । 1888 ମସିହା ତିରୁତନୀଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ ଓ କୂଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଏହା ସହିତ ସେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ମଧ୍ୟ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ତାଙ୍କ ପ୍ରସିଦ୍ଧି ଥିଲା । ତାଙ୍କ ମତରେ, ମଣିଷକୁ ଉତ୍ତମ ଶିକ୍ଷା ମିଳିଲେ ସେ ନିଜ ମସ୍ତିଷ୍କକୁ ବିଶ୍ବ ହିତରେ ମଧ୍ୟ ଲଗାଇପାରିବ । ସେ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବାଖ୍ୟା କରୁଥିଲେ।

ଜୀବନରେ ଗୁରୁଙ୍କ ମହତ୍ତ୍ବ:
'ଗୁରୁ' ଏମିତି ଏକ ଶଦ୍ଦ। ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା। ଖରାପ ରାସ୍ତାରୁ ପଥ କଢାଇବା ସହ ଆକଟ ଭରା କଠୋର ଶାସନ ମଧ୍ୟ କରନ୍ତି। ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ପ୍ରମୁଖ ଭୂମିକା ରହିଛି।

ବିନା ଗୁରୁରେ କେହି କେବେ ସଫଳତା ହାସଲ କରିପାରିନାହାଁନ୍ତି। ସେ ଶିଷ୍ୟ ପାଇଁ ସଦାସର୍ବଦା ମାର୍ଗଦର୍ଶକ ହୋଇ ରହିଥାଆନ୍ତି। ତାଙ୍କର ଉତ୍ସାହପ୍ରଦ ପ୍ରେରଣା ଜଣକୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ। ଶିଷ୍ୟକୁ ସମସ୍ତ ବିଦ୍ୟାରେ ପାରଙ୍ଗମ କରାଇବା ସହ ତାର ଜୀବନର ପ୍ରମୁଖ ଅଙ୍ଗ ସାଜନ୍ତି ଗୁରୁ। ସେ ପାଠ ହେଉ କି ସଙ୍ଗୀତ। ଖେଳ ହେଉ କି ନୃତ୍ୟ।
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଷ୍ୟ ଦେଶ ବିଦେଶରେ କୃତିତ୍ବ ଲାଭ କରିଥାଏ। ଆଉ ତାର ସମସ୍ତ ଶ୍ରେୟ ସେ ଗୁରୁଙ୍କୁ ହିଁ ଦେଇଥାଏ। ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତାମାତା ହିଁ ଆମର ପ୍ରଥମ ଶିକ୍ଷକ। ସେ ଆମକୁ ଚାଲିବା, କଥା କହିବା ଏବଂ ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି।

ଯେତେବେଳେ ପିଲାଟି ଘର ବାହାରକୁ ଗୋଡ଼ କାଢ଼େ ସେତେବେଳେ ଶିକ୍ଷକ ହିଁ ତାଙ୍କୁ ଗୁରୁ ରୂପରେ ମିଳନ୍ତି । ଯିଏ ତାକୁ ନିଜ ଶିକ୍ଷା ଦ୍ବାରା ସମ୍ପୂର୍ଣ୍ଣ ଜଗତର ଜ୍ଞାନ ଅର୍ଜନ କରନ୍ତି । ସେଥିପାଇଁ ତ ଗୁରୁଙ୍କୁ ଈଶ୍ବରଙ୍କ ସମ ସମ୍ମାନ ଦିଆଯାଏ।

'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'

ସନ୍ଥ କବୀର ତାଙ୍କ ଦୋହାରେ ଉଲ୍ଲେଖ କରିଛନ୍ତି...
‘ଗୁରୁ ଗୋବିନ୍ଦ ଦୌଉ ଖଡେ଼, କାକେ ଲାଗୁଁ ପାବ
ବାଲିହାରୀ ଗୁରୁ ଆପନେ, ଗୋବିନ୍ଦ ଦିୟୋ ବତାୟ


ଏହାର ଅର୍ଥ ଗୁରୁ ଏବଂ ଈଶ୍ବର ଏକା ସହିତ ଛିଡା ହୋଇଥିବାବେଳେ ମନରେ ଦ୍ବନ୍ଦ ଉତ୍ପନ୍ନ ହୁଏ ଯେ କାହା ପାଦ ଆଗେ ସ୍ପର୍ଶ କରିବା ଉଚିତ୍? ଏ ନେଇ ଈଶ୍ବର ନିଜେ ହିଁ ଉତ୍ତର ଦିଅନ୍ତି ଯେ, ଗୁରୁ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାରେ ରାସ୍ତା ଦେଖାଇଥାଆନ୍ତି। ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ୍।


କାହାକୁ ମଣିବେ ଗୁରୁ:
ମଣିଷ ନିଜ ଜୀବନକାଳରେ ପ୍ରତ୍ୟେକ ଲୋକଙ୍କ ଠାରୁ କିଛି ନା କିଛି ଶିଖିଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ। ତେଣିକି ସେ ବୟସରେ ସାନ ହୋଇ ଥାଉ କିମ୍ବା ବଡ। ବଡଙ୍କ ଠାରୁ ଆମେ ଯେତିକି ଶିଖିଥାଉ, ସାନଙ୍କ ଠାରୁ ମଧ୍ୟ ସେତିକି ଶିଖିଥାଉ। ଯଦି ଆମେ କାହାଠୁ କିଛି ଶୁଖୁଛେ, ତେବେ ତାକୁ ଗୁରୁ ପଦବାଚ୍ୟ କରିବା ଉଚିତ୍। ବିନା ଗୁରୁରେ କେହି କେବେ ସଫଳତାର ଶୀର୍ଷରେ ପହଞ୍ଚିପାରିନଥାଏ। ତେଣୁ ଜୀବନରେ କେବଳ ଜଣଙ୍କୁ ହିଁ ଗୁରୁ କରନ୍ତୁ। ଯିଏ ଆପଣଙ୍କୁ ଶିକ୍ଷା ସହିତ ମାନବିକତାର ପାଠ ମଧ୍ୟ ପଢାଇପାରିବେ।

ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ:
ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁତନୀ ଓ ତିରୁପତିରେ କଟିଥିଲା। ତାଙ୍କର ପାଠପଢା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ଆରମ୍ଭ ହୋଇଥିଲା ଏହାପରେ ୧୯୦୯ରେ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ରାଧାକ୍ରିଷ୍ଣନଙ୍କୁ ନିଯୁକ୍ତି ମିଳିଥିଲା ।

1918ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ତା ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ ଓ ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ ଅଧ୍ୟାପନା କରିଥିଲେ। ଏହାପର ଠାରୁ ସେ ନିଜକୁ ଭାରତୀୟ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନରେ ନିୟୋଜିତ ରଖିଥିଲେ।
'ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ।

କଳିଯୁଗର ଗୁରୁ:
ଅତୀତରେ ଯେମିତି ଗୁରୁକୂଳ ଆଶ୍ରମର ବ୍ୟବସ୍ଥା ଥିଲା, ସେଥିରେ ଏବେ ବିରାଟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଯେମିତିକି ଆକାଶ-ପାତାଳ ପରି ତଫାତ୍। ସେବେକାର ଗୁରୁ କେବଳ ପାଠପଢା ପ୍ରତି ଧ୍ୟାନ ଦେଉଥିଲେ। କେମିତି ଜଣେ ଛାତ୍ର କିମ୍ବା ଛାତ୍ରୀ ସମାଜରେ ଉଚ୍ଚ ଶିକ୍ଷିତ ହୋଇପାରିବ। ନା ଥିଲା ଅର୍ଥର ଳାଳସା, ନା ଥିଲା ଦେହର ଭୋକ। ଫୋକସ ଥିଲା କେବଳ ଶିକ୍ଷାଦାନ ଉପରେ। ସେତେବେଳେ ଖବରକାଗଜର ଶିରୋନାମାରେ ରହୁଥିଲା ଗୁରୁଙ୍କ ଲୋକପ୍ରିୟତା। ଅନ୍ୟଙ୍କ ପାଇଁ ଉଦାହରଣ ସାଜୁଥିଲେ ଗୁରୁ।

କିନ୍ତୁ ଏବେକାର ଗୁରୁ ଅର୍ଥ, ଯୌନଳାଳସା, ଲୋଭ, ଧର୍ମଘଟ, ବିକ୍ଷୋଭ, ମଦମାଂସରେ ମାତିଛନ୍ତି। ସଦ୍ୟ ସମୟରେ ଯେତେବେଳେ ବି ଟେଲିଭିଜନ ଓ ଖବରକାଗଜ ଖୋଲିଲେ ଗୁରୁଙ୍କ ସମ୍ପର୍କିତ ନକରାତ୍ମକ ଖବର ହେଡଲାଇନରେ ଶୋଭା ପାଉଛି। କେତେଜଣ ଗୁରୁଙ୍କ ପାଇଁ ପୁରା ଶିକ୍ଷକ ସମାଜ କଳୁଷିତ ହେବାରେ ଲାଗିଛି। ରାଜଧାନୀର ରାଜରାସ୍ତାରେ ବର୍ଷକର ଅର୍ଦ୍ଧାଧିକ ସମୟରେ ବିକ୍ଷୋଭରେ ମାତୁଛନ୍ତି ଗୁରୁ। ତେଣିକି ପାଠପଢା ଚୁଲିକି ଯାଉ। ଦୀର୍ଘ ଦିନ ଧରି ବନ୍ଦ ରହୁଛି ସ୍କୁଲ। ଏଥିରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ କଣ ହେବ, ତାହା ସ୍ପଷ୍ଟ ଅନୁମେୟ ହେଉଛି।

ପ୍ରତ୍ୟେକ ଜିନିଷର ଯେପରି ଭଲ ଓ ମନ୍ଦ ଥାଏ, ଠିକ୍ ସେହିପରି କିଛି ଶିକ୍ଷକଙ୍କର ଗୁଣଗାରିମା ଲୋକଲୋଚନରେ ପ୍ରସିଦ୍ଧି ଲାଭ କରିପାରିଛି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କୋରାପୁଟର ପ୍ରଫୁଲ୍ଲ କୁମାର ପାଠୀ। ଛାତ୍ରଛାତ୍ରୀଙ୍କୁ କେମିତି ପାଠପଢା ଯାଏ, ତାହା ତାଙ୍କୁ ବେଶ ଭଲଭାବେ ଜଣା। ସାହିତ୍ୟର ପଂକ୍ତି ଗୁଡିକ ମନେ ରଖିବା ପାଇଁ ନୃତ୍ୟ ମାଧ୍ୟମରେ ପାଠପଢାନ୍ତି ପାଠୀ ସାର। ଏ ନେଇ ସେ ଚର୍ଚ୍ଚାର ପରିସରକୁ ଆସିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବେଶ୍ ଚିନ୍ତିତ ସେ। କେବଳ ପ୍ରଫୁଲ୍ଲ ପାଠୀ କାହିଁକି, ଆହୁରି ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି, ଯିଏ କେବଳ ପାଠପଢାକୁ ଗୁରୁତ୍ବ ଦେଇଥାଆନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2019, 11:31 AM IST

ABOUT THE AUTHOR

...view details