ନୂଆଦିଲ୍ଲୀ: ଫେବୃଆରୀ 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଭାରତ ଆସିବେ । ତେବେ ଏହି ଗସ୍ତରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଦିଲ୍ଲୀର ସରକାରୀ ସ୍କୁଲ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେଠାରେ ଚାଲୁଥିବା ହାପିନେସ କରିକୁଲମ କ୍ଲାସ ଦେଖିବାକୁ ସେ ଇଚ୍ଛୁକ ଥିବା ଜଣାପଡିଛି ।
2018 ମସିହାରେ କେଜ୍ରିୱାଲ ସରକାର ଦିଲ୍ଲୀର ସରକାରୀ ସ୍କୁଲରେ ଏହି ହାପିନେସ କରିକୁଲମ କ୍ଲାସର ଶୁଭାରମ୍ଭ କରିଥିଲେ । ସ୍କୁଲ ପିଲାଙ୍କୁ ଚିନ୍ତାମୁକ୍ତ ହୋଇ ପାଠପଢା ପ୍ରତି ଧ୍ୟାନ ଆକର୍ଷିତ କରାଇବା ଉଦ୍ଦେଶ୍ୟରେ ଏହି କ୍ଲାସର ସୁବିଧା ଆରମ୍ଭ କରିଥିଲେ କେଜ୍ରିୱାଲ ସରକାର । ଏହି କ୍ଲାସ ନର୍ସରିଠାରୁ ଅଷ୍ଟମ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ତେବେ କେଜ୍ରିୱାଲଙ୍କ ଏହି ପଦକ୍ଷେପକୁ ଦେଶ ବିଦେଶରୁ ପ୍ରଶଂସା କରାଯାଇଥିଲା । ଆଉ ଏବେ ମେଲାନିଆ ଟ୍ରମ୍ପ ଏଥିପ୍ରତି ଆକର୍ଷିତ ହୋଇ ଏହି କ୍ଲାସକୁ ଦେଖିବାର ଇଚ୍ଛା ପ୍ରକାଶ କରିଛନ୍ତି ।