ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଭାରତୀୟ ବିଜ୍ଞାପନ ମାନକ ପରିଷଦ (ASCI) ପକ୍ଷରୁ ଏନେଇ ଗାଇଡଲାଇନକୁ ଭିତ୍ତି କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଜାରି ହୋଇଥିବା ଗାଇଡାଲାଇନ ଅନୁଯାୟୀ ଅନଲାଇନ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ କ୍ଷେତ୍ରରେ ଏଏସସିଆଇର ନିର୍ଦ୍ଦେଶନାମା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗାଇଡଲାଇନ ଅନୁଯାୟୀ ଏଣିକି ସମସ୍ତ ବିଜ୍ଞାପନରେ ବାଧ୍ୟତାମୂଳକ ଭାବେ ସତର୍କ ସୂଚନା ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ବିଭିନ୍ନ ଘରୋଇ ଟେଲିଭିଜନ ଚ୍ୟାନେଲରେ ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ପ୍ରଦର୍ଶିତ ହେଉଛି। ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଗ୍ରାହକମାନଙ୍କୁ ଏଥିସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ଏଥିପାଇଁ କେବୁଲ ଟେଲିଭିଜନ ନେଟୱର୍କ ଆଇନ, 1995 ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, 2019 ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି।