ନୂଆଦିଲ୍ଲୀ: ଅନଲକ୍-3 ପାଇଁ ଏସଓପି ପ୍ରକ୍ରିୟା ଆରମ୍ଭ ହୋଇଛି । କାରଣ ଅନଲକ୍-2 ଜୁଲାଇ 31 ରେ ଶେଷ ହେଉଛି । ସୂଚନାନୁସାରେ, ସାମାଜିକ ଦୂରତା ସହିତ ଅନଲକ୍-3 ରେ ସିନେମା ହଲ୍ ଖୋଲାଯାଇପାରିବ । ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି। ଯେଉଁଥିରେ ଅଗଷ୍ଟ 1 ତାରିଖରୁ ସିନେମା ହଲ୍ ଖୋଲିବାକୁ କୁହାଯାଇଛି।
ଏହାପୂର୍ବରୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓ ସିନେମା ହଲ ମାଲିକଙ୍କ ମଧ୍ୟରେ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସିନେମା ହଲ୍ ମାଲିକମାନେ 50 ପ୍ରତିଶତ ଦର୍ଶକଙ୍କ ସହ ଥିଏଟର ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ତେବେ ମନ୍ତ୍ରଣାଳୟ ପ୍ରଥମେ 25 ପ୍ରତିଶତ ସିଟରେ ସିନେମାହଲ ଖୋଲିବାକୁ କହିଛି । କେବଳ ଏତିକି ନୁହେଁ, ଅନଲକ୍-3 ରେ ସିନେମା ହଲ୍ ସହିତ ଜିମ୍ ମଧ୍ୟ ଖୋଲାଯାଇପାରିବ । ତେବେ ବିଦ୍ୟାଳୟ ଓ ମେଟ୍ରୋ ଖୋଲିବାକୁ ବିଚାର କରାଯାଇ ନାହିଁ । ଏଥିସହିତ ରାଜ୍ୟଗୁଡିକ ପାଇଁ ଅନଲକ୍-3 ରେ ଆଉ କିଛି ଆରାମ ମିଳିପାରିବ ।