ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ(ଜିଏଚଏମସି) ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ 7ଟାରୁ ମତ ଦେଉଛନ୍ତି ମତଦାତା । ଏହା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି ।
150 ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନରେ ମୋଟ 1122 ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ବାଲାଟ୍ ପେପରରେ ମତଦାତା ନିଜର ମତ ସାବ୍ୟସ୍ତ କରୁଥିବାବେଳେ ସମୁଦାୟ 9101ଟି ମତଦାନ କେନ୍ଦ୍ର କରାଯାଇଛି ।
ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଟିଆରଏସର କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟିଆର ନିଜର ପତ୍ନୀ ସହିତ ଆସି ମତଦାନ କରିଛନ୍ତି । ସେ ନନ୍ଦିନଗର ପୁଲିଂ ଷ୍ଟେସନରେ ନିଜର ମତସାବ୍ୟସ୍ତ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ କିଶାନ ରେଡ୍ଡୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି । ସେ କଚିଗୁଡାରେ ଭୋଟ ଦେଇଛନ୍ତି । ଅନ୍ୟପଟେ ସିନେ ପ୍ରଯୋଜକ ଶ୍ୟାମପ୍ରସାଦ ରେଡ୍ଡୀ ଫିଲ୍ମ ନଗର କ୍ଲବରେ ନିଜର ଭୋଟ ଦେଇଛନ୍ତି ।
ଆଜି ମତଦାନ ହେଉଥିବାବେଳେ ଆସନ୍ତା 4 ତାରିଖରେ ଭୋଟ ଗଣତି ହେବ । ସୂଚନାଥାଉକି, ଚଳିତ ଗ୍ରେଟର ହାଇଦ୍ରାବାଦର ପୌରନିର୍ବାଚନରେ ବିଜେପିକୁ ନିଜର ସମସ୍ତ ବଳ ଖଟାଇଥିବା ଦେଖିବାକୁ ମିଳିଥିଲା । ଦଳର ପ୍ରାୟ ସମସ୍ତ ହେଭିୱେଟ ମୈଦାନକୁ ଓହ୍ଲାଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ୍ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।
ଗତ ଥର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାୱଙ୍କ ନେତୃତ୍ବାଧିନ ଟିଆରଏସ(ତେଲେଙ୍ଗାନା ରାଷ୍ଟ୍ର ସମିତି)କୁ 99ଟି ଆସନ ମିଳିଥିବାବେଳେ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମକୁ ମିଳିଥିଲା 44ଟି ସିଟ୍ । ସେହିପରି ବିଜେପିକୁ 4ଟି ଆସନ ମିଳିଥିଲା ।