ନୂଆଦିଲ୍ଲୀ: ପିଏମ କେୟାର ଅଧିନରେ ଦେଶର ସମସ୍ତ ସରକାରୀ ହସ୍ପିଟାଲକୁ 50 ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା 2923ଟି ମେଡ-ଇନ ଇଣ୍ଡିଆ ଭେଣ୍ଟିଲେଟର ପ୍ରସ୍ତୁତ ହୋଇସାରିଛି । ସେଥିରୁ 1340 ଭେଣ୍ଟିଲେଟରକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯାଇଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରକୁ 275, ଦିଲ୍ଲୀକୁ ମଧ୍ୟ 275, ଗୁଜୁରାଟ 175, ବିହାର 100, କର୍ଣ୍ଣାଟକ 90, ରାଜସ୍ଥାନକୁ 70 ଟି ଲେଖାଏଁ ଭେଣ୍ଚିଲେଟର ପଠାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜୁନ୍ 2020 ଶେଷ ସୁଦ୍ଧା, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ 14,000 ଭେଣ୍ଟିଲେଟର ବିତରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ଦେଶରେ କୋରୋନା ମୁକାବିଲା କରିବା ପାଇଁ ସରକାର ପିଏମ କେୟାର ପାଣ୍ଠି ଗଠିନ କରିଛନ୍ତି । ଏହି ପାଣ୍ଠି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ସହାୟତା ଆକାରରେ ଦାନ କରୁଛନ୍ତି । ଏଥିରୁ 2000 କୋଟି ଟଙ୍କା ବ୍ୟୟ କରି ପ୍ରାୟ 50 ହଜାର ଭେଣ୍ଟିଲେଟର କିଣାଯିବ ବୋଲି ସରକାର ଘୋଷଣା କରିଥିଲେ ।