ଓଡିଶା

odisha

By

Published : Aug 28, 2019, 8:02 PM IST

ETV Bharat / bharat

ଘାଟିରୁ ଆସିଲା ବଡ ଖବର, ୫୦ ହଜାରଙ୍କୁ ମିଳିବ ନିଯୁକ୍ତି

ଆଗାମୀ ତିନି ମାସ ମଧ୍ୟରେ ଜମ୍ମୁ-କାଶ୍ମୀର ଓ ଲଦାଖରେ ୫୦,୦୦୦ ସରକାରୀ ଚାକିରୀ ନିଯୁକ୍ତି ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏଥିପାଇଁ ଅଧିକ ସଂଖ୍ୟାରେ ଆବେଦନ ଆଶା କରିଛନ୍ତି ରାଜ୍ୟପାଳ ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଧାରା 370 ଉଚ୍ଛେଦ ହେବାପରେ ବିକାଶ ମୁହାଁ ହେଉଛି ଜମ୍ମୁ-କାଶ୍ମୀର । ଆଗାମୀ ତିନି ମାସ ମଧ୍ୟରେ ଜମ୍ମୁ-କାଶ୍ମୀର ଓ ଲଦାଖରେ ୫୦,୦୦୦ ସରକାରୀ ଚାକିରୀ ନିଯୁକ୍ତି ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏନେଇ ପ୍ରଶାସନ ପକ୍ଷରୁ ଖୁବ୍‌ ଶୀଘ୍ର ପଦ ଓ ଆବେଦନ ତାରିଖ ଏବଂ ପ୍ରକ୍ରିୟା ବିଷୟରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

ବୁଧବାର ଶ୍ରୀନଗରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶର ବିକାଶ ପ୍ରସଙ୍ଗରେ ଅନେକ କଥା କହିଛନ୍ତି ରାଜ୍ୟପାଳ । ଆଗାମୀ 6 ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଅନେକ ପରିବର୍ତ୍ତନ ଆସିବ । ଏଥିପାଇଁ କେନ୍ଦ୍ର ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ଜମ୍ମୁ-କାଶ୍ମୀରର ଆଇନ ବ୍ୟବସ୍ଥାକୁ ନେଇ ସେ କହିଛନ୍ତି, ଆମର ମୂଳ ଲକ୍ଷ୍ୟ କାଶ୍ମୀରରେ ଆଇନ ବ୍ୟବସ୍ଥାକୁ ସୁଧାରିବା ଏବଂ ଏଥିରେ ଆମେ ସଫଳ ହୋଇଛୁ । ଗତ 24 ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଜଣେ ବି ବ୍ୟକ୍ତି ପ୍ରାଣ ହରାଇ ନାହାନ୍ତି । ଏହା ଆମ ପାଇଁ ବହୁତ ବଡ ଉପଲବ୍ଧି ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ ଖୁବଶୀଘ୍ର ସେଠାକାର ସ୍ଥିତି ସାମାନ୍ୟ ହେବା ନେଇ ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି। ସ୍ଥିତି ସ୍ଵାଭାବିକ ହେଉଛି ଏବଂ ଖୁବଶୀଘ୍ର କଟକଣାକୁ ପ୍ରତ୍ୟାହାର କରି ନିଆଯିବ। ସମସ୍ତ ସ୍ଥାନରେ ଦିନରେ କଟକଣା ଲଗାଯାଉ ନାହିଁ। ଅନେକ ସ୍ଥାନରେ ଲ୍ୟାଣ୍ଡଲାଇନ ସେବା ଆରମ୍ଭ ହୋଇ ଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାରେ କିଛିଟା ସମୟ ଲାଗିବ । ତେଣୁ ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟପାଳ । ଏହା ସହିତ ଅପପ୍ରଚାର ଉପରେ ଧ୍ୟାନ ନଦେବା ପାଇଁ ଘାଟିବାସୀଙ୍କୁ ଆବେଦନ କରିଛନ୍ତି ରାଜ୍ୟପାଳ ।

ଶିକ୍ଷା ଏବଂ ପରିବହନ ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ମଲ୍ଲିକ କହିଛନ୍ତି, ରାଜ୍ୟରେ ପ୍ରାୟ 3000 ପ୍ରାଥମିକ ସ୍କୁଲ ଏବଂ 1000 ମାଧ୍ୟମିକ ସ୍କୁଲ ଖୋଲିଗଲାଣି । ପରିବହନ ବ୍ୟବସ୍ଥା ସ୍ଵାଭାବିକ ରହିଛି, ହସ୍ପିଟାଲରେ ନିୟମିତ ଚିକିତ୍ସା ସେବା ଚାଲିଛି ଏବଂ ସମସ୍ତ ପ୍ରକାରର ଔଷଧ ଉପଲବ୍ଧ ରହିଛି ବୋଲି ରାଜ୍ୟପାଳ ମଲ୍ଲିକ କହିଛନ୍ତି ।

ABOUT THE AUTHOR

...view details