ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚକାଙ୍କୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ନିକଟରେ ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ 117ଟି ଦେଶ ମଧ୍ୟରେ 102 ନମ୍ବର ସ୍ଥାନରେ ରହିଛି । ଏହି ରିପୋର୍ଟ ଆଧାରରେ ଭାରତର ଅବସ୍ଥା ଏସିଆର ଅନ୍ୟ ଦେଶ ତୁଳନାରେ ଶୋଚନୀୟ । ଯାହା ଏକ ଚିନ୍ତାର ବିଷୟ । ସେହିପରି ବିଶ୍ବ କ୍ଷୁଧା ସୂଚକାଙ୍କ ପାକିସ୍ତାନ 94 ସ୍ଥାନରେ ଥିବାବେଳେ ରିପୋର୍ଟରେ ନେପାଲ ଓ ବାଂଲାଦେଶର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି ।
ଭାରତର ଏହି ନମ୍ବରକୁ ନେଇ କଂଗ୍ରେସ ନେତା ରାହୁଲ ଟ୍ବିଟ୍ରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ, 2014ରୁ କ୍ରମାଗତ ଭାବେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ତାଲିକାରେ ଭାରତର ସ୍ଥାନ ହ୍ରାସ ପାଇଆସୁଛି । ବର୍ତ୍ତମାନ 117ଟି ଦେଶ ମଧ୍ୟରେ ଭାରତ କ୍ଷୁଧା ଦେଶ ତାଲିକାରେ ୧୦୨ ନମ୍ବର ସ୍ଥାନରେ ରହିଛି । ଭାରତର ଏହି ନମ୍ବର ମୋଦି ସରକାରଙ୍କ ନୀତିର ବିଫଳତାକୁ ସୂଚାଉଥିବାବେଳେ 'ସବକା ସାଥ୍ ସବକା ବିକାଶ' ନାରାର ଗୁମର ଖୋଲିଛି ।